Odiapua.com

ନୟାଗଡ଼ର ସବୁ ୱାର୍ଡ଼କୁ ଖୋଲା ଶୌଚମୁକ୍ତ ସହର ଘୋଷଣାକୁ ନେଇ ଚର୍ଚ୍ଚା

ନୟାଗଡ଼, ୮/୪:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ନୂଆ ବସଷ୍ଟାଣ୍ଡ ଠାରେ ଆୟୋଜିତ ଏକ ସଭାରେ ନୟାଗଡ଼ ସହରର ସବୁ ୱାର୍ଡ଼କୁ ଖୋଲା ଶୌଚମୁକ୍ତ ସହର ରବିବାର ଘୋଷଣା କରାଯାଇଛି। ମୁଖ୍ୟଅତିଥିଭାବେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଡ.ଅରୁଣ କୁମାର ସାହୁ, ସ୍ୱଚ୍ଛଭାରତ ମିଶନ ସହରାଚଂଳ ତଥା ପୌର ପ୍ରଶାସନର ନିର୍ଦ୍ଦେଶକ ସଂଗ୍ରାମଜିତ୍ ନାୟକ, ଜିଲ୍ଲାପାଳ ଅରିନ୍ଦମ ଡାକୁଆ, ପିଡି ଡିଆରଡିଏ ଅଭୟ କୁମାର ନାୟକ, ଏନଏସି ନିର୍ବାହୀ ଅଧିକାରୀ, ଏନଏସି ଚେୟାରମ୍ୟାନ ଓ ବ୍ଳକ ଚେୟାରମ୍ୟାନ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଏନଏସିର ସବୁ ୱାର୍ଡ଼ରେ ଖୋଲା ଶୌଚମୁକ୍ତ ସହରକୁ ନେଇ ହୋଇଥିବା ଘୋଷଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଗାଁ ପରିମଳ ଧୋବା ତୁଠରୁ ପରି ନୟାଗଡ଼ ସହରର ମୁଖ୍ୟକେନ୍ଦ୍ରରେ ଏନଏସି ତରଫରୁ ନିର୍ମାଣ ହୋଇଥିବା ୨ଟି ପରିସ୍ରାଗାରର ସ୍ଥିତିକୁ ନେଇ ନୟାଗଡର ସ୍ୱଚ୍ଛତା ÿ କେମିତି ଜଣାପଡ଼ୁଥିବାବେଳେ ନୟାଗଡ଼ ସହରରକୁ ଖୋଲା ଶୌଚମୁକ୍ତ କରିବା ଘୋଷଣା ଆହୁରି ଚର୍ଚ୍ଚିତ କରିଦେଇଛି। ନୟାଗଡର ÿ ମୁଖ୍ୟକେନ୍ଦ୍ର ସ୍ଥଳ ପୁରୁଣା ବସଷ୍ଟାଣ୍ଡ ଓ ଆଖ ପାଖ ସ୍ଥାନରେ ପରିସ୍ରା କରିବାକୁ ସ୍ଥାନ ନଥିବା ନେଇ ଯାତ୍ରୀ ଓ ଜନସାଧାରଣଙ୍କ ଦାବିକୁ ନେଇ ନୟାଗଡ଼ ଏନଏସି ତରଫରୁ ପ୍ରଥମେ ପାର୍କଲେନ୍ ପାଖରେ କାମଚଳା ଏକ ପରିସ୍ରାଗାର ନିର୍ମାଣ କରାଯାଇଥିଲା। ଯାହା ଅଭିଯୋଗ ହୁଏ ଏନଏସି କର୍ତ୍ତୃପକ୍ଷଙ୍କ ଅଣଦେଖା ଯୋଗୁଁ ତାହା ଚାଲୁ ଚାଲୁ ଅକାମି ହୋଇଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ଜନସାଧାରଣଙ୍କ ପ୍ରବଳ ଦାବିକୁ ନେଇ ନୟାଗଡ଼ ପୁରୁଣା ବସଷ୍ଟାଣ୍ଡ ନିକଟ ତଥା ଡିଏଫଓଙ୍କ ପୁରୁଣା କାର୍ଯ୍ୟାଳୟ ପାଚେରୀ ନିକଟରେ ଏବଂ ଆଉ ଗୋଟିଏ ବ୍ରଜେନ୍ଦ୍ର ହାଇସ୍କୁଲ ପାଚେରୀ ନିକଟକୁ ଲାଗି ପୁଣି ପରିସ୍ରାଗାର ଲକ୍ଷ ଲକ୍ଷ ଟଙ୍କାରେ ନିର୍ମାଣ କରାଯାଇଥିଲା। ହେଲେ ତାହା ନିର୍ମାଣ ହେଲା ଦିନୁ କିପରି ଚାଲିଛି, କେଉଁ ଅବସ୍ଥାରେ ଅଛି ତାହା ଦେଖିବାକୁ ଏନଏସି କର୍ତ୍ତୃପକ୍ଷଙ୍କ ନିକଟରେ କୁହାଯାଏ ଯେମିତି ସମୟ ନାହିଁ। ଏବେ ସେହି ପରିସ୍ରାଗାର କେହି ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିହେବନି। ତାହା ଭିତରକୁ ଯାଇ ପରିସ୍ରା କରିବାତ ଦୂରର କଥା ପରିସ୍ରାଗାର ବାହାରେ ବି ଠିଆ ହେବା ଅସହ୍ୟ ହୋଇପଡ଼ୁଛି। ପରିସ୍ରାଗାର ଭିତରେ ପୋକ ସାଲୁ ବାଲୁ ହେଉଥିବାବେଳେ ପାଣି ନଥିବା ଯୋଗୁଁ ପରିସ୍ରାଗାର ପୁତିଗନ୍ଧମୟ ପରିତ୍ୟକ୍ତ ଅବସ୍ଥାରେ ଗତି କରୁଛି। ଭିତରକୁ ପରିସ୍ରା କରି ଯିବାକୁ କେହି ଉଚିତ୍ ମଣୁନାହାନ୍ତି। ନିର୍ମାଣ ହୋଇଥିବା ଏହି ଦୁଇଟି ପରିସ୍ରାଗାର ଉପରେ ଜିଳ୍ଲା ତଥା ଖୋର୍ଦ୍ଧା-ବଲାଙ୍ଗୀର ରାସ୍ତାଦେଇ ଯାଉଥିବା ଶହ ଶହ ଯାତୀ ନିର୍ଭର କରିଥାନ୍ତି। ଏବଂ ଏପରି ନୟାଗଡ଼ର ପରିବେଶ ଦେଖି ନାକ ଟେକୁଥିବା ଦେଖା ଦେଇଛି। ଏନଏସି ଅଂଚଳର ମୁଖ୍ୟ କେନ୍ଦ୍ରରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ୨ଟି ପରିସ୍ରାଗାର ଆବର୍ଜନାମୟ ପରିବେଶରେ ଚାଲୁଥିବାବେଳେ ଏବଂ ଏନଏସି କର୍ତ୍ତୃପକ୍ଷ ଏହି ଦୁଇଟି ପରିସ୍ରାଗାର ସମ୍ଭାଳିବାରେ ବିଫଳ ହେଉଥିବା କୁହାଯାଉଥିବାବେଳେ ନୟାଗଡ଼ ସହରର ସବୁ ୱାର୍ଡ଼ କିପରି ଖୋଲା ଶୌଚମୁକ୍ତ କରିବାରେ ସକ୍ଷବ ହୋଇପାରିବ ଏପରି ଘୋଷଣାକୁ ନେଇ ସାଧାରଣରେ ବେଶ୍ କୌତୁହଳ ପ୍ରକାଶ ପାଇଛି। ଏପରିକି ଏନଏସି କର୍ତ୍ତୃପକ୍ଷ ଏହି ଘୋଷଣାକୁ କେତେ ବଜାୟ ରଖିପାରୁଛନ୍ତି ତାହା ବିଭିନ୍ନ ମହଲରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।