Odiapua.com

କେନ୍ଦ୍ରାପଡାରେ ଷ୍ଟିଲ୍ ପ୍ଲାଂଟ କରିବ ଆର୍ସେଲର ମିତ୍ତଲ, ୧୨ ମିଲିୟନ୍ ଟନ୍ କ୍ଷମତା ବିଶିଷ୍ଟ କାରଖାନା ପାଇଁ ୫୦ ହଜାର କୋଟି ଟଙ୍କାର ପୁଂଜିନିବେଶ ହେବ

ଭୁବନେଶ୍ୱର, ୦୪ ମାର୍ଚ୍ଚ (ଓଡ଼ିଆ ପୁଅ) – ଓଡ଼ିଶା ଶିଳ୍ପ ପ୍ରତିଷ୍ଠା ପାଇଁ ପୁଣି ଏକ ଉତ୍ତମ ପଦକ୍ଷେପ ନିଆଯାଇଛି। ଆର୍ସେଲର ମିତ୍ତଲ, ନିପନ୍ ଷ୍ଟିଲ୍ ଇଣ୍ଡିଆ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ କେନ୍ଦ୍ରାପଡା ପ୍ରସ୍ତାବିତ ଷ୍ଟିଲ ପ୍ଲାଂଟର ଏମ୍ଓୟୁ ସ୍ୱାକ୍ଷର ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଏଲନ୍ଏନ୍ ମିତ୍ତଲଙ୍କ ଉପସ୍ଥିତିରେ ଏହି ଏମଓୟୁ ସ୍ୱାକ୍ଷର ହୋଇଛି। ତେଣୁ କେନ୍ଦ୍ରାପଡା ଜିଲ୍ଲାରେ ଷ୍ଟିଲ୍ ପ୍ଲାଂଟ ପ୍ରତିଷ୍ଠା କରିବ ଆର୍ସେଲର ମିତ୍ତଲ। କେନ୍ଦ୍ରାପଡାରେ ୧୨ ମିଲିୟନ୍ ଟନ୍ କ୍ଷମତା ବିଶିଷ୍ଟ ଏହି ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ୫୦ ହଜାର କୋଟି ଟଙ୍କାର ବିନିଯୋଗ ହେବ। ଏଥିନେଇ ଗୁରୁବାର ଦିନ ଲୋକସେବା ଭବନର ନୂଆ କନଭେନସନ୍ ସେଂଟର ଠାରେ ଓଡିଶା ସରକାର ଓ ଆର୍ସେଲର ମିତଲ, ନିପନ ଷ୍ଟିଲ୍ ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମିତଲ ଗ୍ରୁପ୍ ର ଅଧ୍ୟକ୍ଷ ଏଲ୍‌.ଏନ୍‌. ମିତ୍ତଲ, ଇସ୍ପାତ ଓ ଖଣି ଏବଂ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

କିନ୍ତୁ ଏଠାରେ ମନେ ପକାଇ ଦେବାକୁ ଚାହୁଁଛୁଯେ, ପୂର୍ବରୁ କେନ୍ଦୁଝରରେ ବିଶାଳ ଷ୍ଟିଲ ପ୍ଲାଣ୍ଟ କରିବା ପାଇଁ ଆର୍ସେଲର ମିତ୍ତଲ ରାଜ୍ୟ ସରକାରଙ୍କ ସହ ୨୦୦୬ରେ ବୁଝାମଣା କରିଥିଲା। ହେଲେ ଜମି ଅଧିଗ୍ରହଣ ଏବଂ ଖଣି ପାଇଁ ସହମତି ନହେବାରୁ ୨୦୧୩ରେ ଓଡ଼ିଶା ପ୍ରକଳ୍ପ ଲକରିପାରି ଛାଡ଼ି ଚାଲିଯାଇଥିଲା ।
ଅପର ପକ୍ଷରେ ଓଡ଼ିଶାରେ ବୃହତ ଶିଳ୍ପ ପ୍ରତିଷ୍ଠା ନେଇ ବାରମ୍ବାର ପ୍ରୟାସ ହେଉଥିବା ସତ୍ତ୍ୱେ ଜଗତ୍‌ସିଂହପୁରରୁ ପୋସ୍କୋ କମ୍ପାନି ପାଇଁ ବିଭିନ୍ନ ପ୍ରକାରର ଆନ୍ଦୋଳନ ହେବା ପରେ ଏହି ପ୍ରକଳ୍ପ ବନ୍ଦ ହୋଇଯାଇଥିଲା କିନ୍ତୁ ସେହି ସ୍ଥାନରେ ପୁଣି ଷ୍ଟିଲ ପ୍ରକଳ୍ପ କରିବାକୁ ଜିନ୍ଦଲ ଇଚ୍ଛା ପ୍ରକାଶ କରିଛନ୍ତି।

ଏହି ପ୍ରକଳ୍ପ କୌଣସି ଛୋଟ ପ୍ରକଳ୍ପ ନୁହେଁ, ୧୨ ମିଲିୟନ୍ ଟନ୍ କ୍ଷମତା ବିଶିଷ୍ଟ ଏହି ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ୫୦ ହଜାର କୋଟି ଟଙ୍କାର ବିନିଯୋଗ ହେବ। ଯଦି ଏହା ସମ୍ଭବ ହୁଏ ତେବେ ଏହି ପ୍ରକଳ୍ପ ଭାରତ ବର୍ଷରେ ସବୁଠାରୁ ବଡ଼ କ୍ଷମତା ବିଶିଷ୍ଟ ପ୍ରକଳ୍ପ ହେବ। ସୂଚନା ଦିଆଯାଇପାରେଯେ, କଳିଙ୍ଗନଗର ଷ୍ଟିଲ ପ୍ଲାଂଟର ବାର୍ଷିକ ଉତ୍ପାଦନ କ୍ଷମତା ହେଉଛି ୩ ମିଲିୟନ୍ ଟନ୍। ସେହିପରି ରାଉରକେଲା ଷ୍ଟିଲ୍ ପ୍ଲାଂଟର କ୍ଷମତା ୪.୨ ମିଲିୟନ ଟନ୍, ବୋକାରୋ ଷ୍ଟିଲ ପ୍ଲାଂଟର ୪.୬ ମିଲିୟନ ଟନ୍ ଓ ଜାମଶେଦପୁର ଷ୍ଟିଲ ପ୍ଲାଂଟର ବାର୍ଷିକ ଉତ୍ପାଦନ କ୍ଷମତା ୧୦ ମିଲିୟନ ଟନ୍। ଏହି ପ୍ରକଳ୍ପ ଏଗୁଡ଼ିକ ଠାରୁ ବଡ଼ ହେବ। ଏହି ପରି ଏକ ପ୍ରକଳ୍ପର ସ୍ୱପ୍ନ ପୋସ୍କୋର ଦେଖିଥିଲେ ଓଡ଼ିଶା ବାସୀ। କିନ୍ତୁ ତାହା କେବଳ ସ୍ୱପ୍ନ ଏବଂ ଆନ୍ଦୋଳନ ମଧ୍ୟରେ ରହିଯାଇଥିଲା।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ରାପଡ଼ା ଜିଲ୍ଲା ବିଜୁବାବୁଙ୍କର କର୍ମଭୂମି ଥିଲା ଏବଂ ସେ ଏହି ଜାଗା ଏବଂ ଏଠାକାର ଜନସାଧାରଣଙ୍କୁ ହୃଦୟରୁ ଭଲ ପାଉଥିଲେ। କେନ୍ଦ୍ରାପଡ଼ାରେ ସମନ୍ୱିତ ଷ୍ଟିଲ୍ କମ୍ପେ୍ଲକ୍ସ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି ଏବଂ ରାଜ୍ୟ ସରକାର ଏହି ବୃହତ୍ ପ୍ରକଳ୍ପର ପ୍ରତିଷ୍ଠା ପାଇଁ ସମସ୍ତ ଆବଶ୍ୟକୀୟ ସହାୟତା ଓ ସୁବିଧା ଯୋଗାଇଦେବେ। ଦୂରଦୃଷ୍ଟିସଂପନ୍ନ ଶିଳ୍ପନୀତି, ସହଜ ପ୍ରକ୍ରିୟା ଏବଂ ସୁଦୃଢ଼ ଭିତିଭୂମିକ ବିକାଶ ଯୋଗୁ ଓଡ଼ିଶା ଆଜି ଦେଶରେ ଶ୍ରେଷ୍ଠ ଆକର୍ଷଣୀୟ ପୁଂଜିନିବେଶ ଲକ୍ଷ୍ୟସ୍ଥଳ ଭାବେ ସଫଳତାର ସହ ଉଭା ହୋଇଛି।

ଓଡ଼ିଶା ସରକାରଙ୍କ ସହଯୋଗରେ କେନ୍ଦ୍ରାପଡ଼ାଠାରେ ଏକ ସମନ୍ୱିତ ଷ୍ଟିଲ କମ୍ପେ୍ଲକ୍ସ ପ୍ରତିଷ୍ଠା କରି ବହୁତ ଆନନ୍ଦିତ ବୋଲି ଉଲ୍ଲେଖ କରି ଶ୍ରୀ ମିତ୍ତଲ କହିଛନ୍ତି ଯେ ଓଡ଼ିଶାରେ ଆର୍ସେଲର ମିତଲ ନିଅନ ଷ୍ଟିଲ୍ ର ପାରାଦୀପଠାରେ ଥିବା ୬ ଏମ୍‌ଟିପିଏ କ୍ଷମତାବିଶିଷ୍ଟ ପେଲେଟାଇଜେସନ୍ ପ୍ଲାଂଟ ସହିତ ଏହାର କ୍ଷମତା ୧୨ ଏମ୍‌ଟିପିଏକୁ ବୃଦ୍ଧି ପାଇବ ଏବଂ କେଉଁଝରଠାରେ ଥିବା ଲାଭକାରୀ କମ୍ପେ୍ଲକ୍ସ ଏବଂ ସ୍ଲରି ପାଇପଲାଇନ୍ ପୂର୍ବରୁ କାର୍ଯ୍ୟକ୍ଷମ ଅଛି। ସେ ପୁଣି କହିଛନ୍ତି ଯେ ଓଡ଼ିଶାର ସରକାରଙ୍କ ତ୍ୱରିତ କାର୍ଯ୍ୟପ୍ରଣାଳିରେ ସେ ବହୁତ ଆନନ୍ଦିତ, ଯାହା ତାଙ୍କର ବିଶ୍ୱବ୍ୟାପୀ ଅଭିଜ୍ଞତା ଆଧାରରେ ସର୍ବଶ୍ରେଷ୍ଠ।

ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଏବଂ ଆର୍ସେଲର ମିତଲ ନିନ୍ତ୍ରନ ଷ୍ଟିଲ୍‌, ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲ୍ଲୀପ ଓମେନ୍ ଙ୍କ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ। ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-‘ଟି’) ଏବଂ ରାଜ୍ୟ ସରକାରଙ୍କ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ।

ଏହା ପୂର୍ବରୁ ଶ୍ରୀ ମିତ୍ତଲ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଥିଲେ।

ସୂଚନାଯୋଗ୍ୟଯେ, ମାର୍ଚ୍ଚ ୨ ତାରିଖରେ ଲକ୍ଷ୍ମୀନିବାସ ମିତ୍ତଲ ଏବଂ ସିଇଓ ଆଦିତ୍ୟ ମିତ୍ତଲ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଥିଲେ। ଓଡ଼଼ିଶାରେ ଇସ୍ପାତ ଉତ୍ପାଧନ ବୃଦ୍ଦି ନେଇ ଆଲୋଚନା କରିଥିଲେ।