Odiapua.com

ଦିଲ୍ଲୀରେ ୪୪, ୦୦୦ ରୁ ଅଧିକ କରୋନା ଆକ୍ରାନ୍ତ

ନୂଆ ଦିଲ୍ଲୀ ୧୭-୬ (ଓଡ଼ିଆ ପୁଅ) ମଙ୍ଗଳବାର ଦିନ ଦିଲ୍ଲୀରେ ୧, ୮୫୯ ଟି ନୂଆ କରୋନା ରିପୋର୍ଟ ହୋଇଥିବା ବେଳେ ଏଠାରେ ମୋଟ ସଂକ୍ରମଣ ସଂଖ୍ୟା ୪୪, ୦୦୦ ଅତିକ୍ରମ କରିଛି। ଏହା ସହ ମଙ୍ଗଳବାର ରାଜଧାନୀରେ ମହାମାରୀରୁ ମୃତ୍ୟୁ ସଂଖ୍ୟା ୧, ୮୩୭ କୁ ବୃଦ୍ଧି ପାଇଛି।

ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଜାରି ହୋଇଥିବା ସ୍ୱାସ୍ଥ୍ୟ ବୁଲେଟିନ୍ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ -୧୯ ରେ ୯୩ ରୋଗୀଙ୍କର ମୃତ୍ୟୁ ହୋଇଥିବାବେଳେ ୧୮୫୯ ଟି ନୂତନ ସଂକ୍ରମଣ ରିପୋର୍ଟ ହୋଇଥିବା ଜଣାଯାଇଛି।

ବୁଲେଟିନ୍ ଅନୁଯାୟୀ, ଦିଲ୍ଲୀରେ ମହାମାରୀରେ ମୃତ୍ୟୁ ସଂଖ୍ୟା ୧୮୩୭ କୁ ବୃଦ୍ଧି ପାଇଛି ଏବଂ ମୋଟ ସଂକ୍ରମଣ ସଂଖ୍ୟା ୪୪, ୬୮୮ କୁ ବୃଦ୍ଧି ପାଇଛି।

ଏହା କିଛି ସମୟ ପୂର୍ବରୁ ଆମ୍ ଆଦମୀ ପାର୍ଟିର ବିଧାୟିକା ଆତିଶି କରୋନାଭାଇରସ୍ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଥିଲା। ତାଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ସେ ଏବେ ନିଜ ଘରେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି।

ସୂଚନାଯୋଗ୍ୟଯେ, ପୂର୍ବରୁ ପାର୍ଟିର ସହକର୍ମୀ ତଥା ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କର ଜ୍ୱର ଏବଂ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ଏବେ ଅକ୍ସିଜେନ୍ ସହାୟତାରେ ହସ୍ପିଟାଲରେ ଅଛନ୍ତି। କିନ୍ତୁ ତାଙ୍କର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି।

ଏହା ପୂର୍ବରୁ ଜୁନ୍ ୯ ରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ସାମାନ୍ୟ ଜ୍ୱର ଏବଂ ଗଳା ଯନ୍ତ୍ରଣା ଅଭିଯୋଗ କରିବା ପରେ କରୋନାଭାଇରସ୍ ଟେଷ୍ଟ କରାଯାଇଥିଲା ଏବଂ ତାଙ୍କର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିଲା।