Odiapua.com

ଆଗାମୀ ତିନି ଦିନରେ ୫୩ ଲକ୍ଷରୁ ଅଧିକ ଡୋଜ ଅତିରିକ୍ତ ଟିକା ପ୍ରଦାନ କରାଯିବ

ନୂଆଦିଲ୍ଲୀ: ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହାୟତାରେ ଭାରତ ସରକାର ‘ସର୍ବାଙ୍ଗୀନ ସରକାର’ ଆଭିମୁଖ୍ୟ ନେଇ କୋଭିଡ- ୧୯ ମହାମାରୀ ବିରୋଧୀ ଲଢ଼େଇରେ ନେତୃତ୍ୱ ନେଉଛନ୍ତି। ପରୀକ୍ଷଣ, ଟ୍ରେସିଂ, ଚିକିତ୍ସା ଓ କୋଭିଡ ନିୟମାବଳୀ ପାଳନ ଆଦି ସହ ଟିକାକରଣ ମହାମାରୀ ନିୟନ୍ତ୍ରଣ ଓ ପ୍ରବନ୍ଧନ ପାଇଁ ଭାରତ ସରକାରଙ୍କ ପଞ୍ଚ ସୂତ୍ରୀ ରଣନୀତିର ଅଭିନ୍ନ ଅଙ୍ଗ। କୋଭିଡ- ୧୯ ଟୀକାକରଣର ଉଦାର ଓ ତ୍ୱରିତ ତୃତୀୟ ପର୍ଯ୍ୟାୟ ରଣନୀତି ୧, ମଇ ୨୦୨୧ରୁ ଆରମ୍ଭ ହୋଇଛି। ନୂତନ ଯୋଗ୍ୟ ଜନସଂଖ୍ୟା ସମୂହ ପାଇଁ ଟିକାକରଣ ପଞ୍ଜିକରଣ ଏପ୍ରିଲ ୨୮ରୁ ଆରମ୍ଭ ହୋଇଛି। ସମ୍ଭାବ୍ୟ ହିତାଧିକାରୀମାନେ ସିଧାସଳଖ କୋୱିନ ପୋର୍ଟାଲ (cowin.gov.in) କିମ୍ବା ଆରୋଗ୍ୟ ସେତୁ ଆପ୍‌ରେ ପଞ୍ଜିକରଣ କରିପାରିବେ। ଭାରତ ସରକାର ଏପର୍ଯ୍ୟନ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ବିନାମୂଲ୍ୟରେ ୧୭.୪୯ କୋଟିରୁ ଅଧିକ (୧୭,୪୯,୫୭,୭୭୦) ଟିକା ଡୋଜ ପ୍ରଦାନ କରି ସାରିଲେଣି। ଆଜି ସକାଳ ୮ଟା ପର୍ଯ୍ୟନ୍ତ ହସ୍ତଗତ ତଥ୍ୟ ଅନୁଯାୟୀ ଏଥିରୁ ସମୁଦାୟ ୧୬,୬୫,୪୯,୫୮୩ ଡୋଜ (ଏଥିରେ ନଷ୍ଟ ହୋଇଥିବା ଡୋଜ ମଧ୍ୟ ସାମିଲ ଅଛି) ପ୍ରଦାନ କରାଯାଇଛି। ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ନିକଟରେ ୮୪ ଲକ୍ଷରୁ ଅଧିକ (୮୪,୦୮,୧୮୭) ଡୋଜ ଟିକାକରଣ ପାଇଁ ଉପଲବ୍ଧ ଅଛି। କିଛି ରାଜ୍ୟ ଯୋଗାଣ ତୁଳନାରେ ଅଧିକ ଟୀକା ଉପଯୋଗ (ନଷ୍ଟ ହୋଇଥିବା ଡୋଜ ସମେତ) ହୋଇଥିବା ଦର୍ଶାଇଛନ୍ତି। ତେବେ ସେମାନେ ସଶସ୍ତ୍ର ସେନାକୁ ଯୋଗାଇ ଦିଆଯାଇଥିବା ଟିକା ହିସାବକୁ ନେଇ ନାହାନ୍ତି। ଏହା ସହିତ ଆଗାମୀ ତିନ ଦିନ ମଧ୍ୟରେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକୁ ଅତିରିକ୍ତ ୫୩ ଲକ୍ଷ (୫୩,୨୫,୦୦୦) ଟିକା ଡୋଜ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି।
-@Dr