Odiapua.com

କେନ୍ଦ୍ର ସରକାରଙ୍କ ଦ୍ଵାରା ୨ କୋଟିରୁ ଅଧିକ ଏନ୯୫ ମାସ୍କ ଏବଂ ୧ କୋଟିରୁ ଅଧିକ ପିପିଇ କିଟ ରାଜ୍ୟମାନଙ୍କୁ ମାଗଣାରେ ବଣ୍ଟାଯାଇଛି

ନୂଆ ଦିଲ୍ଲୀ ୪-୭ (ଓଡ଼ିଆ ପୁଅ) ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ସହ କେନ୍ଦ୍ର ସରକାର କୋଭିଡ-୧୯କୁ ପ୍ରତିରୋଧ, ଧାରଣ ଏବଂ ପରିଚାଳନା ପାଇଁ ନିରନ୍ତର ଭାବେ କାର୍ଯ୍ୟ କରିଆସୁଛନ୍ତି। ମହାମାରୀର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରିବାରେ କେନ୍ଦ୍ର ସରକାରଙ୍କ ପ୍ରମୁଖ ଭୂମିକା ରହିଛି।

କୋଭିଡ-୧୯ ସୁବିଧା ବୃଦ୍ଧି ସହିତ, ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ସେମାନଙ୍କ ଉଦ୍ୟମକୁ ପ୍ରୋତ୍ସାହନ ଦେବାଲାଗି କେନ୍ଦ୍ର ସରକାର ମାଗଣାରେ ଚିକିତ୍ସା ଯୋଗାଣ ଉପଲବ୍ଧ କରାଉଛି। ଭାରତ ସରକାରଙ୍କ ଦ୍ଵାରା ଯୋଗାଇ ଦିଆଯାଉଥିବା ଅଧିକାଂଶ ଉତ୍ପାଦ ଦେଶରେ ଉତ୍ପାଦିତ ହେଉ ନଥିଲା ଏବଂ ମହାମାରୀ କାରଣରୁ ବିଶ୍ଵରେ ଏଗୁଡ଼ିକର ଚାହିଦା ଅଧିକ ରହିଥିଲା ଯାହା ଫଳରେ ବିଦେଶୀ ବଜାରରେ ଉପଲବ୍ଧତାରେ ଅଭାବ ଦେଖାଦେଇଥିଲା।

ତଥାପି, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ବୟନ ଏବଂ ଫାର୍ମାସ୍ୟୁଟିକାଲ୍ସ ମନ୍ତ୍ରଣାଳୟ, ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ, ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ଏବଂ ଅନ୍ୟାନ୍ୟଙ୍କ ମିଳିତ ପ୍ରୟାସରେ ଏହି ଅବଧି ମଧ୍ୟରେ ଘରୋଇ ଶିଳ୍ପକୁ ପିପିଇ, ଏନ୯୫ ମାସ୍କ, ଭେଣ୍ଟିଲେଟର ଇତ୍ୟାଦି ଅତ୍ୟାବଶ୍ୟକ ଚିକିତ୍ସା ଉପକରଣ ଉତ୍ପାଦନ ଏବଂ ଯୋଗାଣ ପାଇଁ ଉତ୍ସାହିତ କରାଯାଇଛି। ଫଳରେ, ‘ଆତ୍ମନିର୍ଭର ଭାରତ’ ଏବଂ ‘ମେକ ଇନ ଇଣ୍ଡିଆ’ ଅଧିକ ଶକ୍ତିଶାଳୀ ହୋଇଛି ଏବଂ ଭାରତ ସରକାରଙ୍କ ଦ୍ୱାରା ଯୋଗାଇ ଦିଆ ଯାଇଥିବା ଅଧିକାଂଶ ସାମଗ୍ରୀ ଘରୋଇ ଉତ୍ପାଦିତ।

ଏପ୍ରିଲ ୧, ୨୦୨୦ ଠାରୁ, କେନ୍ଦ୍ର ୨.୦୨ କୋଟିରୁ ଅଧିକ ଏନ୯୫ ମାସ୍କ ଏବଂ ୧.୧୮ କୋଟିରୁ ଅଧିକ ପିପିଇ କିଟ ସମସ୍ତ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ / କେନ୍ଦ୍ରୀୟ ଅନୁଷ୍ଠାନକୁ ମାଗଣାରେ ଯୋଗାଇ ଦେଇଛି। ଆହୁରି ମଧ୍ୟ, ସେମାନଙ୍କୁ ୬.୧୨ କୋଟିରୁ ଅଧିକ HCQ ବଟିକା ବଣ୍ଟନ କରାଯାଇଛି।

ଏହାସହିତ, ଏପର୍ଯ୍ୟନ୍ତ ୧୧, ୩୦୦ ‘ମେକ ଇନ ଇଣ୍ଡିଆ’ ଭେଣ୍ଟିଲେଟର ବିଭିନ୍ନ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ / କେନ୍ଦ୍ରୀୟ ଅନୁଷ୍ଠାନକୁ ପଠାଯାଇଛି, ସେଥିମଧ୍ୟରୁ ୬୧୫୪ ଭେଣ୍ଟିଲେଟର ବିଭିନ୍ନ ଡାକ୍ତରଖାନାକୁ ପଠାଯାଇଛି। ଭାରତ ସରକାର ମଧ୍ୟ ସେମାନଙ୍କର ସ୍ଥାପନ / ସମ୍ପାଦନକୁ ସୁନିଶ୍ଚିତ କରାଇଛନ୍ତି। ଏହା କୋଭିଡ ଆଇସିୟୁରେ ଭେଣ୍ଟିଲେଟର ଉପଲବ୍ଧତାର ବ୍ୟାପକ ବ୍ୟବଧାନକୁ ଦୂର କରିବାରେ ସାହାଯ୍ୟ କରିବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ମଧ୍ୟ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳକୁ ୧.୦୨ ଲକ୍ଷ ଅମ୍ଳଜାନ ସିଲିଣ୍ଡର ଯୋଗାଇଛନ୍ତି, ଯାହାମଧ୍ୟରୁ ୭୨, ୨୯୩ଟି ଅମ୍ଳଜାନ ଶଯ୍ୟାକୁ ସୁଦୃଢ କରିବା ଲାଗି ଯୋଗାଇ ଦିଆଯାଇଛି।

ଆଜିପର୍ଯ୍ୟନ୍ତ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ଵାରା ଦିଲ୍ଲୀକୁ ୭.୮୧ ଲକ୍ଷ ପିପିଇ କିଟ ଓ ୧୨.୭୬ ଲକ୍ଷ ଏନ୯୫ ମାସ୍କ, ମହାରାଷ୍ଟ୍ରକୁ ୧୧.୭୮ ଲକ୍ଷ ପିପିଇ କିଟ ଓ ୨୦.୬୪ ଲକ୍ଷ ଏନ୯୫ ମାସ୍କ ଏବଂ ତାମିଲନାଡୁକୁ ୫.୩୯ ଲକ୍ଷ ପିପିଇ କିଟ ଓ ୯.୮୧ ଲକ୍ଷ ଏନ୯୫ ମାସ୍କ ଯୋଗାଇ ଦିଆଯାଇଛି।

କୋଭିଡ-୧୯ ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA।

ଏ ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid19@gov.in ଏବଂ ncov2019@gov.in ଏବଂ @CovidIndiaSeva କୁ ପଠାଇ ପାରିବେ।

କୋଭିଡ-୧୯ ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + ୯୧-୧୧-୨୩୯୭୮୦୪୬ କିମ୍ବା ୧୦୭୫ (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-୧୯ ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ।

https://www.mohfw.gov.in/pdf/coronvavirushelplinenumber.pdf