ଭୁବନେଶ୍ୱର: ଗୋଟିଏ ସାଧାରଣ ନିମ୍ନ ମଧ୍ୟବିତ ପରିବାରରୁ ଆସି ଉଚ୍ଚ ଶିକ୍ଷା ପ୍ରାପ୍ତ କରି କଳାହାଣ୍ଡି ଜିଲ୍ଲା ମହାଲିଙ୍ଗସ୍ଥିତ ସନସାଇନ ସ୍କୁଲର ଅଧ୍ୟକ୍ଷା ହୋଇଥିବା ୨୪ ବର୍ଷୀୟା ମମିତା ମେହେରଙ୍କୁ ଷଡ଼ଯନ୍ତ୍ର କରି ଅତ୍ୟନ୍ତ ଜଘନ୍ୟ ଭାବେ ହତ୍ୟା କରାଯାଇଛି। ଏହା ଅତ୍ୟନ୍ତ ଦୁଃଖଦାୟକ ଓ ଲଜ୍ଜାଜନକ ଘଟଣା। ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କ ଘନିଷ୍ଠ ସଂପର୍କ ସମସ୍ତଙ୍କୁ ଜଣା ଅଛି। ନିଖୋଜ ପ୍ରସଙ୍ଗରେ ମମିତାଙ୍କ ପରିବାରବର୍ଗଙ୍କ ଏତଲାକୁ ଥାନାରେ ଗ୍ରହଣ ନକରିବା, ପରବର୍ତ୍ତୀ ସମୟରେ ଗୋବିନ୍ଦ ସାହୁଙ୍କ ପ୍ରରୋଚନାରେ ଏତଲା ରଖିବା, ଗୋବିନ୍ଦ ସାହୁଙ୍କୁ ଗିରଫ କରାଯାଇ ପୋଲିସ ବ୍ୟାରେକରେ ରଖିବା, ପୋଲିସ ବ୍ୟାରେକରୁ ଅତି ଉଚ୍ଚ ପାଚେରୀ ଡେଇଁ ଅଭିଯୁକ୍ତ ଚମ୍ପଟ ମାରିବା, ଚମ୍ପଟ ମାରିବା ସମୟରେ ବିଜୁଳି କାଟ୍ ହେବା, ଫୋରେନସିକ୍ ରିପୋର୍ଟ ଆସିନଥିବାବେଳେ ଉଦ୍ଧାର ହୋଇଥିବା ମମିତାଙ୍କ ମୃତ ଶରୀରର ଅଂଶ ବିଶେଷକୁ ପରିବାରକୁ ହସ୍ତାନ୍ତର କରିବା ଆଦି ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କର ସଂପୃକ୍ତି ପ୍ରମାଣିତ ହେଉଛି। ସେହିପରି ମନ୍ତ୍ରୀ ଦିବ୍ୟଶଂକର ମିଶ୍ର ବରାବର ସେହି ସ୍କୁଲକୁ ଯିବା ସହ ଲକ୍ଷ ଲକ୍ଷ ଟଙ୍କାର ସରକାରୀ ଅନୁଦାନ ଯୋଗାଇ ଦେଉଥିଲେ। ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ମନ୍ତ୍ରୀ ଦିବ୍ୟଶଂକରଙ୍କ ସହିତ ବରାବର ଲୋକସେବା ଭବନକୁ ଯାଉଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଭେଟିଛନ୍ତି। ତାଙ୍କର ଗୁମର ଖୋଲିଦେବାର ମମିତା ବାରମ୍ବାର ଧମକ ଦେଉଥିଲେ ବୋଲି ଗୃହମନ୍ତ୍ରୀଙ୍କ ଅତ୍ୟନ୍ତ ଖାସ୍ ବୋଲାଉଥିବା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସ୍ୱୀକାର ମଧ୍ୟ କରିଛି। ଏହି ବର୍ବରୋଚିତ ହତ୍ୟାକାଣ୍ଡକୁ ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ ହେଉଛି। ଦିବ୍ୟଶଂକର ମିଶ୍ର ଗୃହ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ପଦରେ ରହିଲେ ମମିତା ହତ୍ୟାକାଣ୍ଡର ସଂପୂର୍ଣ୍ଣ ନିରପେକ୍ଷ ତଦନ୍ତ ଅସମ୍ଭବ। ମା’ ମାଣିକେଶ୍ୱରୀ ଏବଂ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାଁ ନେଇ ନୈତିକତା ଦୃଷ୍ଟିରୁ ଦିବ୍ୟଶଂକର ନିଜ ମନ୍ତ୍ରୀ ପଦ ତ୍ୟାଗ କରି ତଦନ୍ତକୁ ସାମ୍ନା କରିବା ଉଚିତ୍। ନଚେତ୍ ଏଭଳି ଜଘନ୍ୟ ଅପରାଧର ମୁଖ୍ୟ ଷଡ଼ଯନ୍ତ୍ରକାରୀ ମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ତୁରନ୍ତ ବହିଷ୍କାର କରିବାକୁ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସଭାନେତ୍ରୀ ଶ୍ରୀମତୀ ବନଥୀ ଶ୍ରୀନିବାସନ ଦାବି କରିଛନ୍ତି। ମୃତ ଶିକ୍ଷୟିତ୍ରୀ ମମିତାଙ୍କ ପରିବାରବର୍ଗ ବର୍ତମାନ ଦୁଃଖରେ ଭାଙ୍ଗି ପଡ଼ିବା ସହିତ ଭୟରେ ଦିନ ଅତିବାହିତ ଅଛନ୍ତି। ଏପରିକି ଗଣମାଧ୍ୟମ ଓ ସାଧାରଣ ଲୋକଙ୍କୁ ଭେଟିବାକୁ ଭୟ କରୁଛନ୍ତି। ନ୍ୟାୟ ଆଶାରେ ଥିବା ମୃତ ମମିତାଙ୍କ ପରିବାରକୁ ବର୍ତ୍ତମାନ ସୁଦ୍ଧା ସରକାରୀ ସ୍ତରରେ କୈାଣସି ଆର୍ଥିକ ସହାୟତା ମିଳି ନାହିଁ। ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ମୃତ ମମିତାଙ୍କ ପରିବାରକୁ ସମସ୍ତ ପ୍ରକାରର ସ୍ୱାସ୍ଥ୍ୟଭିତିକ ସୁବିଧା ସୁଯୋଗ, ଆର୍ଥିକ ସହାୟତା ସମେତ ସୁରକ୍ଷା ଯୋଗାଇ ଦେବା ନିହାତି ଆବଶ୍ୟକ। ଓଡ଼ିଶା ସମେତ ଦେଶର ୨୪ ଟି ରାଜ୍ୟରେ ଏଭଳି ଘଟଣାରେ Victim Compensation Fund ରୁ ଅନୁକମ୍ପା ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା ଥିଲେ ମଧ୍ୟ ମମିତାଙ୍କ ପରିବାରକୁ ଏହି ଅର୍ଥ ପ୍ରଦାନ କରାଯାଇନାହିଁ। ସେହିପରି Witness Protection Scheme ଆଧାରରେ ଏହି ଘଟଣାର ସମସ୍ତ ସାକ୍ଷୀମାନଙ୍କୁ ସୁରକ୍ଷା ପ୍ରଦାନ କରାଯିବାକୁ ପ୍ରତିନିଧି ଦଳର ସଦସ୍ୟା ବିଧାୟିକା ଶ୍ରୀରୁପା ମିତ୍ର ଚୈାଧୁରୀ ଦାବି କରିଛନ୍ତି।ଓଡ଼ିଶାରେ ମହିଳା ହିଂସା ଓ ନିର୍ଯ୍ୟାତନାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ କୈାଣସି ଆନ୍ତରିକତା ନାହିଁ।
-@Dr