Odiapua.com

ଆତ୍ମନିର୍ଭର ପ୍ରୟାସରେ ପ୍ରତିରକ୍ଷା ମନ୍ତ୍ରଣାଳୟର ବଡ଼ ପଦକ୍ଷେପ – ନିର୍ଦ୍ଧାରିତ ସମୟସୀମା ବାହାରେ ୧୦୧ଟି ସାମଗ୍ରୀର ଆମଦାନୀ ଉପରେ କଟକଣା ଲାଗିଲା

– ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ସ୍ୱଦେଶୀ ଉଦ୍ୟମକୁ ପ୍ରୋତ୍ସାହନ ବ୍ୟବସ୍ଥା

ନୂଆ ଦିଲ୍ଲୀ ୧୦-୮ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚଳିତବର୍ଷ ମେ ୧୨ ତାରିଖରେ ଆତ୍ମନିର୍ଭର ଭାରତ ଗଠନ ପାଇଁ ରାଷ୍ଟ୍ର ଉଦ୍ଦେଶ୍ୟରେ ଯେଉଁ ବାର୍ତ୍ତା ଦେଇଥିଲେ ସେଥିରେ ୫ଟି କ୍ଷେତ୍ର ଗୁରୁତ୍ୱ ପାଇଥିଲା। ସେଗୁଡିକ ହେଲା ଅର୍ଥନୀତି, ଭିତ୍ତିଭୂମି, ବ୍ୟବସ୍ଥା, ଲୋକସାଂକ୍ଷିକ ସାମର୍ଥ୍ୟ ଓ ଚାହିଦା। ଏହି ୫ଟି ବିଷୟକୁ ସ୍ତମ୍ଭ ଆକାରରେ ନେଇ ତା ଉପରେ ଆତ୍ମନିର୍ଭର ଭାରତ ଗଢିବାକୁ ପ୍ରଧାନମନ୍ତ୍ରୀ କହିଥିଲେ। ଏହାଛଡା ସେ ଆତ୍ମନିର୍ଭର ଭାରତ ଗଢିବା ପାଇଁ ଏକ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ମଧ୍ୟ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି ବାର୍ତ୍ତାରୁ ସୂତ୍ର ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟର ସାମରିକ ବ୍ୟାପାର ବିଭାଗ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବାକୁ ପ୍ରୟାସ ଆରମ୍ଭ କରିଛି। ନୂଆ ନିଷ୍ପତ୍ତିକ୍ରମେ ନିର୍ଦ୍ଧାରିତ ସମୟସୀମା ବାହାରେ ୧୦୧ଟି ପ୍ରତିରକ୍ଷା ସାମଗ୍ରୀ ଆମଦାନୀ ଉପରେ କଟକଣା ଲାଗୁ କରାଯାଇଛି।

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାପାଇଁ ଏହା ଏକ ବଡ ପଦକ୍ଷେପ। ଏହା ମଧ୍ୟ ଭାରତୀୟ ଉଦ୍ୟୋଗୀ ଓ ଉତ୍ପାଦକଙ୍କୁ ଏକ ବଡ ସୁଯୋଗ ଦେଇଛି। ସେମାନେ ଏହାର ସଦୁପଯୋଗ କରି ଏସବୁ ସାମଗ୍ରୀର ଉତ୍ପାଦନ କରିପାରିଲେ ଦେଶ ଆତ୍ମନିର୍ଭରଶୀଳ ହେବା ସହ ନିଜେ ମଧ୍ୟ ଉପକୃତ ହୋଇପାରିବେ। ଏଥିପାଇଁ ସେମାନଙ୍କୁ ନିଜର ଡିଜାଇନ ଓ ନିର୍ମାଣ କୌଶଳ ବିକଶିତ କରିବାକୁ ପଡିବ। ସେମାନେ ଚାହିଁଲେ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା (ଡିଆରଡିଓ) ଦ୍ୱାରା ବିକଶିତ ଟେକ୍‌ନୋଲଜିକୁ ମଧ୍ୟ ଏ କ୍ଷେତ୍ରରେ ବ୍ୟବହାର କରିପାରିବେ।

ସେନା, ବାୟୁସେନା, ନୌସେନା, ଡିଆରଡିଓ, ଡିଫେନ୍ସ ପବ୍ଳିକ୍‌ ସେକ୍ଟର ଅଣ୍ଡରଟେକିଂ, ଅର୍ଡାନ୍‌ସ ଫ୍ୟାକ୍ଟ୍ରି ବୋର୍ଡ ସମେତ ବିଭିନ୍ନ ସଂପୃକ୍ତ ପକ୍ଷଙ୍କ ସହିତ ବ୍ୟାପକ ବିଚାର ବିମର୍ଶ ପରେ ପ୍ରତିରକ୍ଷା ମନ୍ତ୍ରଣାଳୟ କେଉଁ କେଉଁ ପ୍ରତିରକ୍ଷା ଉପକରଣ ଆମଦାନୀକୁ ନିଷିଦ୍ଧ କରାଯିବ ତାହାର ଏକ ତାଲିକା ପ୍ରସ୍ତୁତ କରିଛି। ଭାରତ ପ୍ରାୟ ୨୬୦ ପ୍ରକାର ସାମରିକ ଉପକରଣ ବିଦେଶରୁ ଆମଦାନୀ କରୁଛି। ୨୦୧୫ ଏପ୍ରିଲଠାରୁ ୨୦୨୦ ଅଗଷ୍ଟ ମଧ୍ୟରେ ଭାରତ ପ୍ରାୟ ୩-୫ ଲକ୍ଷ କୋଟି ଟଙ୍କାର ଏସବୁ ସାମଗ୍ରୀ କିଣିଛି। ଏବେ ସରକାର ଯେଉଁ ୧୦୧ଟି ସାମରିକ ଉପକରଣ କ୍ରୟ ଉପରେ ନିଷେଧାଦେଶ ଜାରି କରିଛନ୍ତି ତଦ୍ଦ୍ୱାରା ଆଗାମୀ ୫ରୁ ୭ ବର୍ଷ ମଧ୍ୟରେ ଭାରତ ପ୍ରାୟ ୪ଲକ୍ଷ କୋଟି ଟଙ୍କା ବଞ୍ଚାଇପାରିବ। ସେହି ଅର୍ଥ ଭାରତୀୟ ଉଦ୍ୟୋଗରେ ବିନିଯୋଗ ହେଲେ ଏବଂ ଦେଶୀ ସାମଗ୍ରୀ ଭାରତ କିଣିଲେ ଦେଶର ଅର୍ଥନୀତି ଲାଭବାନ ହେବା ସହ ଭାରତ ଏ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରିବ।

ଆସନ୍ତା ୫ରୁ ୭ ବର୍ଷ ମଧ୍ୟରେ ଭାରତ ଏସବୁ ସାମଗ୍ରୀ କିଣିବା ପାଇଁ ଦେଶୀ ଉଦ୍ୟୋଗୀଗୁଡିକୁ ବରାଦ ଦେଲେ ଏ ବାବଦରେ ସଂପୃକ୍ତ ଉଦ୍ୟୋଗକୁ ବିପୁଳ ଅର୍ଥ ମିଳିବ। ଏକ ହିସାବ ଅନୁସାରେ ଆଗାମୀ ୭ ବର୍ଷ ମଧ୍ୟରେ ଉଭୟ ସ୍ଥଳ ଓ ବାୟୁସେନା ପ୍ରତ୍ୟେକ ୧, ୩୦, ୦୦୦ କୋଟି ଟଙ୍କାର ସାମଗ୍ରୀ କିଣିବାକୁ ବରାଦ ଦେବେ। ସେହିଭଳି ନୌସେନା ପକ୍ଷରୁ ମଧ୍ୟ ଏହି ସମୟରେ ୧, ୪୦, ୦୦୦ କୋଟି ଟଙ୍କାର ସାମଗ୍ରୀ କିଣାଯିବ।

ଯେଉଁ ୧୦୧ଟି ସାମରିକ ସାମଗ୍ରୀ ଉପରେ କଟକଣା ଜାରି କରାଯାଇଛି ସେଥିରେ କେତେକ ଉଚ୍ଚମାନ ଓ ଜ୍ଞାନକୌଶଳର ଅସ୍ତ୍ରଶସ୍ତ୍ର ମଧ୍ୟ ରହିଛି। ସେଥିମଧ୍ୟରେ ଆର୍ଟିଲେରି ଗନ୍‌, ଆସଲ୍‌ର୍ଟ ରାଇଫଲ୍‌, କର୍ଭେଟସ, ସୋନାର ସିଷ୍ଟମ, ପରିବହନ ବିମାନ, ହାଲୁକା ଲଢୁଆ ବିମାନ, ରେଡାର ଏବଂ ଆହୁରି କିଛି ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ରଶସ୍ତ୍ର ଓ ଉପକରଣ ରହିଛି। ଏସବୁ ଆମ ପ୍ରତିରକ୍ଷାବାହିନୀ ପାଇଁ ବିଶେଷ ଉପଯୋଗୀ। ଆହୁରି ମଧ୍ୟ ଏଏଫ୍‌ଭି ସାଞ୍ଜୁଆ ଗାଡ଼ିର ଆମଦାନୀ ୨୦୨୧ ଡିସେମ୍ବର ପରେ ଆଉ ହେବନାହିଁ। ଏବେ ୫ ହଜାର କୋଟି ଟଙ୍କା ବ୍ୟୟରେ ୨୦୦ଟି ଏଭଳି ଗାଡି କିଣିବାକୁ ସ୍ଥଳସେନା ଚୁକ୍ତିବଦ୍ଧ ହୋଇସାରିଛି। ଏହି ଲଢୁଆ ଗାଡି ପହଞ୍ଚିବା ପରେ ଆଉ ବିଦେଶରୁ ତାହା ଆମଦାନୀ ହେବନାହିଁ। ସେହିଭଳି ନୌସେନା ପକ୍ଷରୁ ମଧ୍ୟ ୨୦୨୧ ଡିସେମ୍ବର ପରେ ନୂଆ ବୁଡାଜାହାଜ କିଣିବା ଉପରେ କଟକଣା ଲାଗିଛି। ବର୍ତ୍ତମାନର ବ୍ୟବସ୍ଥା ଅନୁସାରେ ୨୦୨୧ ମଧ୍ୟରେ ଭାରତ ୪୨ ହଜାର କୋଟି ଟଙ୍କା ବ୍ୟୟରେ ୬ଟି ବୁଡାଜାହାଜ କିଣିବାକୁ ଚୁକ୍ତିବଦ୍ଧ ହେବାକୁ ଯାଉଛି। ସେହିଭଳି ବାୟୁସେନା ପାଇଁ ଯେଉଁ କ୍ରୟ କଟକଣା ବ୍ୟବସ୍ଥା ଲାଗୁ ହୋଇଛି ତଦନୁସାରେ ୨୦୨୦ ଡିସେମ୍ବର ପରେ ଏହା କୌଣସି ଏମ୍‌କେଏକେ-୧ଏ ହାଲ୍‌କା ଲଢୁଆ ବିମାନ ଆମଦାନୀ କରିପାରିବ ନାହିଁ। ତେବେ ତା ପୂର୍ବରୁ ୧୨୩ଟି ଏଭଳି ବିମାନ ଭାରତ ୮୫ ହଜାର କୋଟି ଟଙ୍କା ବ୍ୟୟରେ ବିଦେଶରୁ ସଂଗ୍ରହ କରିବାକୁ ଚୁକ୍ତିବଦ୍ଧ ହୋଇଛି। ଅତଏବ ଏଭଳି ବହୁତ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ରଶସ୍ତ୍ର ଓ ଉପକରଣ ଆମଦାନୀ ଉପରେ କଟକଣା ଜାରି କରାଯାଇଛି। ଏହାଫଳରେ ଏହିସବୁ ସାମଗ୍ରୀ ଭାରତରେ ଉତ୍ପାଦନ କରିବା ପାଇଁ ବିପୁଳ ସୁଯୋଗ ସୃଷ୍ଟି ହୋଇଛି।

ଏହି ନିଷେଧାଦେଶ କ୍ରମାନ୍ୱୟରେ ୨୦୨୦ରୁ ୨୦୨୪ ମଧ୍ୟରେ କାର୍ଯ୍ୟକାରୀ ହେବ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଭାରତୀୟ ପ୍ରତିରକ୍ଷା ଉଦ୍ୟୋଗକୁ ଦେଶୀ ଅସ୍ତ୍ରଶସ୍ତ୍ର ଓ ଉପକରଣର ଆନୁମାନିକ ଆବଶ୍ୟକତା ସଂପର୍କରେ ଅବଗତ କରାଇବା ଏବଂ ସେସବୁର ଉତ୍ପାଦନ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରିବା। ପ୍ରତିରକ୍ଷା ଉଦ୍ୟୋଗକୁ ଦେଶୀ ଜ୍ଞାନକୌଶଳ ଦ୍ୱାରା ସମୃଦ୍ଧ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି। ବିଶେଷକରି ଯେଉଁସବୁ ସାମଗ୍ରୀର ଆମଦାନୀ ନିଷିଦ୍ଧ କରାଯାଇଛି ସେଥିରେ ଆତ୍ମନିର୍ଭରଶୀଳ ହେବା ଏବଂ ଉତ୍ତମ ମାନର ସାମଗ୍ରୀ ଉତ୍ପାଦନ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଯେଉଁସବୁ ଉଦ୍ୟୋଗ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ପାଇଁ ଆଗ୍ରହୀ ସେମାନଙ୍କୁ ବ୍ୟବସାୟର ସୁବିଧା ପ୍ରଦାନ ସହିତ ଆବଶ୍ୟକ ଦିଗ୍‌ଦର୍ଶନ ଦେବାକୁ ମଧ୍ୟ ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରୟାସ ଆରମ୍ଭ କରିଛି। ଆଗକୁ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରି ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧିକରୁ ଅଧିକ ସାମରିକ ଉପକରଣ ଆମଦାନୀ ନିଷିଦ୍ଧ କରିବାକୁ ବିଚାର କରୁଛି। ସେଥିପାଇଁ ପ୍ରତିରକ୍ଷା ସାମଗ୍ରୀ କ୍ରୟ ନିୟମରେ ମଧ୍ୟ ଆବଶ୍ୟକ ସଂଶୋଧନ କରାଯାଉଛି।

ଆଉ ଏକ ଯଥାର୍ଥ ପଦକ୍ଷେପ ଗ୍ରହଣ କରାଯାଇ ପ୍ରତିରକ୍ଷା ମନ୍ତ୍ରଣାଳୟ ୨୦୨୦-୨୧ ବର୍ଷର କ୍ୟାପିଟାଲ ପ୍ରୋକ୍ୟୁରମେଣ୍ଟ ବଜେଟକୁ ଦୁଇ ଭାଗରେ ବିଭକ୍ତ କରିଛି। ଏହାକୁ ଘରୋଇ ଓ ବିଦେଶୀ କ୍ୟାପିଟାଲ ପ୍ରୋକ୍ୟୁରମେଣ୍ଟ ରୁଟ୍‌ରେ ରଖାଯାଇଛି। ୫୨ ହଜାର କୋଟି ଟଙ୍କାର ଏକ ସ୍ୱତନ୍ତ୍ର ବଜେଟ ବ୍ୟୟବରାଦ କରାଯାଇଛି, ଯାହା କେବଳ ଚଳିତବର୍ଷ ଦେଶୀ ଉଦ୍ୟୋଗରୁ ସାମରିକ ଉପକରଣ ଓ ଯନ୍ତ୍ରପାତି କିଣିବାକୁ ଉଦ୍ଦିଷ୍ଟ।