Odiapua.com

ମୋଦୀଙ୍କ ଓଡ଼ିଶା ଗସ୍ତ – ଏକ ନୂତନ ରାଜନୈତିକ ସମୀକରଣର ଆଭାଷ

ଭୁବନେଶ୍ୱର ୨୪-୧୨ (ଓଡ଼ିଆ ପୁଅ/ପ୍ରିୟରଂଜନ ସାହୁ) ମୋଦୀଙ୍କ ଭରସା ନବୀନ ଶୀର୍ଷକ ଖବର କିଛିଦିନ ତଳେ ଆମେ ପ୍ରକାଶ କରିଥିଲୁ। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଥିଲା ପ୍ରଥମ ଓଡ଼ିଶା ଗସ୍ତ। ଏହି ଗସ୍ତରୁ ବହୁତ କିଛି ତଥ୍ୟ ବାହାରିବ ବୋଲି ରାଜ୍ୟବାସୀ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ। ମାତ୍ର ସେପରି କିଛି ଘଟିଲା ନାହିଁ। ତିନୋଟି ରାଜ୍ୟରେ ବିଜେପିର ପରାଜୟ ପରେ ଏବେ ଅତି ସତର୍କତାର ସହିତ ରାଜନୈତିକ ଗୋଟି ଚାଳନା କରୁଛି ବିଜେପି। ବିଜେପି ବିରୁଦ୍ଧରେ ଲଢ଼ିବା ପାଇଁ କଂଗ୍ରେସ ସହିତ ଦେଶର ଅଧିକାଂଶ ଆଞ୍ଚଳିକ ଦଳ ହାତ ମିଳାଇ ସାରିଛନ୍ତି। ଏହି ପରିପ୍ରେକ୍ଷୀରେ ନବୀନ ପଟ୍ଟନାୟକ ଏପର୍ଯ୍ୟନ୍ତ ତାଙ୍କର ରାଜନୈତିକ କାର୍ଡ ଖୋଲି ନାହାଁନ୍ତି। ୨୦୧୯ ନିର୍ବାଚନରେ ଯଦି ବିଜେପିର ପରିସ୍ଥିତି ଅସମ୍ଭାଳ ହୁଏ ତେବେ ଦଳ ନବୀନଙ୍କୁ ହାତେଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିବ।

ମୋଦୀଙ୍କର ଏହି ଓଡ଼ିଶା ଗ୍ରସ୍ତ ପୂର୍ବରୁ ବିଭିନ୍ନ ଗଣମାଧ୍ୟମରେ ବିଭିନ୍ନ ପ୍ରକାରର ଖବର ପ୍ରକାଶ ପାଉଥିଲା। ରାଜ୍ୟ ବିଜେପିର ନେତୃବୃନ୍ଦ ଓ କର୍ମୀମାନେ ମଧ୍ୟ ଆଶା କରିଥିଲେ ମୋଦୀ ନବୀନ ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବହୁତ କିଛି ବର୍ଷିବେ। ମାତ୍ର ମୋଦୀ ତାଙ୍କ ଭାଷଣରେ ସେପରି କିଛି କହିଲେ ନାହିଁ। ମୋଦୀଙ୍କର ଏହି ଅବିଭାଷଣରେ ରାଜ୍ୟର ନେତୃବୃନ୍ଦ ମଧ୍ୟ ବିଚଳିତ। କେବଳ ବିକାଶର ବାଖ୍ୟା ବୟାନ କରିଥିଲେ ମୋଦୀ। ତତ୍ ସହିତ ଓଡ଼ିଶା ପାଇଁ ଅନେକ ବିକାଶ ମୂଳକ ପ୍ରକଳ୍ପର ମଧ୍ୟ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ। ସାଧାରଣ ନିର୍ବାଚନ ଆଉ ଅଳ୍ପ କେଇଟା ମାସ ଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ଆସି ନବୀନଙ୍କ ବିରୁଦ୍ଧରେ ପଦୁଟିଏ ନକହିବା ଏକ ନୂତନ ରାଜନୈତିକ ସମୀକରଣକୁ ଇଙ୍ଗୀତ କରୁଛି ଏଥିରେ ସନ୍ଦେହ ନାହିଁ।