Odiapua.com

ମୋଦୀଙ୍କ ଜନ୍ମଦିନର ଉପହାର: ଭୁବନେଶ୍ୱର ବିଜେପିରେ ଭୟଙ୍କର ଗୋଷ୍ଠୀ ବିବାଦ

ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୨ ତମ ଜନ୍ମଦିନ। ଦେଶବ୍ୟାପୀ ଭିନ୍ନଭିନ୍ନ ଢଙ୍ଗରେ ମୋଦୀ ଜୀ’ଙ୍କ ଜନ୍ମଦିନ ପାଳୁଛି ବିଜେପି। ତେବେ, ଭୁବନେଶ୍ୱର ବିଜେପି ଏକ ଭିନ୍ନ ଢଙ୍ଗରେ ପାଳିଛି ମୋଦୀ ଜୀ’ଙ୍କ ଜନ୍ମଦିନ। ମୋଦୀଙ୍କୁ ଉପହାର ସ୍ୱରୂପ ଭୁବନେଶ୍ୱର ବିଜେପି ଦେଇଛି ଭୟଙ୍କର ଗୋଷ୍ଠୀ କନ୍ଦଳ। ମୋଦୀ ସବୁବେଳେ ଯୋଡ଼ିବାର କଥା କହୁଥିଲା ବେଳେ ଭୁବନେଶ୍ୱର ବିଜେପି ତାଙ୍କ ପ୍ରିୟ ନେତା ମୋଦୀଙ୍କ ଜନ୍ମଦିନରେ ଛିଡ଼ାଇବାର କାମ କରିଛି। ଦୁଇ ଦିନ ତଳେ ପୁରୀରେ ଚାଲିଥିବା ପ୍ରାଦେଶିକ ପ୍ରଶିକ୍ଷଣ ବର୍ଗରେ ଯୋଗଦେଇ ବିଜେପି ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ବି. ଏଲ୍ ସନ୍ତୋଷ ଓଡ଼ିଶା ବିଜେପିର ଦୃବଳ ସ୍ଥିତି ତଥା ଦଳରେ ଚାଲିଥିବା ଗୋଷ୍ଠୀ କନ୍ଦଳକୁ ନେଇ କଡ଼ା ଭର୍ତ୍ସନା କରିବା ସହ ଶୃଙ୍ଖଳିତ ରହିବା ପାଇଁ କଡ଼ା ତାଗିଦ୍ କରିଦେଇ ଯାଇଥିଲେ। କିନ୍ତୁ, ସଙ୍ଗଠନ ମହାମନ୍ତ୍ରୀଙ୍କ କଥାର କିଛି ମୂଲ୍ୟ ରହିଲା ନାହିଁ। ରାଜଧାନୀ ଭୁବନେଶ୍ବର ପିଲଟିକ୍ସରେ ବିଜେପି ଭିତରରେ ଚାଲିଥିବା ଭୟଙ୍କର ଗୋଷ୍ଠୀ କନ୍ଦଳ ପୁଣି ପଦାରେ ପଡ଼ିଲା। ଆଜି ହଠାତ୍ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଭାପତି ବାବୁ ସିଂଙ୍କ ପ୍ୟାଡରେ ତଥା ଜଣେ ଜିଲ୍ଲା ସାଧାରଣ ସମ୍ପାଦକ ହିମାଂଶୁ ଶେଖର ଛୋଟରାୟଙ୍କ ଦସ୍ତଖତରେ ଏକ ବିଜ୍ଞପ୍ତି ସୋସିଆଲ୍ ମିଡିଆରେ ଘୁରି ବୁଲିଲା। ଯେଉଁଥିରେ ଲେଖାଥିଲା, “ଭାରତୀୟ ଜନତା ପାର୍ଟି ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲାର ସଭାପତି ବାବୁ ସିଂ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ରଶ୍ମିରଞ୍ଜନ ମୁଦୁଲିଙ୍କୁ ଆଜି ଠାରୁ ସଭାପତି ପଦରୁ ଦାଇତ୍ଵ ମୁକ୍ତ କରାଯାଇ ସ୍ୱୟଂସେବକ ରାୟଙ୍କୁ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଭାବରେ ଦାଇତ୍ବ ପ୍ରଦାନ କରାଗଲା।” ଏହାକୁ ନେଇ ତାଙ୍କ ଉପରେ ଆସ୍ଥା ଭରସା ରଖି ଭାରତୀୟ ଜନତା ଯୁବ ମୋର୍ଚ୍ଚା ଭୁବନେଶ୍ୱର ଜିଲ୍ଲାର ସଭାପତି ଦାୟିତ୍ଵ ଦେଇଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ଜିଲ୍ଲା ସଭାପତି ବାବୁ ସିଂଙ୍କୁ ଧନ୍ୟବାଦ ଦେଇ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ପୋଷ୍ଟ୍ କଲେ ନବ ନିଯୁକ୍ତ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସ୍ୱୟଂସେବକ ରାୟ।ତେବେ, ଏହାର କିଛି ସମୟ ପରେ ଆଉ ଜଣେ ଜିଲ୍ଲା ସାଧାରଣ ସମ୍ପାଦକ ଅଭିଷେକ ଆଚାର୍ଯ୍ୟ ତାଙ୍କ ପ୍ୟାଡରେ ଏକ ବିଜ୍ଞପ୍ତି ପ୍ରକାଶ କଲେ ଯେ, ଭାରତୀୟ ଜନତା ଯୁବମୋର୍ଚ୍ଚା ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାର ସଭାପତି ରଶ୍ମି ରଞ୍ଜନ ମୁଦୁଲିଙ୍କ ଅଦଳବଦଳର କୌଣସି ନିଷ୍ପତ୍ତି ହୋଇ ନାହିଁ। ଗଣମାଧ୍ୟମରେ ପ୍ରକାଶ ପାଉଥିବା ଭାରତୀୟ ଜନତା ଯୁବମୋର୍ଚ୍ଚା ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାର ସଭାପତି ପରିବର୍ତ୍ତନର ଖବର ସମ୍ପୂର୍ଣ ମିଥ୍ୟା ଅଟେ। ଆଜି ବି ରଶ୍ମି ରଞ୍ଜନ ମୁଦୁଲୀ ଭାରତୀୟ ଜନତା ଯୁବମୋର୍ଚ୍ଚା ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାର ସଭାପତିର କାର୍ଯ୍ୟ ତୁଲାଉଛନ୍ତି ଏବଂ ଆଗକୁ ମଧ୍ୟ ତାଙ୍କ ନେତୃତ୍ୱରେ ଭୁବନେଶ୍ୱର ଜିଲ୍ଲା ଯୁବମୋର୍ଚ୍ଚାର କାର୍ଯ୍ୟକ୍ରମ ଜାରି ରହିବ। ଏହି ସମାନ କଥାକୁ ସମର୍ଥନ ଜଣାଇ ଅଭିଷେକ ଆଚାର୍ଯ୍ୟଙ୍କ ପ୍ୟାଡରେ ଲିଖିତ କଥାକୁ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ପୋଷ୍ଟ୍ କଲେ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମନ୍ଦାକିନି ପାତ୍ର। ତେବେ, ଏଠାରେ ସୂଚନାଯୋଗ୍ୟ ଯେ ଏଇ କିଛି ଦିନ ତଳେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମନ୍ଦାକିନୀ ପାତ୍ର ରାତି ଅଧରେ ନିଜ ପଦବୀରୁ ଇସ୍ତଫା ଦେଲେ ବୋଲି ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ପୋଷ୍ଟ୍ କରିଥିଲେ। ତେବେ, ନାଟକୀୟ ଢଙ୍ଗରେ ପରଦିନ ନିଜ ଇସ୍ତଫା ପୁଣି ଫେରାଇ ନେଇଥିଲେ। ଏହାକୁ ନେଇ ଖୁବ୍ ହାସ୍ୟାସ୍ପଦ ହୋଇଥିଲେ ମନ୍ଦାକିନୀ। ଏହା ସହ ଜିଲ୍ଲା ସଙ୍ଗଠନ ଭିତରର ବିଶୃଙ୍ଖଳା ପୁଣି ପଦାରେ ପଡ଼ିଥିଲା। ସେହିପରି ଏଠାରେ ଆଉ ଏକ କଥା ସୂଚନାଯୋଗ୍ୟ ଯେ ପ୍ରାୟ ବର୍ଷେ ତଳେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ରଶ୍ମିରଞ୍ଜନ ମହାପାତ୍ରଙ୍କୁ ଏକ ବିବାଦୀୟ ଢଙ୍ଗରେ ଅପସାରିତ କରାଯାଇ ରଶ୍ମିରଞ୍ଜନ ମୁଦୁଲିଙ୍କୁ ଯୁବ ମୋର୍ଚ୍ଚା ସଭାପତି ଦାୟିତ୍ୱ ପ୍ରଦାନ କରାଯାଇଥିଲା। ତେବେ, ଏହି ସବୁ ଚାଲିଥିବା ଗୋଷ୍ଠୀ ବିବାଦ ସବୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୋଷ୍ଠୀର। ଅର୍ଥାତ୍ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୋଷ୍ଠୀ ଭିତରେ ଚାଲିଛି ଗୋଷ୍ଠୀ ବିବାଦ! ଧର୍ମେନ୍ଦ୍ରଙ୍କ ଗୋଷ୍ଠୀ ଲୋକଙ୍କ ମଧ୍ୟରେ ଆଉ ରହୁନି ତାଳମେଳ। ନିଜ ଲୋକଙ୍କ ଭିତରେ ନିୟନ୍ତ୍ରଣ ହରାଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ।
-/DevDrath