ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୨ ତମ ଜନ୍ମଦିନ। ଦେଶବ୍ୟାପୀ ଭିନ୍ନଭିନ୍ନ ଢଙ୍ଗରେ ମୋଦୀ ଜୀ’ଙ୍କ ଜନ୍ମଦିନ ପାଳୁଛି ବିଜେପି। ତେବେ, ଭୁବନେଶ୍ୱର ବିଜେପି ଏକ ଭିନ୍ନ ଢଙ୍ଗରେ ପାଳିଛି ମୋଦୀ ଜୀ’ଙ୍କ ଜନ୍ମଦିନ। ମୋଦୀଙ୍କୁ ଉପହାର ସ୍ୱରୂପ ଭୁବନେଶ୍ୱର ବିଜେପି ଦେଇଛି ଭୟଙ୍କର ଗୋଷ୍ଠୀ କନ୍ଦଳ। ମୋଦୀ ସବୁବେଳେ ଯୋଡ଼ିବାର କଥା କହୁଥିଲା ବେଳେ ଭୁବନେଶ୍ୱର ବିଜେପି ତାଙ୍କ ପ୍ରିୟ ନେତା ମୋଦୀଙ୍କ ଜନ୍ମଦିନରେ ଛିଡ଼ାଇବାର କାମ କରିଛି। ଦୁଇ ଦିନ ତଳେ ପୁରୀରେ ଚାଲିଥିବା ପ୍ରାଦେଶିକ ପ୍ରଶିକ୍ଷଣ ବର୍ଗରେ ଯୋଗଦେଇ ବିଜେପି ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ବି. ଏଲ୍ ସନ୍ତୋଷ ଓଡ଼ିଶା ବିଜେପିର ଦୃବଳ ସ୍ଥିତି ତଥା ଦଳରେ ଚାଲିଥିବା ଗୋଷ୍ଠୀ କନ୍ଦଳକୁ ନେଇ କଡ଼ା ଭର୍ତ୍ସନା କରିବା ସହ ଶୃଙ୍ଖଳିତ ରହିବା ପାଇଁ କଡ଼ା ତାଗିଦ୍ କରିଦେଇ ଯାଇଥିଲେ। କିନ୍ତୁ, ସଙ୍ଗଠନ ମହାମନ୍ତ୍ରୀଙ୍କ କଥାର କିଛି ମୂଲ୍ୟ ରହିଲା ନାହିଁ। ରାଜଧାନୀ ଭୁବନେଶ୍ବର ପିଲଟିକ୍ସରେ ବିଜେପି ଭିତରରେ ଚାଲିଥିବା ଭୟଙ୍କର ଗୋଷ୍ଠୀ କନ୍ଦଳ ପୁଣି ପଦାରେ ପଡ଼ିଲା। ଆଜି ହଠାତ୍ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଭାପତି ବାବୁ ସିଂଙ୍କ ପ୍ୟାଡରେ ତଥା ଜଣେ ଜିଲ୍ଲା ସାଧାରଣ ସମ୍ପାଦକ ହିମାଂଶୁ ଶେଖର ଛୋଟରାୟଙ୍କ ଦସ୍ତଖତରେ ଏକ ବିଜ୍ଞପ୍ତି ସୋସିଆଲ୍ ମିଡିଆରେ ଘୁରି ବୁଲିଲା। ଯେଉଁଥିରେ ଲେଖାଥିଲା, “ଭାରତୀୟ ଜନତା ପାର୍ଟି ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲାର ସଭାପତି ବାବୁ ସିଂ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ରଶ୍ମିରଞ୍ଜନ ମୁଦୁଲିଙ୍କୁ ଆଜି ଠାରୁ ସଭାପତି ପଦରୁ ଦାଇତ୍ଵ ମୁକ୍ତ କରାଯାଇ ସ୍ୱୟଂସେବକ ରାୟଙ୍କୁ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଭାବରେ ଦାଇତ୍ବ ପ୍ରଦାନ କରାଗଲା।” ଏହାକୁ ନେଇ ତାଙ୍କ ଉପରେ ଆସ୍ଥା ଭରସା ରଖି ଭାରତୀୟ ଜନତା ଯୁବ ମୋର୍ଚ୍ଚା ଭୁବନେଶ୍ୱର ଜିଲ୍ଲାର ସଭାପତି ଦାୟିତ୍ଵ ଦେଇଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ଜିଲ୍ଲା ସଭାପତି ବାବୁ ସିଂଙ୍କୁ ଧନ୍ୟବାଦ ଦେଇ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ପୋଷ୍ଟ୍ କଲେ ନବ ନିଯୁକ୍ତ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସ୍ୱୟଂସେବକ ରାୟ।
-/DevDrath
ମୋଦୀଙ୍କ ଜନ୍ମଦିନର ଉପହାର: ଭୁବନେଶ୍ୱର ବିଜେପିରେ ଭୟଙ୍କର ଗୋଷ୍ଠୀ ବିବାଦ
