Odiapua.com

ମୋଦୀ ଆଉ ଯୋଗୀ: ଜଣେ ବର୍ତ୍ତମାନ, ଜଣେ ଭବିଷ୍ୟତ !

ନୂଆଦିଲ୍ଲୀ/ଭୁବନେଶ୍ୱର: ୫୬ ତମ ଡିଜିପି- ଆଇଜିପି ସମ୍ମିଳନୀରେ ଯୋଗଦେବା ପାଇଁ ଉତ୍ତରପ୍ରଦେଶ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିଜିପି ମୁଖ୍ୟାଳୟରେ ପହଞ୍ଚିବା ପରେ ସେଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ବରିଷ୍ଠ ପୁଲିସ କର୍ମଚାରୀ ମାନେ ମୋଦୀଙ୍କୁ ସ୍ୱାଗତ କରିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ସମ୍ମିଳନୀ ହଲରେ ପହଞ୍ଚିଥିଲେ ଓ ଡିଜିପି ଏବଂ ଆଇଜିପି ସମ୍ମିଳନୀର ଅଧିବେଶନରେ ଭାଗ ନେଇଥିଲେ। ତେବେ, ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହାପରେ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତାଙ୍କ ନିଜର ଦୁଇଟି ଫଟୋ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ସେୟାର୍ କରିଛନ୍ତି। ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗୀ ଆଦିତ୍ୟନାଥଙ୍କ କାନ୍ଧରେ ହାତ ପକାଇଥିବାର ନଜର ଆସିଛି। ଏହି ସମୟରେ ଉଭୟ ନେତା ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରୁଥିବା ଜଣାପଡୁଛି। ରାଜଭବନର କରିଡରରେ ମୋଦୀ ଯୋଗୀଙ୍କ କାନ୍ଧରେ ହାତ ପକାଇ ଆଲୋଚନା କରୁଥିବା ସେହି ଫଟୋ ସେୟାର କରି ଯୋଗୀ ଆଦିତ୍ୟନାଥ ଲେଖିଛନ୍ତି, “ଆମେ ବାହାରିଛୁ ପଣ କରି, ନିଜ ତନ- ମନକୁ ଅର୍ପଣ କରି, ସୂର୍ଯ୍ୟ ଉଦୟ କରିବାର ଜିଦ୍ ନେଇ, ଆକାଶ ଠାରୁ ଉଚ୍ଚକୁ ଯାଇ ଏକ ନୂତନ ଭାରତ ଗଠନ କରିବାକୁ”।
ଫଟୋ ଦୁଇଟି ଖୁବ୍ ସେୟାର୍ ହେବାରେ ଲାଗିଛି। ଏହି ଫଟୋକୁ ପୁନଃ ସେୟାର୍ କରି ସମର୍ଥକ ମାନେ ବିଭିନ୍ନ ପ୍ରକାର କ୍ୟାପ୍ସନ୍ ଲେଖୁଛନ୍ତି। ବିଶେଷ କରି “ଜଣେ ବର୍ତ୍ତମାନ ଆଉ ଜଣେ ଭବିଷ୍ୟତ”, “ବର୍ତ୍ତମାନ ଆଉ ଭବିଷ୍ୟତ ଏକାଠି” ଆଦି ପରି କ୍ୟାପ୍ସନ୍ ସହିତ ମୋଦୀ ଆଉ ଯୋଗୀଙ୍କ ଏହି ଫଟୋ ପ୍ରବଳ ମାତ୍ରାରେ ସେୟାର୍ ହେଉଛି।
-/DevDr