Odiapua.com

ମୋଦୀ କ୍ୟାବିନେଟ୍ ବିସ୍ତାର : ଜ୍ୟୋତିରାଦିତ୍ୟ ସିନ୍ଧିଆ, ସୁଶୀଲ ମୋଦୀ, ବୈଜୟନ୍ତ ଚର୍ଚ୍ଚାରେ

ନୂଆ ଦିଲ୍ଲୀ ୧୩-୬ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ମୁଖ୍ୟ ଜେପି ନଡ୍ଡା ବିଭିନ୍ନ ମନ୍ତ୍ରଣାଳୟର ମୂଲ୍ୟାଙ୍କନ କରୁଥିବା ଜଣାପଡ଼ିଛି। ଯାହା ସାଧାରଣତଃ ମନ୍ତ୍ରୀମଣ୍ଡଳର ପୁନର୍ଗଠନର ପୂର୍ବାନୁମାନକୁ ସୂଚାଉଛି। ଏ ନେଇ ରାଜନୈତିକ ପାଣିପାଗ ବେଶ୍ ଉଷ୍ମ ହେବା ସହ, କିଛି ମନ୍ତ୍ରୀଙ୍କ ପର୍ଫର୍ମାନ୍ସକୁ ନେଇ ତାଙ୍କ ମୁଣ୍ଡ ଉପରେ ଖଣ୍ଡା ଝୁଲିବା ସହିତ ତାଙ୍କ ମନ୍ତ୍ରୀପଦ ଯାଇପାରେ ବୋଲି ଆଶଂକା କରାଯାଉଛି।

ଇତି ମଧ୍ୟରେ ଯେଉଁ କେତୋଟି ଚିହ୍ନା ମୁହଁ ମନ୍ତ୍ରୀମଣ୍ଡଳରେସ୍‌ରେ ଜାତୀୟ ଗଣମାଧ୍ୟର ଚର୍ଚ୍ଚାରେ ସର୍ବାଗ୍ରେ ରହିଛନ୍ତି ସେମାନଙ୍କ ମଧ୍ୟରେ ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୱାଲ, ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ, ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଆପ୍ନା ଦଳ ନେତା ଅନୁପ୍ରିୟା ପଟେଲ ଅନ୍ୟତମ।

ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ କ୍ୟାବିନେଟକୁ ବିସ୍ତାର କରିବାକୁ ଚିନ୍ତା କରୁଛନ୍ତି। ଉଲ୍ଲେଖଯୋଗ୍ୟ, ୭ ଲୋକକଲ୍ୟାଣ ମାର୍ଗରେ ଏକ ଉଚ୍ଚସ୍ତରୀୟ ବୈଠକ ଇତି ମଧ୍ୟରେ ହୋଇଯାଇଛି। ଏକ ଜାତୀୟ ଗଣ ମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ, ମନ୍ତ୍ରୀମଣ୍ଡଳ ପୁନର୍ଗଠନ ପରେ ମୋଦୀ ସରକାରଙ୍କ ମନ୍ତ୍ରୀଙ୍କ ସଂଖ୍ୟା ୬୦ ରୁ ୭୯ କୁ ବୃଦ୍ଧି ପାଇପାରେ।

ଏଠାରେ ସୂଚନାଯୋଗ୍ୟଯେ, ବର୍ତ୍ତମାନ କେନ୍ଦ୍ର କ୍ୟାବିନେଟରେ ଦୁଇ ଡଜନରୁ ପାଖାପାଖି ପଦବୀ ଖାଲି ଅଛି। ବର୍ତ୍ତମାନ ୨୧ ଜଣ କ୍ୟାବିନେଟ ମନ୍ତ୍ରୀ, ୯ ଜଣ ରାଜ୍ୟ ମନ୍ତ୍ରୀ, ସ୍ୱାଧୀନ ଦାୟିତ୍ୱରେ ଥିବାବେଳେ ୨୯ ଜଣ ରାଜ୍ୟ ମନ୍ତ୍ରୀ ଅଛନ୍ତି।

ମୋଦୀ କ୍ୟାବିନେଟରେ ମନ୍ତ୍ରୀଙ୍କ ତାଲିକାରେ କିଛି ମହିଳାଙ୍କୁ ଅନ୍ତର୍ଭୁକ୍ତ କରାଯିବାର ସମ୍ଭାବନା ଅଛି ବୋଲି ଆଶଂକା କରାଯାଉଛି।

ବିଜେପିର ସହଯୋଗୀ ଜେଡିୟୁକୁ ମଧ୍ୟ କ୍ୟାବିନେଟରେ ସ୍ଥାନ ଦିଆଯାଇପାରେ। JD (U) ଏକ ସମ୍ମାନଜନକ ପାହ୍ୟା ପାଇବ ବୋଲି ଆଶା କରାଯାଇପାରେ।

ଗତ ବର୍ଷ ମାର୍ଚ୍ଚରେ ମଧ୍ୟପ୍ରଦେଶରେ କମଲ ନାଥ ସରକାରଙ୍କର ପତନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବିଜେପି ଖୁବ ଶୀଘ୍ର ଏକ ବଡ ଉପହାର ଦେବାକୁ ଯାଉଛି। ତାଙ୍କୁ ମୋଦୀ ସରକାରରେ ମନ୍ତ୍ରୀ ପଦ ଦିଆଯିବା ପ୍ରାୟ ନିଶ୍ଚିତ।

ସିନ୍ଧିଆଙ୍କ ସମର୍ଥକ ଜଣେ ବରିଷ୍ଠ ନେତା ଗଣମାଧ୍ୟମକୁ କହିଛନ୍ତି ଯେ, ସିନ୍ଧିଆ ରେଳମନ୍ତ୍ରୀ ପଦ ପାଇପାରନ୍ତି। କିନ୍ତୁ, ସହରୀ ବିକାଶ କିମ୍ବା ମାନବ ସମ୍ବଳ ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ଦେବା ବିଷୟରେ ମଧ୍ୟ ଆଲୋଚନା ହେଉଛି। ସେ ବିଜେପିରେ ଯୋଗଦେବାର ୧୫ ମାସ ବିତିଗଲାଣି। ବର୍ତ୍ତମାନ ବିଜେପି ତାଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଯାଉଛି। ଏହାର ସଂକେତ ଦିଲ୍ଲୀରୁ ମଧ୍ୟପ୍ରଦେଶ ପର୍ଯ୍ୟନ୍ତ ବ୍ୟାପିଛି।

ମନମୋହନ ସିଂଙ୍କ ସରକାରରେ ଜଣେ ସକ୍ରିୟ ମନ୍ତ୍ରୀ ଭାବେ ଜଣାଶୁଣା ଥିଲେ ସିନ୍ଧିଆ

ବିଶେଷଜ୍ଞମାନେ ବିଶ୍ୱାସ କରୁଛନ୍ତି ଯେ ମୋଦୀ ଜ୍ୟୋତିରାଦିତ୍ୟଙ୍କୁ କ୍ୟାବିନେଟ ମନ୍ତ୍ରୀ କରିବେ। ଏହାର କାରଣ ହେଉଛି ମନମୋହନ ସିଂଙ୍କ ସରକାରରେ ମଧ୍ୟ ସେ ତାଙ୍କ କାର୍ଯ୍ୟ ଯୋଗୁଁ ଜଣେ ସକ୍ରିୟ ମନ୍ତ୍ରୀର ଭାବମୂର୍ତ୍ତି ସୃଷ୍ଟି କରିଥିଲେ। ଏଥର ସେ ଟିମ୍ ମୋଦୀଙ୍କ ସହ ଯୋଗଦେବେ, ତା’ହେଲେ ସେ ନିଜର କାର୍ଯ୍ୟ ଦେଖାଇବାକୁ ସମର୍ଥ ହେବେ।

ନୂତନ ନେତୃତ୍ୱ ଉପରେ ବିଜେପିର ଧ୍ୟାନ

ଯଦି ଜାତୀୟ ଗଣମାଧ୍ୟମର ସୂତ୍ର ଗୁଡ଼ିକୁ ବିଶ୍ୱାସ କରାଯାଏ, ତେବେ ଦଳରେ ଯୁବ ନେତୃତ୍ୱ ଏବେ ବିଜେପିର ମୁଖ୍ୟ ଆକର୍ଷଣ। ଏହାକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶ କୋଟାରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୋୱାଲ, ଓଡିଶାର ବୈଜୟନ୍ତ ପଣ୍ଡା, ମହାରାଷ୍ଟ୍ରର ଦେବେନ୍ଦ୍ର ଫଡନାଭିସଙ୍କ ସମେତ ଅନେକ ଯୁବ ଚେହେରା ମୋଦୀ କ୍ୟାବିନେଟରେ ସୁଯୋଗ ପାଇପାରିବେ।

ପ୍ରଥମ କାର୍ଯ୍ୟକାଳରେ ୬ ମାସ ମଧ୍ୟରେ କ୍ୟାବିନେଟ୍ ସମ୍ପ୍ରସାରଣ କରାଯାଇଥିଲା।

ପ୍ରଥମ କାର୍ଯ୍ୟକାଳରେ ପ୍ରଧାନମନ୍ତ୍ରୀ ମୋଦୀ ୬ ମାସ ମଧ୍ୟରେ କ୍ୟାବିନେଟକୁ ବିସ୍ତାର କରି ମନ୍ତ୍ରୀଙ୍କ ସଂଖ୍ୟା ୪୫ ରୁ ୬୬ କୁ ବୃଦ୍ଧି କରିଥିଲେ। ଏହା ପରେ, ସରକାରଙ୍କ ଦୁଇ ବର୍ଷ ପୂରଣ ହେବାର କିଛି ମାସ ପରେ, ଜୁଲାଇ ୨୦୧୬ ରେ, ମୋଦୀ ପୁଣିଥରେ କ୍ୟାବିନେଟର ପୁନର୍ଗଠନ କରି ମନ୍ତ୍ରୀଙ୍କ ସଂଖ୍ୟାକୁ ୭୮ କୁ ବୃଦ୍ଧି କରିଥିଲେ।

୪ ମନ୍ତ୍ରୀଙ୍କ ଉପରେ ଅତିରିକ୍ତ ଭାର

ଏଲଜିପି ନେତା ରାମ ବିଲାସ ପାସୱାନଙ୍କ ମୃତ୍ୟୁ ପରେ ଅକ୍ଟୋବର ୨୦୨୦ ରେ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଗ୍ରାହକ ବ୍ୟାପାର ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଥିଲା।

କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ଟୋମରଙ୍କ ପୂର୍ବରୁ କୃଷି, ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ମନ୍ତ୍ରଣାଳୟ ରହିଛି। ଅକାଲୀ ଦଳର ନେତା ହରିସିମ୍ରତ କୌର ବାଦଲଙ୍କ ଇସ୍ତଫା ପରେ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ତ୍ୱ ମଧ୍ୟ ସେପ୍ଟେମ୍ବର ୨୦୨୦ ରୁ ତୋମାରଙ୍କ ହାତରେ ରହିଛି।

କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ପରିବେଶ ବ୍ୟତୀତ ନଭେମ୍ବର ୨୦୧୯ ଠାରୁ ଭାରୀ ଶିଳ୍ପ ମନ୍ତ୍ରଣାଳୟର ଦାୟିତ୍ୱ ତୁଲାଉଛନ୍ତି। ଯଦିଓ ଏହି ପଦର ଦାୟିତ୍ୱ ପୂର୍ବରୁ ଶିବସେନାଙ୍କ ଅରବିନ୍ଦ ସାୱନ୍ତଙ୍କ ଉପରେ ଥିଲା, କିନ୍ତୁ ସେ ମହାରାଷ୍ଟ୍ରରେ ବିଜେପି ଠାରୁ ଅଲଗା ହେବା ପରେ ଇସ୍ତଫା ଦେଇଥିଲେ।

ଶ୍ରୀପଦ ନାୟକ ଆହତ ହେବା ପରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରେନ ରିଜିଜୁ ଆୟୁଷ ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି। ଏକ ସଡକ ଦୁର୍ଘଟଣାରେ ନାୟକ ଆହତ ହୋଇଥିଲେ।