Odiapua.com

ଲୋକନାଥ ମନ୍ଦିରରେ ଭକ୍ତଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ପୁରୀ, ୨୩/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀ ଶ୍ରୀ ଲୋକନାଥ ମନ୍ଦିରରେ ଜଣେ ଭକ୍ତଙ୍କ ପରିବାରକୁ ଦୁର୍ବ୍ୟବହାର ପଦର୍ଶନ କରାଯାଇଥିବା ଅଭିଯୋଗ ହୋଇଛି। ଦକ୍ଷିଣା ନଦେବାରୁ ଭକ୍ତଙ୍କ ପରିବାରକୁ ମନ୍ଦିର ଭିତରୁ ତଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ସମ୍ପର୍କରେ ପୁରୀ ଏସପିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଜଗତସିଂହପୁର ପ୍ରବୀର ପ୍ରଧାନ, ତାଙ୍କ ସ୍ତ୍ରୀ, ଝିଅ ଓ ମା’ଙ୍କ ସହ ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପରେ ପ୍ରସିଦ୍ଧ ଲୋକନାଥଙ୍କ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ। ଲୋକନାଥଙ୍କ ନିକଟରେ ମାନସିକ ଥିବାରୁ ଏହା ପୂରଣ ପାଇଁ ଯାଇଥିଲେ। ତାଙ୍କୁ ୧୨୫ ଟଙ୍କାର ଏକ ରସିଦ କାଟିବାକୁ ବାଧ୍ୟ କରାଯାଇଥିଲା। ରସିଦ କାଟିବା ପରେ ଲୋକନାଥ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ପରେ କିଛି ସେବାୟତ ତାଙ୍କ ଠାରୁ ୫୦୧ ଟଙ୍କା ଦାବି କରିଥିଲେ ବୋଲି ପ୍ରବୀର ଅଭିଯୋଗ କରିଛନ୍ତି। ୫୦୦ ଟଙ୍କା ବଦଳରେ ସେ ୧୦୦ ଟଙ୍କା ଦେବାରୁ ସେବାୟତମାନେ ତାଙ୍କୁ ଓ ତାଙ୍କ ପରିବାର ପ୍ରତି ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିଥିଲେ। ଏଭଳି କାହିଁକି କରୁଛ ବୋଲି ପଚାରିବାରୁ ଠେଲାପେଲା କରିବା ସହ ମନ୍ଦିର ଭିତରୁ ତଡ଼ି ଦେଇଥିଲେ। ଜଣେ ନୁହେଁ ଏକାଧିକ ସେବାୟତ ମିଶି ତାଙ୍କୁ ତଡ଼ିବା ସହ ଅଶାଳୀନ ଭାଷା ପ୍ରୟୋଗ କରିଥିଲେ ବୋଲି ପ୍ରବୀରଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି। ଏହା ତାଙ୍କୁ ଗଭୀର ଆଘାତ ଦେଇଛି ବୋଲି ସେ କହିଛନ୍ତି। ଏଦିଗରେ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେ ଦାବି କରିଛନ୍ତି।