Odiapua.com

ଅନ୍ତର୍ଦେଶୀୟ ଜଳ ପରିବହନକୁ ପ୍ରୋତ୍ସାହିତ କରିବା ପାଇଁ ଜାହାଜ ଚଳାଚଳ ମନ୍ତ୍ରଣାଳୟ ଜଳପଥ ବ୍ୟବହାର ଦେୟ ଉଠାଇଲା

– ପରିବେଶ ଅନୁକୂଳ ଏବଂ ଶସ୍ତା ପରିବହନ ବେପାର ବଣିଜକୁ ସହଜ କରିବ : ମନ୍ତ୍ରୀ ମନସୁଖ ମାଣ୍ଡଭିୟ

ନୂଆଦିଲ୍ଲୀ -୨୫-୭ (ଓଡ଼ିଆ ପୁଅ) କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟ ଅନ୍ତର୍ଦେଶୀୟ ଜଳ ପରିବହନ କ୍ଷେତ୍ରରେ ଲାଗୁ ହେଉଥିବା ଜଳପଥ କରକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି। ଭାରତ ସରକାର ଏ କ୍ଷେତ୍ରରେ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହାକୁ ସାକାର କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ ଏହି ଟିକସ ଆଦାୟ ହେବନାହିଁ। ଜଳପଥରେ ପରିବହନ ପରିବେଶ ଅନୁକୂଳ ଏବଂ ଶସ୍ତା ହୋଇଥିବାରୁ ଏହାକୁ ପ୍ରୋତ୍ସାହିତ କରିବାକୁ ସରକାର ଉଦ୍ୟମ କରୁଛନ୍ତି।

କେନ୍ଦ୍ର ଜାହାଜ ଚଳାଚଳ ବିଭାଗ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି ଯେ ଦେଶର ମୋଟ ମାଲ ପରିବହନର ମାତ୍ର ୨ ଶତାଂଶ ଏବେ ଅନ୍ତର୍ଦେଶୀୟ ଜଳପଥରେ ହେଉଛି। ଏବେ ଜଳପଥ ପରିବହନ କ୍ଷେତ୍ରରେ ଟିକସ ଉଚ୍ଛେଦ ହୋଇଥିବାରୁ ଶିଳ୍ପ ସଂସ୍ଥାମାନେ ସେମାନଙ୍କର ମାଲପତ୍ର ପରିବହନ ପାଇଁ ଜାତୀୟ ଜଳପଥଗୁଡିକୁ ବ୍ୟବହାର କରିବା ପାଇଁ ଆଗ୍ରହୀ ହେବେ। ଏହି ଜଳ ପରିବହନ ବ୍ୟବସ୍ଥା ପରିବେଶ ଅନୁକୂଳ ତଥା ଶସ୍ତା ହୋଇଥିବାରୁ ଏହା ଅନ୍ୟାନ୍ୟ ପରିବହନ ବ୍ୟବସ୍ଥାର ବୋଝ ହ୍ରାସ କରିବା ସହ ବେପାର ବଣିଜକୁ ସୁଗମ କରିବାରେ ସହାୟକ ହେବ। ସମସ୍ତ ଜାତୀୟ ଜଳପଥରେ ନୌ-ଚଳାଚଳ ପାଇଁ ପୂର୍ବରୁ ଏକ ବ୍ୟବହାର ଦେୟ (ଟିକସ) ଭରିବାକୁ ପଡୁଥିଲା। ଏହା ନୌ-ଚଳାଚଳ ପରିଚାଳନା ଏବଂ ଟ୍ରାଫିକ ଡାଟା ସଂଗ୍ରହ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରୁଥିଲା। ପୂର୍ବରୁ ଅନ୍ତର୍ଦେଶୀୟ ଜଳପଥ ପ୍ରାଧିକରଣ (ଆଇଡବ୍ଲୁଏଆଇ) ଯେଉଁ ଟିକସ ଧାର୍ଯ୍ୟ କରିଛି ତାହା ଦୁଇ ପ୍ରକାରର। ଗୋଟିଏ ବ୍ୟବସ୍ଥାରେ ପୋତକୁ ମୋଟ ପରିବହନ କରୁଥିବା ସାମଗ୍ରୀ ଉପରେ ପ୍ରତି କିଲୋମିଟର ପାଇଁ ଟନ ପିଛା ୦.୦୨ ଟଙ୍କା ଦେୟ ଆକାରରେ ଭରିବାକୁ ପଡୁଥିଲା। କ୍ରୁଜ ଭେସଲ୍‌ କ୍ଷେତ୍ରରେ ଏହା ଥିଲା କିଲୋମିଟର ପିଛା ୦.୦୫ ପଇସା।

ଏହି ନିଷ୍ପତ୍ତି ଫଳରେ ଅନ୍ତଦେର୍ଶୀୟ ଜଳପଥରେ ମାଲ ପରିବହନ ବଢିବ ବୋଲି ଆଶା କରାଯାଉଛି। ୨୦୧୯-୨୦ ଆର୍ଥିକ ବର୍ଷରେ ଏହି ଜଳପଥରେ ମୋଟ ୭୨ ଏମ୍‌ଏମ୍‌ଟି ମାଲ ପରିବହନ ହୋଇଥିଲା। ୨୦୨୨-୨୩ ସୁଦ୍ଧା ଏହା ୧୧୦ ଏମ୍‌ଏମ୍‌ଟିରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଏହା ଫଳରେ ସଂପୃକ୍ତ ଅଞ୍ଚଳରେ ଅର୍ଥନୈତିକ କାର୍ଯ୍ୟକଳାପ ବଢିବା ସହ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେବ।