Odiapua.com

ରୋଷେଇ ପାଇଁ ଗ୍ୟାସ ଅପେକ୍ଷା ଶସ୍ତା ବିକଳ୍ପ ଯୋଗାଇଦେବେ ସରକାର – ଜାଣନ୍ତୁ କ’ଣ ଯୋଜନା

ନୂଆଦିଲ୍ଲୀ ୧୪-୯ (ଓଡିଆ ପୁଅ) ଶକ୍ତି ମନ୍ତ୍ରୀ ଆର କେ ସିଂ କହିଛନ୍ତି ଯେ ଗରିବ ଲୋକଙ୍କୁ ସହାୟତା ଦେବା ପାଇଁ ରୋଷେଇରେ ବିଦ୍ୟୁତ ବ୍ୟବହାରକୁ ବ୍ୟାପକ ପ୍ରୋତ୍ସାହିତ କରିବାକୁ ସରକାର ଚିନ୍ତା କରୁଛନ୍ତି। ଶକ୍ତି ମନ୍ତ୍ରଣାଳୟର ବିବୃତ୍ତି ଅନୁଯାୟୀ ମନ୍ତ୍ରୀ କହିଛନ୍ତି ଯେ, ସମାଜର ଗରିବ ଲୋକଙ୍କୁ ସେମାନଙ୍କର ଦୈନନ୍ଦିନ ଆବଶ୍ୟକତା ପୂରଣ ପାଇଁ ଶସ୍ତା ବିକଳ୍ପ ଭାବରେ ବିଦ୍ୟୁତ୍ ଯୋଗାଇ ଦିଆଯିବ। ଏହା ଦେଶକୁ ଆତ୍ମନିର୍ଭରଶୀଳ ଦିଗରେ ଆଗେଇ ନେବା ସହିତ ପେଟ୍ରୋଲିୟମ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବାରେ ମଧ୍ୟ ସହାୟକ ହେବ।

ମନ୍ତ୍ରୀ ଯଥାକ୍ରମେ ଏନଟିପିସିର ନବିନଗର, ବାର ଏବଂ ବାରୁଣୀରେ ସେବା ଭବନ, ସପିଂ କମ୍ପ୍ଲେକ୍ସ ଏବଂ ମୁଖ୍ୟ ପ୍ଲାଣ୍ଟ କ୍ୟାଣ୍ଟିନର ଉଦଘାଟନ କରିବା ସମୟରେ ଏହି କଥା କହିଛନ୍ତି। ବିହାର ଏବଂ ଏନଟିପିସି କର୍ମଚାରୀଙ୍କ ସୁବିଧା ପାଇଁ ଏହି କେନ୍ଦ୍ରଗୁଡ଼ିକ ନିର୍ମାଣ କରାଯାଇଛି।
ଶ୍ରୀ ସିଂ କହିଛନ୍ତି, ବିଦ୍ୟୁତ୍ ହେଉଛି ଭାରତର ଭବିଷ୍ୟତ ଏବଂ ଆଗାମୀ ସମୟରେ ଦେଶର ଅଧିକାଂଶ ମୌଳିକ ସୁବିଧା ବୈଦ୍ୟୁତିକ ଶକ୍ତି ଉପରେ ନିର୍ଭର କରିବ। ସେ କହିଛନ୍ତି ଯେ, ମନ୍ତ୍ରଣାଳୟ ସ୍ତରରେ ପାୱାର ଫାଉଣ୍ଡେସନ ଗଠନ ପାଇଁ ସରକାର ପ୍ରସ୍ତାବ ଦେଇଛନ୍ତି। ଏହାର ଲକ୍ଷ୍ୟ ହେଉଛି ରୋଷେଇରେ କେବଳ ବିଦ୍ୟୁତ୍ ବ୍ୟବହାର କରିବା। ଏହା କେବଳ ଆମର ଅର୍ଥନୀତିକୁ ଆତ୍ମନିର୍ଭରଶୀଳ କରିବ ନାହିଁ ବରଂ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବାରେ ମଧ୍ୟ ସହାୟକ ହେବ।

ସିଂ କହିଛନ୍ତି ଯେ ଆମ ସରକାର ଗରିବ ଲୋକଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଛନ୍ତି ଏବଂ ଏହି ପଦକ୍ଷେପ ସମାଜର ଗରିବ ଲୋକଙ୍କୁ ଖାଦ୍ୟ ରାନ୍ଧିବା ପାଇଁ ଶସ୍ତା ବିକଳ୍ପ ଯୋଗାଇବ। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଆୱାସ ଯୋଜନା ଏବଂ ହର ଘର ବିଜୁଲି ଭଳି ଯୋଜନା ଉପରେ କାର୍ଯ୍ୟ ଜାରି ରଖିଛନ୍ତି। ଦେଶର ଆର୍ଥିକ ବିକାଶ ଦିଗରେ ଏହି ଶକ୍ତି ଉତ୍ପାଦନକାରୀ କମ୍ପାନୀର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥିବା ଏନଟିପିସିର ବିଭିନ୍ନ ଉଦ୍ୟମକୁ ମନ୍ତ୍ରୀ ପ୍ରଶଂସା କରିଥିଲେ।

ଏହି ଅବସରରେ ଏନଟିପିସି ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ଗୁରୁଦୀପ ସିଂ କହିଛନ୍ତି ଯେ ରୋଷେଇରେ ବିଦ୍ୟୁତ୍ ବ୍ୟବହାରକୁ ଉତ୍ସାହିତ କରିବା ପାଇଁ ଏନଟିପିସି ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନେଉଛି। ଆମେ ନିଶ୍ଚିତ ଯେ, ଆମେ ଏହି ମଡେଲକୁ ସାରା ଦେଶରେ ଅନୁକରଣ କରିବାକୁ ସମର୍ଥ ହେବୁ। ସେ କହିଛନ୍ତି ଯେ, ବିହାରରେ NTPC ର ୩, ୮୦୦ ମେଗାୱାଟ କ୍ଷମତା ସମ୍ପନ୍ନ ପ୍ରକଳ୍ପ ନିର୍ମାଣାଧୀନ ଏବଂ କମ୍ପାନୀ ରାଜ୍ୟର ପ୍ରଗତିରେ ସହଯୋଗ ଜାରି ରଖିବ। NTPC ଗୋଷ୍ଠୀର ମୋଟ ସ୍ଥାପିତ କ୍ଷମତା ହେଉଛି ୬୨, ୯୦୦ ମେଗାୱାଟ। ଏଥିରେ ୭୦ ଟି ପାୱାର ଷ୍ଟେସନ୍ ଅଛି।