Odiapua.com

ଅଭିଯୁକ୍ତ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ କାହିଁକି ତଦନ୍ତ ପରିସରଭୁକ୍ତ କରୁନାହିଁ ପୋଲିସ୍ – ଡ. ଲେଖାଶ୍ରୀ

ଭୁବନେଶ୍ୱର: ରାଜ୍ୟରେ ଶାସକ ବିଜେଡି ମହିଳାଙ୍କୁ ସୁରକ୍ଷା ଓ ସମ୍ମାନ ଦେବାରେ ସମ୍ପୂର୍ଣ୍ଣ ବିଫଳ। ବରଂ ମହିଳାଙ୍କୁ ସମ୍ମାନ ସୁରକ୍ଷା ପ୍ରଦାନ ପରିବର୍ତ୍ତେ ଶୋଷଣ କରୁଛନ୍ତି। ମମିତା ମେହେରା ହତ୍ୟାକାଣ୍ଡକୁ ପ୍ରାୟ ୧୩ ଦିନ ପୂରିଲାଣି ଏବଂ ଏହି ଘଟଣାରେ ରାଜ୍ୟ ସରକାରଙ୍କ ଟାଣୁଆ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାମ ଆଗକୁ ଆସିଛି। ‘ମାର୍ ମାର୍ ଭଣ୍ଡାରିଆକୁ ମାର୍‌’ ନୀତିରେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଦୋଷୀ ବୋଲି ସାବ୍ୟସ୍ତ କରି ଏହି ନାରକୀୟ ଘଟଣାର ମାଷ୍ଟରମାଇଣ୍ଡ ମାନଙ୍କୁ ଖସେଇ ଦେଲା ଭଳି କାହାଣୀ ଗତ କାଲି ପୋଲିସର ବରିଷ୍ଠ ଅଧିକାରୀମାନେ ଗଣମାଧ୍ୟମ ଜରିଆରେ ଓଡ଼ିଶାବାସୀଙ୍କ ସାମ୍ନାରେ ଉପସ୍ଥାପନା କରିଛନ୍ତି। ଯାହାକୁ ରାଜ୍ୟବାସୀ ଆଦୈା ଗ୍ରହଣ ଓ ବିଶ୍ୱାସ କରି ପାରୁନାହାନ୍ତି ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଡ.ଲେଖାଶ୍ରୀ ସାମନ୍ତସିହାର କହିଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ. ଲେଖାଶ୍ରୀ କହିଛନ୍ତି ଯେ, ମୃତ ମମିତା ଦୀର୍ଘ ୧୧ ଦିନ ଧରି ନିଖୋଜ ରହିବା, ବହୁ ଦାବି ପରେ ଗିରଫ ହୋଇଥିବା ଅଭିଯୁକ୍ତ ଗୋବିନ୍ଦ ସାହୁ ଥାନା ହାଜତରୁ ଖସି ପଳାଇବା ଏବଂ ୪ ଦିନ ପରେ ପୁଣି ଗିରଫ ହେବା, ଆଇପିସି ଧାରା- ୩୬୬ ଲାଗିବା ପରେ ମଧ୍ୟ ଅଭିଯୁକ୍ତକୁ କୋର୍ଟ ନପଠାଇ ୪ଦନ ଧରି ଥାନାରେ ରଖିବା, ଅଭିଯୁକ୍ତ ଥାନା ହାଜରୁ ଚମ୍ପଟ ମାରିବା ସମୟରେ ବିଜୁଳି କାଟ୍ ହେବା, ମୃତ ମମିତାକୁ ପୋଡ଼ି ମାରି ଦିଆଯାଇ ମାଟି ତଳୁ ଉଦ୍ଧାର ହେବା, ମମିତାର ମୋବାଇଲ, ପେନ ଡ୍ରାଇଭ, ଲ୍ୟାପଟପ ସଂପର୍କରେ ପୋଲିସ ତଥ୍ୟ ପ୍ରକାଶ ନକରିବା ଆଦି ଘଟଣା ସାଧାରଣ ଓଡ଼ିଶାବାସୀଙ୍କ ମନ ଭିତରେ ଅସନ୍ତୋଷ ଓ କ୍ଷୋଭ ପ୍ରକାଶ କରିଛି। ଅନ୍ୟ ପଟେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କ ଘନିଷ୍ଠ ସଂପର୍କ, ମନ୍ତ୍ରୀ ସ୍କୁଲକୁ ନିୟମିତ ଭାବେ ଆସିବା, ରାଜ୍ୟ ସରକାରଙ୍କ ବହୁ ପ୍ରଭାବଶାଳୀ ମନ୍ତ୍ରୀ ଏବଂ ଶାସକ ବିଜେଡି ନେତାମାନେ ବାରମ୍ବାର ଆସିବା, ବେସରକାରୀ ଶିକ୍ଷାନୁଷ୍ଠାନ ହୋଇଥିବା ସତ୍ତ୍ୱେ ସନସାଇନ ସ୍କୁଲକୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ଅଜସ୍ର ପରିମାଣର ଆର୍ଥିକ ଅନୁଦାନ ପ୍ରଦାନ କରିବା, ‘ସନସାଇନ ସ୍କୁଲକୁ ଆସିଲେ, ମୁଁ ଯୁବକ ହୋଇଯାଏ’ ଭଳି ମନ୍ତ୍ରୀଙ୍କ ବିବୃତି ଆଦି ପ୍ରସଙ୍ଗସବୁ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତିକୁ ସ୍ପଷ୍ଟ ପ୍ରମାଣିତ କରୁଛି। ଏ ସମସ୍ତ ତଥ୍ୟ ସାମ୍ନାକୁ ଆସିବା ପରେ ମଧ୍ୟ ପୋଲିସ କାହିଁକି ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ତଦନ୍ତ ପରିସରଭୁକ୍ତ କରୁନାହାନ୍ତି ବୋଲି ଡ. ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି।ପୋଲିସ ବିଭାଗ କାର୍ଯ୍ୟରେ ଶାସକ ବିଜେଡି ନିଜ ଶାସନ କ୍ଷମତାର ଅପବ୍ୟବହାର ଏବଂ ହସ୍ତକ୍ଷେପ କରି ଅପରାଧୀମାନଙ୍କୁ ସୁରକ୍ଷା ପ୍ରଦାନ କରୁଛନ୍ତି। ଏହି କାରଣରୁ ରାଜ୍ୟରେ ଦିନକୁ ଦିନ ହିଂସା, ହତ୍ୟାକାଣ୍ଡ, ଶିଶୁ ଓ ନାରୀ ନିର୍ଯ୍ୟାତନା ଭଳି ଜଘନ୍ୟ ଅପରାଧ ବୃଦ୍ଧି ପାଇଚାଲିଛି। ଯେଉଁ ଯେଉଁ ଅପରାଧିକ ଘଟଣାରେ ଶାସକ ବିଜେଡିର ମନ୍ତ୍ରୀ, ବିଧାୟକ ତଥା ନେତୃବୃନ୍ଦ ସାମିଲ ଥିବାର ଅଭିଯୋଗ ଆସୁଛି, ପୋଲିସ ସଂପୂର୍ଣ୍ଣ ଭାବେ ପକ୍ଷପାତିତା ଭାବେ ତଦନ୍ତ କରି ସେମାନଙ୍କୁ ଖସେଇ ଦେଉଥିବାର ବିଗତ ଦିନମାନଙ୍କରେ ସ୍ପଷ୍ଟ ପ୍ରମାଣିତ ହୋଇଛି। ପରୀ ଘଟଣାରେ ମନ୍ତ୍ରୀ ଅରୁଣ ସାହୁ, ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନା, ଏସସିଏଫ ସୈାମ୍ୟରଂଜନ ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ସଂପୃକ୍ତି ଆଦି ଘଟଣାରେ ବାଧ୍ୟ ହୋଇ ତଦନ୍ତ କରିଥିବା ରାଜ୍ୟ ସରକାର ପରବର୍ତ୍ତୀ ସମୟରେ ବିଭିନ୍ନ ମନଗଢା କାହାଣି କହି ଓଡଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବା ସହ ଅଭିଯୁକ୍ତ ମନ୍ତ୍ରୀମାନଙ୍କୁ ଖସାଇ ଦେଇଛନ୍ତି। ଏ ସମସ୍ତ ଘଟଣା ପରେ ରାଜ୍ୟବାସୀଙ୍କ ପୋଲିସ ଉପରୁ ନ୍ୟାୟ ପାଇବାର ବିଶ୍ୱାସ ତୁଟିସାରିଛି। ମମିତା ମେହେର ହତ୍ୟାକାଣ୍ଡ ସଂପୃକ୍ତ ଥିବା ମନ୍ତ୍ରୀ ତଥା ରାଜ୍ୟ ପୋଲିସ ବିଭାଗର ଅନ୍ୟତମ ମୁଖିଆ ଶ୍ରୀ ମିଶ୍ରଙ୍କୁ ପୋଲିସ କିପରି ସଠିକ ତଦନ୍ତ କରିପାରିବ ? ‘ଆଇନ ତା ବାଟରେ ଯିବ’ ବୋଲି ବାରମ୍ବାର କହୁଥିବା ମୁଖ୍ୟମନ୍ତ୍ରୀ ପୁଣି ଥରେ ଆଇନ ବାଟରେ ଛିଡ଼ା ହୋଇ ତଦନ୍ତ ପ୍ରକ୍ରିୟାରେ ବାଧା ସୃଷ୍ଟି କରୁଛନ୍ତି ବୋଲି ଲେଖାଶ୍ରୀ ଅଭିଯୋଗ କରିଛନ୍ତି। ମୃତ ମମିତା ମେହେରର ପରିବାରବର୍ଗଙ୍କୁ ନ୍ୟାୟ ପ୍ରଦାନ ପାଇଁ ଏହି ଘଟଣାରେ ସର୍ବପ୍ରଥମେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରାଯାଇ ଗିରଫ କରାଯାଉ ଏବଂ ଯଥାଶୀଘ୍ର ଏହି ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରାଯାଉ। ନଚେତ୍ ଶାସକ ବିଜେଡି ସମସ୍ତ ପ୍ରକାରର କଳକୈାଶଳ ଆପଣାଇ ସାକ୍ଷୀ ଓ ପ୍ରମାଣ ନଷ୍ଟ କରିବାରେ ସଫଳ ହୋଇ ମମିତାର ପରିବାରବର୍ଗଙ୍କୁ ନ୍ୟାୟ ପ୍ରାପ୍ତରୁ ବଂଚିତ ରଖିବେ ବୋଲି ଲେଖାଶ୍ରୀ କହିଛନ୍ତି। ମୃତ ମମିତାର ଆତ୍ମାକୁ ଶାନ୍ତି ଓ ପରିବାରବର୍ଗଙ୍କୁ ନ୍ୟାୟ ପ୍ରଦାନ ପାଇଁ ବିଜେପି ପ୍ରତିଶୃତିବଦ୍ଧ। ତେଣୁ ରାଜ୍ୟ ସରକାର କାଳବିଳମ୍ବ ନକରି ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ବିଜେପି ଏହି ବିକ୍ଷୋଭ ଓ ଆନ୍ଦୋଳନକୁ ବ୍ୟାପକ କରିବ ବୋଲି ଲେଖାଶ୍ରୀ ଚେତାବନୀ ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପ ସଭାନେତ୍ରୀ ଅନିତା ଶୁଭଦର୍ଶନୀ, ରାଜ୍ୟ ସମ୍ପାଦିକା ପିଙ୍କି ପ୍ରଧାନ, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ସୋନାଲୀ ସାହୁ, ମହିଳା ମୋର୍ଚ୍ଚା ରାଜ୍ୟ ସମ୍ପାଦିକା ରଶ୍ମୀରେଖା ଦାସ ପ୍ରମୁଖ ଉପସ୍ଥିତ ଥିଲେ।
-@Dr