ନୂଆ ଦିଲ୍ଲୀ ୧୩-୪ (ଓଡ଼ିଆ ପୁଅ) କୋଭିଡ-୧୯ ସଂକ୍ରମଣର ମୁକାବିଲା ଲାଗି ଘୋଷିତ ଲକଡାଉନ ସମୟରେ ଦେଶର ବିଭିନ୍ନ ରାଜ୍ୟଗୁଡିକର ଆଶ୍ରୟସ୍ଥଳୀ/ଶିବିରରେ ରଖାଯାଇଥିବା ଦାଦନ ଶ୍ରମିକମାନଙ୍କ କଲ୍ୟାଣ ଦିଗରେ କାର୍ଯ୍ୟ କରିବା ଲାଗି ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ କଡାକଡି ରୂପେ ପାଳନ କରିବା ଲାଗି କେନ୍ଦ୍ର ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ପତ୍ର ଲେଖିଛନ୍ତି।
ବିଭିନ୍ନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ଆଶ୍ରୟସ୍ଥଳୀ/ଶିବିରରେ ରହିଥିବା ଦାଦନ ଶ୍ରମିକଙ୍କ ପାଇଁ ଖାଦ୍ୟ, ସ୍ଵଚ୍ଛ ପାନୀୟ ଜଳ ଏବଂ ସ୍ଵଚ୍ଛତାର ସଠିକ ବ୍ୟବସ୍ଥା ସହିତ ଉତ୍ତମ ଚିକିତ୍ସା ପ୍ରଦାନ ସୁନିଶ୍ଚିତ କରିବା ନେଇ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି।
ଏହା ବ୍ୟତୀତ ବିଭିନ୍ନ ଧର୍ମଗୁରୁ ମାନେ ରିଲିଫ କେନ୍ଦ୍ରଗୁଡ଼ିକୁ ଯାଇ ପରାମର୍ଶ ଦେବା ଲାଗି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ଅଦାଲତ ଏହାମଧ୍ୟ ଉପଲବ୍ଧି କରିଛନ୍ତି ଯେ, ପୁଲିସ ଏବଂ ଅନ୍ୟାନ୍ୟ କର୍ତ୍ତୃପକ୍ଷ ଦାଦନ ଶ୍ରମିକମାନଙ୍କ ଭୟ ଏବଂ ଭାବପ୍ରବଣତାକୁ ବୁଝିବା ଆବଶ୍ୟକ। ଏହି ଶ୍ରମିକମାନଙ୍କର ସୁବିଧା ଅସୁବିଧା ବୁଝିବା ଲାଗି ବିଭିନ୍ନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ପୁଲିସ ସହ ସ୍ଵେଚ୍ଛାସେବୀ ସଙ୍ଗଠନଗୁଡିକୁ ମଧ୍ୟ ସାମିଲ କରିବା ଆବଶ୍ୟକ। ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ପତ୍ର ଓ ନିର୍ଦ୍ଦେଶ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟକୁ ଲେଖାଯାଇଥିବା ପତ୍ରରେ ମଧ୍ୟ ସନ୍ନିବେଶିତ ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶ୍ରମିକମାନଙ୍କ ମନରେ ଥିବା ମନସ୍ତାତ୍ତ୍ଵିକ ସମସ୍ୟାକୁ ନେଇ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ବିସ୍ତୃତ ନିୟମାବଳୀ ଜାରି କରିଛନ୍ତି, ଯାହାକି https://www.mohfw.gov.in/pdf/RevisedPsychosocialissuesofmigrantsCOVID19.pdf ରେ ମଧ୍ୟ ଉପଲବ୍ଧ।