Odiapua.com

ରେଳବାଇର ଲଲିପପ୍ :ଫାଷ୍ଟ ପାସେଞ୍ଜର ପରିବର୍ତ୍ତେ ଭୁବନେଶ୍ୱରରୁ କେନ୍ଦୁଝରକୁ ଗଡିବ ମେମୁ ଟ୍ରେନ

କେନ୍ଦୁଝର, ୧୦ ଫେବୃୟାରୀ ୨୦୨୦ (ଓଡ଼ିଆ ପୁଅ/ବିଭୂତିଭୂଷଣ ପଟ୍ଟନାୟକ) ଏଥର ଫ୍ରଥମ ଥର ପାଇଁ ଭୁବନେଶ୍ୱରରୁ କେନ୍ଦୁଝରକୁ ଗଡିବ ମେମୁ ଟ୍ରେନ। ଭୁବନେଶ୍ୱର ରୁ କେନ୍ଦୁଝର କୁ ଦୈନିକ ଚଳାଚଳ କରୁଥିବା ଫାଷ୍ଟ ପାସେଞ୍ଜର ଟ୍ରେନ ପରିବର୍ତ୍ତେ ଏବେ ସେହି ସମୟରେ ମେମୁ ଟ୍ରେନ୍ ଚଳାଇବାକୁ ଭାରତୀୟ ରେଳବାଇ ପକ୍ଷରୁ ନିଷ୍ପତି ନିଆଯାଇଛି। ଏହି ମେମୁ ଟ୍ରେନରେ ଯାତ୍ରୀମାନେ ବିଭିନ୍ନ ଅତ୍ୟାଧୁନିକ ସେବା ପାଇପାରିବେ ବୋଲି ଜଣାପଡିଛି। ଏହି ମେମୁ ଟ୍ରେନ ପୂର୍ବତଟ ରେଳବାଇର ଖୋର୍ଦ୍ଧା ରୋଡ ରେଳ ମଣ୍ଡଳର ଅଷ୍ଟମ ମେମୁ ଟ୍ରେନ ଭାବେ ପରିଗଣିତ ହେବ। ଫେବୃଆରୀ ୧୨ ତାରିଖଠାରୁ ଏହି ମେମୁ ଟ୍ରେନ ଚଳାଚଳ କରାଯିବାକୁ ସ୍ଥିର କରାଯାଇଛି। ଯାହାକି ଭୁବନେଶ୍ୱର ଠାରୁ କେନ୍ଦୁଝରକୁ ଅପରାହ୍ନ ୪.୩୦ ରେ ଯାତ୍ରା କରିବ। ଫଳରେ ୧୨ ତାରିଖ ବୁଧବାର ଦିନ ସକାଳ ୬.୩୦ ମିନିଟ ରେ ଫାଷ୍ଟ ପାସେଞ୍ଜର ଟ୍ରେନର କେନ୍ଦୁଝର ଠାରୁ ଭୁବନେଶ୍ୱରକୁ ଶେଷ ଯାତ୍ରା ହେବ। ଏବଂ ୧୩ ତାରିଖଠାରୁ ଫାଷ୍ଟ ପାସେଞ୍ଜର ଭଳି କେନ୍ଦୁଝର ଠାରୁ ଭୁବନେଶ୍ୱର ମଧ୍ୟରେ ଦୈନିକ ମେମୁ ଟ୍ରେନ ଚଳାଚଳ କରିବ। ଏହି ମେମୁ ପୂର୍ବରୁ ଚାଲୁଥିବା ଫାଷ୍ଟ ପାସେଞ୍ଜର ଟ୍ରେନର ସ୍ଥିରୀକୃତ ଷ୍ଟେସନ ଓ ସମୟ ସାରଣୀ ଅନୁଯାୟୀ ଭୁବନେଶ୍ୱର ଓ କେନ୍ଦୁଝର ମଧ୍ୟରେ ଚଳାଚଳ କରିବ ବୋଲି ଜଣାପଡିଛି। ଫାଷ୍ଟ ପାସେଞ୍ଜର ଭଲି ମେମୁ ଟ୍ରେନରେ ମଧ୍ୟ ଟଏଲେଟ ସହ ଅନ୍ୟାନ୍ୟ ସୁବିଧା ରହିବ ବୋଲି ସୂଚନା ମିଳିଛି। ମେମୁ ଟ୍ରେନ ଅଧିକ ଭାବେ ସମୟାନୁବର୍ତିତାକୁ ଅବଲମ୍ବନ କରୁଥିବା ବେଳେ ଯାତ୍ରୀମାନେ ଅଧିକ ଆରାମରେ ନିର୍ଦ୍ଦିଷ୍ଟ ସମୟରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବେ ବୋଲି ଆଶା କରାଯାଏ। ଏହି ଟ୍ରେନରେ ଏୟାର ସ୍ପିଙ୍ଗ ସହିତ ସେକେଣ୍ଡାରୀ ସସପେନସନ୍ ରହିଥିବାରୁ ପୂର୍ବାପେକ୍ଷା ଯାତ୍ରୀମାନେ ଆରାମରେ ଯିବା ଆସିବା କରିପାରିବେ। ମେନ୍ ଲାଇନ୍ ଇଲେକଟ୍ରିକ୍ ମଲଟିପଲ ବା ମେମୁ ଭାବେ ପରିଗଣିତ ଟ୍ରେନ ପିକ୍ଅପ୍ ମାତ୍ରାରେ ନେଇ ପାରୁଥିବାବେଳେ ଖୁବକମ୍ ସମୟ ମଧ୍ୟରେ ବ୍ରେକ୍ ଧରିଥାଏ। ପ୍ରତି ବଗିରେ ୮୦ଜଣ ଯାତ୍ରୀ ଯିବାର ବ୍ୟବସ୍ଥା ଥିବାବେଳେ ୧୬୦ ଜଣ ଯାତ୍ରୀ ଛିଡା ହୋଇ ଯାତ୍ରା କରିବାର ବ୍ୟବସ୍ଥା ରହିଛି। ଏହି ଟ୍ରେନର ଘଟାଂ ପ୍ରତି ବେଗ ୧୦୦ କିଲୋମିଟର ରହିଥିବା ବେଳେ ଏଥିରେ ୧୨ଟି ବଗି ରହୁଥିବା ବେଳେ ଇଞ୍ଜିନ ମଝିରେ ରହିବ ବୋଲି ଜଣାପଡିଛି।

ଅନ୍ୟ ପକ୍ଷରେ କେନ୍ଦୁଝର ଜିଲ୍ଲାରୁ ଖଣିଜ ପଦାର୍ଥି ଆଦି ପରିବହନ କରି ବାର୍ଷିକ ହଜାର ହଜାର କୋଟି ଟଙ୍କା ଆୟ କରୁଥିବା ରେଳବାଇ ବିଭାଗ ବାରମ୍ବାର କେନ୍ଦୁଝର ଜିଲ୍ଲାବାସୀଙ୍କ ଦାବି ପ୍ରତି ଅଣଦେଖା କରିବା ସହ ବାରମ୍ବାର ବୈମାତୃକ ମନୋଭାବ ପ୍ରଦର୍ଶନ କରି ଆସୁଥିବା ବେଳେ ଏବେ ମେମୁ ଟ୍ରେନ ନାମରେ ଲଲିପପ୍ ଧରାଇଛି ବୋଲି ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି। ଏପରିକି ପୁରୀ –କେନ୍ଦୁଝର ଟ୍ରେନକୁ ରାଉରକେଲାକୁ ସଂପ୍ରସାରଣ କରାଯିବା ପରେ ଏହି ଟ୍ରେନ କେବେହେଲେ ବି ଠିକ ସମୟରେ କେନ୍ଦୁଝରରେ ପହଞ୍ଝେ ନାହିଂ। ଏବଂ କେନ୍ଦୁଝରରୁ ଚଢୁଥିବା ଯାତ୍ରୀ ମାନଙ୍କୁ ସ୍ଥାନ ମଧ୍ୟ ମିଳେ ନାହିଁ। ଏହି ଟ୍ରେନର ସମୟନୁବର୍ତିତା ଆଦୌ ନାହିଁ। ଏଦିଗରେ ମଧ୍ୟ ଦୃଷ୍ଟି ଦିଆଯାଉ ନାହିଁ। ବଡବିଲ ବାଂଶପାଣି ରେଳପଥ ପିଙ୍କବୁକ୍ ରେ ସ୍ଥାନ ପାଇଥିଲେ ମଧ୍ୟ ପଦକ୍ଷେପ ନିଆଯାଉନାହିଁ।