Odiapua.com

ମୌସୁମୀ ଆସିଲା ପଛକେ ଅଧାପନ୍ତରିଆ ଅଙ୍ଗନାବାଡ଼ି ଗୃହ ନିର୍ମାଣ ଶେଷ ହେଲାନି

ନୟାଗଡ଼, ୧୬ା୬: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ସରକାର କୋମଳମତି ଶିଶୁମାନଙ୍କ ବୌଦ୍ଧିକ, ମାନସିକ, ପୌଷ୍ଟିକ ଓ ପ୍ରିସ୍କୁଲରୁ ଶିକ୍ଷା ଦାନ ଉଦ୍ଦେଶ୍ୟରେ ଅଙ୍ଗନବାଡ଼ି ଖୋଲିଛନ୍ତି। ଏପରିକି ଶିଶୁମାନଙ୍କ ସାମଗ୍ରୀକ ବିକାଶ ପାଇଁ ବିଭିନ୍ନ ସୁବିଧା ମଧ୍ୟ ଖଞ୍ଜିଛନ୍ତି। ଶିଶୁମାନେ କିଏ କେଉଁଠି ସ୍ମୁଲ ଘରେତ କିଏ ଗଛ ମୂଳେ ଓ ଆଉ କିଏ କେଉଁଠି କାହା ବାରଣ୍ଡାରେ ତ କିଏ ଭଡ଼ା ଘରେ ବସୁଛନ୍ତି। ହେଲେ ସେମାନେ ଟିକିଏ ସୁବିଧାରେ ବସିବା ପାଇଁ ଭଲ ଘର ଖଣ୍ଡିଏ ନିର୍ମାଣ କରାଯାଇ ପାରିଲା ନାହିଁ। ରାଜ୍ୟରେ ଏବେ ମୌସୁମୀ ସକ୍ରୀୟ। ଆଉ କିଛିଦିନ ପରେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବ। ପିଲାମାନେ ସେହି ପୂର୍ବବତ କିଏ କେଉଁଠି ପୁଣି ଅସୁବିଧାରେ ବସିବେ। ଅଙ୍ଗନବାଡ଼ି ଗୃହ ନିର୍ମାଣ ପାଇଁ ବ୍ଳକର ଜେଇ ମାନଙ୍କୁ ଦାୟିତ୍ୱ ଦିଆଯାଇଛି। ହେଲେ ଜେଇମାନେ କାହିଁକି ଗୃହ ନିର୍ମାଣ କାର୍ଯ୍ୟରେ ମନୋନିବେଶ କରୁନାହାନ୍ତି ତାହାବି ସମସ୍ତଙ୍କୁ ଅସବିଧାରେ ପକାଇଛି। ଏଥିପାଇଁ ବିଭାଗୀୟ ଅଧିକାରୀଙ୍କ ଇଛାଶକ୍ତିର ଅଭାବ ନା ପିସି କାରବାରରେ ଭାଗ ନଛିଣ୍ଡିବା କାରଣରୁ ଏସିବୁ ଅଧାପନ୍ତରିଆ ଅଙ୍ଗନବାଡ଼ି ଗୃହ ନିର୍ମାଣରେ ପୂର୍ଣ୍ଣତା ଆସିପାରୁନାହିଁ ତାହା ଅନେକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି  ା ଜିଲାରେ ଏବେ ୩୦୬ଟି ଗୃହ ନିର୍ମାଣର କାର୍ଯ୍ୟ ଅନୁକୂଳ ହୋଇନଥିବାବେଳେ ୪ଶହଟି ଗୃହ ଅଧାପନ୍ତରିଆ ହୋଇ ପଡ଼ିରହିଛି। ଜିଲାର ବ୍ଳକ ଅନୁଯାୟୀ ଦେଖିଲେ ଭାପୁର ବ୍ଳକର ୧୨୫ଟି ଗୃହ ନିର୍ମାଣ ପାଇଁ ଆସିଥିବାବେଳେ ସେଥିମଧ୍ୟରୁ ୮ଟିର କାର୍ଯ୍ୟ ମୂଳରୁ ଆରମ୍ଭ ହୋଇନଥିବାବେଳେ ୩୩ଟି କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ରହିଛି। ସେହିପରି ଦଶପଲ୍ଲା ୍‌ବ୍ଳକରେ ୨୧୩ ଟି ଗୃହ ମଧ୍ୟରୁ ୬୪ଟି କାର୍ଯ୍ୟ ହୋଇନଥିବାବେଳେ ୪୯ଟି ଅଧାରେ ରହିଛି। ଗଣିଆ ବ୍ଳକରେ ୬୯ଟି ମଧ୍ୟରୁ ୧୨ଟି କାର୍ଯ୍ୟ ଆରମ୍ଭ ହୋଇନଥିବାବେଳେ ୧୭ଟି ଅଧାରେ, ଖଣ୍ଡପଡ଼ା ବ୍ଳକରେ ୧୬୫ ଟି ମଧ୍ୟରୁ ୩୧ଟି ଆରମ୍ଭ ହୋଇନଥିବାବେଳେ ୪୩ଟି ଅଧାରେ, ନୟାଗଡ଼ ବ୍ଳକରେ ୧୯୬ଟି ମଧ୍ୟରୁ ୫୦ଟି ଆରମ୍ଭ ହୋଇନଥିବାବେଳେ ୩୮ଟି ଅଧାପନ୍ତରିଆରେ, ନୂଆଗାଁ ବ୍ଳକରେ ୧୬୫ରୁ ୪୬ଟି ଆରମ୍ଭ ହୋଇନଥିବାବେଳେ ୫୩ଟି ଅଧାରେ, ଓଡ଼ଗାଁ ବ୍ଳକରେ ୨୦୫ଟିରୁ ୪୭ଟି ଆରମ୍ଭ ହୋଇନଥିବାବେଳେ ୫୦ଟି ଅଧାରେ ପଡ଼ିରହିଛି। ରଣପୁର ବ୍ଳକରେ ୨୬୮ ମଧ୍ୟରେ ୪୮ଟି ମୂଳରୁ ଆରମ୍ଭ ହୋଇନଥିବାବେଳେ ୧୧୧ଟି ଗୃହ ସେମିତି ଅଧାପନ୍ତରିଆଭାବେ ପଡ଼ି ରହିଛି। କାହିଁକି ଗୃହ ନିର୍ମାଣରେ ଶିଥିଳତା ଦେଖାଦେଉଛି ବୋଲି କେତେକ ଲୋକେ ପିସି କାରବାର ତୁଟୁନଥିବାରୁ ଏପରି ବ୍ୟତିକ୍ରମ ଘଟୁଛି ବୋଲି ଅଭିଯୋଗ ହେଉଛି। ସବୁରି ମୂଳରେ ବ୍ଳକ ଜେଇ ଥିବାରୁ ଅଙ୍ଗନବାଡ଼ି ଗୃହ ନିର୍ମାଣରେ ଏପରି ସମସ୍ୟା ଦେଖା ଯାଉଥିବା ଅଭିଯୋଗ ହେଉଛି। ଅଙ୍ଗନବାଡ଼ି ଗୃହ ଯଥାଶୀଘ୍ର ଶେଷ କରିବାକୁ ଜିଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କାହିଁକି ସେମାନେ ଜିଲାପାଳଙ୍କ ନିର୍ଦ୍ଦେଶକୁ ମାନୁନାହାନ୍ତି ତାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। କୋମଳମତି ଶିଶୁମାନଙ୍କ ସୁବିଧା ଦୃଷ୍ଟିରୁ ଅଙ୍ଗନବାଡ଼ି ଗୃହ ନିର୍ମାଣ ଯଥାଶୀର୍ଘ ଶେଷ କରିବାକୁ ସାଧାରଣରେ ଦାବି ହେଉଛି।