Odiapua.com

କରୋନା ମୁକାବିଲା : ୧୩୨ ଲକ୍ଷରୁ ଅଧିକ ମାସ୍କ ତିଆରି କଲେ ଏସ୍ଏଚଜି

– ଜାତୀୟ ଗ୍ରାମୀଣ ଜୀବିକା ମିଶନ କାର୍ଯ୍ୟକ୍ରମରେ ମାସ୍କ ପ୍ରସ୍ତୁତିକୁ ପ୍ରୋତ୍ସାହନ

ନୂଆଦିଲ୍ଲୀ ୫-୪ (ଓଡ଼ିଆ ପୁଅ) କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ଦେଶରେ ମାସ୍କର ଆବଶ୍ୟକତା ଯଥେଷ୍ଟ ବୃଦ୍ଧି ପାଇଥିବାରୁ ସେହି ଚାହିଦା ପୂରଣ କରିବାକୁ ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଏନ୍.ଆର.ଏଲ୍.ଏମ୍) ମାଧ୍ୟମରେ ଉଦ୍ୟମ ଆରମ୍ଭ ହୋଇଛି। ଦେଶର ୨୪ ଟି ରାଜ୍ୟର ୩୯୯ ଜିଲ୍ଳାରେ ଥିବା ସ୍ୱୟଂ ସହାୟିକା ଗୋଷ୍ଠୀ (ଏସ୍ଏଚଜି) ଏହି କାମରେ ଲାଗିଛନ୍ତି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟକାରୀ ହେଉଥିବା ଏନ୍.ଆର.ଏଲ.ଏମ୍. ମାଧ୍ୟମରେ ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ଏଥିପାଇଁ ପ୍ରୋତ୍ସାହିତ କରାଯାଉଛି। ଗତ ୧୦ ଦିନ ମଧ୍ୟରେ ଏହି ଗୋଷ୍ଠୀଗୁଡିକ ଦ୍ୱାରା ୧୩୨ ଲକ୍ଷରୁ ଅଧିକ ମାସ୍କ ଉତ୍ପାଦିତ ହୋଇଛି। ଏଥିରେ ୧୪୫୨୨ ସ୍ୱୟଂ ସହାୟିକା ଗୋଷ୍ଠୀର ମୋଟ ୬୫, ୯୩୬ ସଦସ୍ୟ ସାମିଲ ହୋଇଛନ୍ତି।

ଆନ୍ଧ୍ରପ୍ରଦେଶର ପାଞ୍ଚଟି ଜିଲ୍ଲାରୁ ୪୨୮୧ ସ୍ୱୟଂସହାୟିକା ଗୋଷ୍ଠୀର ୨୧, ୦୨୮ ସଦସ୍ୟା ଏହି ୧୦ ଦିନ ମଧ୍ୟରେ ୨୫ ଲକ୍ଷ ୪୧ ହଜାର ୪୪୦ଟି ମାସ୍କ ଉତ୍ପାଦିତ କରିଛନ୍ତି। ତାମିଲନାଡୁର ୩୨ ଜିଲ୍ଳାରୁ ୧୯୨୭ ସ୍ୱୟଂସହାୟିକା ଗୋଷ୍ଠୀର ୧୦, ୭୮୦ ସଦସ୍ୟା ଏହି ସମୟରେ ଉତ୍ପାଦନ କରିଛନ୍ତି ୨୬ ଲକ୍ଷ ୧୭ ହଜାର ୩୫ ମାସ୍କ। ବିହାର, ଛତିଶଗଡ, ଗୁଜରାଟ, କେରଳ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ ଏବଂ ଉତ୍ତର ପୂର୍ବାଚଂଳର ଅନେକ ରାଜ୍ୟରେ ଥିବା ସ୍ୱୟଂ ସହାୟିକା ଗୋଷ୍ଠୀ ଏହି କାମରେ ଲାଗିଛନ୍ତି।