Odiapua.com

ବଦଳିଯିବ କି ଭଦ୍ରକ ବିଜେପି ସମୀକରଣ? ଜଗା ହାତରେ ପଘା!

ଭୁବନେଶ୍ୱର/ଭଦ୍ରକ: ବଦଳିଯିବ ଓଡ଼ିଶା ବିଜେପି ସମୀକରଣ ଏବଂ ତାହା ସହିତ ମଧ୍ୟ ବଦଳିଯିବ କି ଭଦ୍ରକ ବିଜେପି ସମୀକରଣ? ମନମୋହନ ସାମଲ ରାଜ୍ୟ ସଭାପତି ହେବା ପରେ ଏହିପରି କିଛି ଆକଳନ କରାଯାଉଛି। ଯାହା ସୂଚନା ମିଳୁଛି ଖୁବ୍ ଶୀଘ୍ର ରାଜ୍ୟ ବିଜେପିର ହେବ ନବକଳେବର। ମନମୋହନ ସାମଲ ରାଜ୍ୟ ସଭାପତି ହେବା ପରେ ସେ ତାଙ୍କ ନୂତନ ଟିମ୍ ଗଠନ କରିବେ। ଏବେ ଭଦ୍ରକରେ ଆୟୋଜିତ ରାମ ନବମୀ ମହାଯଜ୍ଞ କାର୍ଯ୍ୟକ୍ରମ ପାଇଁ ହୁଏତ ମନମୋହନ ହୁଏତ ସେଇଠି ବ୍ୟସ୍ତ ରହିଥିଲେ। ଏବେ କିନ୍ତୁ ଆରମ୍ଭ ହୋଇଯିବ ଆକ୍ସନ୍ ଏବଂ ଖୁବ୍ ଶୀଘ୍ର ରାଜ୍ୟ ବିଜେପିର ହେବ ନବକଳେବର ବୋଲି ସୂଚନା ମିଳୁଛି। ଏମିତିରେ ଦେଖିଲେ ରାଜ୍ୟ ସଭାପତି ଭାବରେ ନିଯୁକ୍ତ ହେବା ପରେ ଏବଂ ସମ୍ବର୍ଦ୍ଧନା ସଭା ପୂର୍ବରୁ ନିଜ ଗୃହ ଜିଲ୍ଲା ଭଦ୍ରକ ବିଜେପି ଉପରେ ମନମୋହନ ନେଇ ସାରିଛନ୍ତି ଏକ ଆକ୍ସନ୍। ଭଦ୍ରକ ଜିଲ୍ଲା ବିଜେପିରେ ଦୀର୍ଘ ଦିନ ହେଲା ଅବହେଳିତ ହୋଇ ରହି ଆସିଥିବା ଭଗବାନ ପଣ୍ଡାଙ୍କୁ ଜିଲ୍ଲା ସାଧାରଣ ସମ୍ପାଦକ ଭାବରେ ନିଯୁକ୍ତି ଦେବାକୁ ଜିଲ୍ଲା ସଭାପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ ମନମୋହନ। ଜିଲ୍ଲା ସଭାପତି ମଧ୍ୟ ତାହା ତୁରନ୍ତ କାର୍ଯ୍ୟକାରୀ କରିଥିଲେ। ଆରମ୍ଭରୁ ନିଜ ଜିଲ୍ଲା ବିଜେପି ସଙ୍ଗଠନ ଉପରେ କର୍ତ୍ତୃତ୍ୱ ଜାହିର କରିଛନ୍ତି ମନମୋହନ। ଏହାପରେ ମନମୋହନ ଜିଲ୍ଲା ସଭାପତିଙ୍କୁ ହଟାଇ ଦେଇପାରନ୍ତି ବୋଲି ଜିଲ୍ଲାରେ ଆଲୋଚନା ଜୋର୍ ଧରିଛି। କାରଣ ଭଦ୍ରକ ଜିଲ୍ଲା ବିଜେପିରେ ବିଶୃଙ୍ଖଳା ପଛରେ ଜିଲ୍ଲା ସଭାପତି ହେମନ୍ତ କୁମାର ପାଢ଼ୀଙ୍କ ବଡ଼ ଭୂମିକା ବୋଲି କୁହାଯାଏ।ଭଦ୍ରକ ଜିଲ୍ଲା ବିଜେପିରେ ଏବେ ସବୁ କିଛି ଠିକ୍ ନାହିଁ। ପରିବାରବାଦ, ଗୋଷ୍ଠୀବାଦ ଆଦି ଭିତରେ ଅନେକ ଦକ୍ଷ ନେତାନେତ୍ରୀ ଏବଂ କାର୍ଯ୍ୟକର୍ତ୍ତା ଅଣନିଶ୍ୱାସୀ ହୋଇ ରହିଛନ୍ତି। କିଏ ବସି ପଡ଼ିଛନ୍ତି, କିଏ ଦଳ ଛାଡ଼ିଛନ୍ତି ଅବା କିଏ ତଡ଼ା ଖାଇଛନ୍ତି। ନୀତି, ଆଦର୍ଶ ଓ ବିଚାରଧାରାରୁ ବିଚ୍ୟୁତ ହୋଇସାରିଛି ଭଦ୍ରକ ବିଜେପି। ଦଳରେ ବ୍ୟକ୍ତିବାଦ ଚାଲିଛି। ଅଳ୍ପ କେତେକ ତଥାକଥିତ ନେତୃ ମଣ୍ଡଳୀଙ୍କ କର୍ପୋରେଟ୍ ଚିନ୍ତାଧାରା ପାଇଁ ବହୁ ସାଧାରଣ କର୍ମୀ ଏବେ ଅବସାଦ ମଧ୍ୟରେ ଗତି କରୁଛନ୍ତି। ବାସ୍ତବ କର୍ମୀଙ୍କୁ କୋଣଠେସା କରି ରଖାଯାଉଛି ବୋଲି ଅଭିଯୋଗ ଆଣି କିଛି ଦିନ ତଳେ ଜିଲ୍ଲା ବିଜେପିର କିଛି ମୂଳ ବିଚାରଧାରାର ନେତୃତ୍ୱ ଏବଂ ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତା ଦଳର ପ୍ରଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ୬ ବର୍ଷର ପ୍ରାଥମିକ ସଭ୍ୟ ହୋଇନଥିବା ଜଣେ ବ୍ୟକ୍ତିଙ୍କୁ ଆଣି ଜିଲ୍ଲା ସଭାପତି କରାଯାଇଛି, ଯେ କି ନିଜ ଇଚ୍ଛା ଅନୁସାରେ ଦଳ ଚଳାଇଛନ୍ତି ବୋଲି ଦଳ ଛାଡ଼ିଥିବା ନେତୃତ୍ୱ ମାନେ ସେତେବେଳେ ମତବ୍ୟକ୍ତ କରିଥିଲେ।ତେବେ, ମନମୋହନ ସଭାପତି ହେବା ପରେ ଅସନ୍ତୁଷ୍ଟ ହୋଇ ଦଳ ଛାଡ଼ିଥିବା ଅନେକ ନେତାନେତ୍ରୀ ଏବଂ କାର୍ଯ୍ୟକର୍ତ୍ତା ପୁଣି ଦଳକୁ ଫେରି ଆସିବେ ବୋଲି ଏବେଠୁ ଆଲୋଚନା ଆରମ୍ଭ ହୋଇଗଲାଣି। ଯାହା ଭଦ୍ରକ ବିଜେପି ପାଇଁ ଶୁଭ ସୂଚନା ନିଶ୍ଚିତ। ମନମୋହନ ସେମାନଙ୍କୁ ଫେରାଇ ଆଣିବା ସହ ବିବାଦୀୟ ଜିଲ୍ଲା ସଭାପତି ହେମନ୍ତ ପାଢ଼ୀଙ୍କୁ ହଟାଇ ତାଙ୍କ ତାଙ୍କ ସ୍ଥାନରେ ବିଜେପି ମୂଳ ବିଚାରଧାରର ହୋଇଥିବା ସହିତ ନିଜର ଜଣେ ବିଶ୍ୱସ୍ତଙ୍କୁ ଜିଲ୍ଲା ସଭାପତି ଭାବରେ ବସାଇ ପାରନ୍ତି ବୋଲି କୁହାଯାଉଛି। ଏମିତିରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରହିଥିବା ଜଗନ୍ନାଥ ଦାସଙ୍କ ନାମ ସର୍ବାଗ୍ରେ ଚର୍ଚ୍ଚା ହେଉଛି। ଜଗା ହାତରେ ଭଦ୍ରକ ବିଜେପିର ପଘା ଧରାଇ ପାରନ୍ତି ମନମୋହନ ବୋଲି ଅନୁମାନ କରାଯାଉଛି।

ଅବ୍ ତେରା କ୍ୟା ହୋଗା ରେ କାଳିଆ .. ?


-/Dev@Drath