Odiapua.com

ମହିଳାଙ୍କ ସୁରକ୍ଷା, ମହିଳାଙ୍କ ସମ୍ମାନ ପାଇଁ ଆନ୍ଦୋଳନ: ନିଜ ରକ୍ଷଣ ଅସମ୍ଭାଳ, ସେ କାହୁଁ ପରକୁ ..

ଭୁବନେଶ୍ୱର: ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ଗୃହରାଜ୍ୟ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର, ଗିରଫ୍ ଏବଂ ଘଟଣାର ସିବିଆଇ ତଦନ୍ତ ଦାବୀରେ କ୍ୟାଣ୍ଡେଲ୍ ଯାତ୍ରା, କୋକେଇ ଯାତ୍ରା, ମହିଳା ସୁରକ୍ଷା ଯାତ୍ରା, ନ୍ୟାୟ ଯାତ୍ରା, ମୁଖ୍ୟମନ୍ତ୍ରୀଙ୍କୁ ସାମାଜିକ ବାସନ୍ଦ, ବିକ୍ଷୋଭ, ଘେରାଓ, ପ୍ରଦର୍ଶନ ଆଦି କାର୍ଯ୍ୟକ୍ରମ କରୁଛି ବିଜେପି। ଏଥିରେ ଆଗରେ ରହିଛି ବିଜେପି ମହିଳା ମୋର୍ଚ୍ଚା। କୁନ୍ଦୁଲି ଠାରୁ ଆରମ୍ଭ କରି ଅନେକ ଘଟଣାରେ ଆଉ ଏବେ ମାହାଲିଙ୍ଗ ଘଟଣାରେ ମହିଳା ସୁରକ୍ଷା, ମହିଳାଙ୍କ ସମ୍ମାନ କଥା ଉଠାଇ ଚିତ୍କାର କରୁଛି ବିଜେପି। “ବିଜେଡି ଶାସନରେ ମହିଳା ଅସୁରକ୍ଷିତ” ନ୍ୟାରା ଦେଇ ମହିଳା ସୁରକ୍ଷା ଦିଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରୁଛି ବିଜେପି। ଦିନେ ତତ୍କାଳୀନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ଦାମ ରାଉତଙ୍କ ‘ସ୍ୱାମୀ ଛାଡ଼ି ଅଙ୍ଗନବାଡ଼ି’ ଟିପ୍ପଣୀ ବିଜେପି ଶିବିରରେ ନିଆଁ ଲଗାଇ ଦେଇଥିଲା। ଏହାପରେ ଦାମ ରାଉତଙ୍କ ଇସ୍ତଫା ଦାବି କରି ବିଜେପି ମହିଳା ମୋର୍ଚ୍ଚା ତୀବ୍ର ଆନ୍ଦୋଳନ କରିଥିଲା। ଦାମ ବାବୁଙ୍କୁ ଶ୍ରୀଖଣ୍ଡୀର ଆଖ୍ୟା ଦେଇଥିଲେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। କିନ୍ତୁ, ୨୦୧୯ ନିର୍ବାଚନ ପୂର୍ବରୁ ସେହି ଶ୍ରୀଖଣ୍ଡି ଆସି ପଦ୍ମ ପୋଖରୀରେ ବୁଡ଼ ପକାଇଲେ। ଦାମ ରାଉତ ବିଜେଡି ଛାଡ଼ି ଆସି ବିଜେପିରେ ଯୋଗଦେଲେ। ଯାହାଙ୍କୁ ମହିଳା ବିରୋଧୀ କହି ତାଙ୍କ ବହିଷ୍କାର ଦାବି କରି ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରି ବିଜେପି ମହିଳା ମୋର୍ଚ୍ଚା ଚିତ୍କାର କରୁଥିଲା, ସେହି ନାରୀ ବିରୋଧୀ ନେତାଙ୍କୁ ଏମାନଙ୍କ ନେତା ଧର୍ମେନ୍ଦ୍ର ପ୍ରଧାନ ଫୁଲତୋଡ଼ା ଦେଇ, ଟୋପି ପିନ୍ଧାଇ ନିଜ ଦଳକୁ କୋଳାଇ ନେଲେ! କେବଳ ସେତିକି ନୁହେଁ, ତାଙ୍କୁ ବିଜେପିର ନିର୍ବାଚନ ପ୍ରଚାର କମିଟି ଅଧ୍ୟକ୍ଷ କରାଗଲା ବିଜେପିରୁ ଟିକେଟ୍ ମଧ୍ୟ ଦିଆଗଲା। ପଦ୍ମ ପୋଖରୀରେ ବୁଡ଼ ପକାଇ ଶ୍ରୀଖଣ୍ଡି ବୋଧେ ପୁରୁଷତ୍ୱ ପ୍ରାପ୍ତ କରିଥିଲେ!
ଏବେ ସେହିପରି ପୁଣି ଏକ ଘଟଣା ଦେଖିବାକୁ ମିଳିଛି। ମମିତା ମେହେରଙ୍କୁ ନ୍ୟାୟ ଦେବା ପାଇଁ ଚାଲିଥିବା ଆନ୍ଦୋଳନରେ ଅଭିନେତ୍ରୀରୁ ନେତ୍ରୀ ପାଲଟିଥିବା ପିଙ୍କି ପ୍ରଧାନଙ୍କ ବଡ଼ ଭୂମିକା ଦେଖିବାକୁ ମିଳିଛି। ମହିଳା ସୁରକ୍ଷା, ମହିଳାଙ୍କୁ ସମ୍ମାନ ପ୍ରସଙ୍ଗରେ ରାଜରାସ୍ତାରେ, ଟିଭି ବାଇଟରେ ଖୁବ୍ ଚିଲେଉଛନ୍ତି ପିଙ୍କି ପ୍ରଧାନ। ଦିନେ ବିଜେପି ନେତ୍ରୀ, ତତ୍କାଳୀନ ଝାରସୁଗୁଡ଼ା ବିଧାୟିକା ରାଧାରାଣୀ ପଣ୍ଡାଙ୍କ ଉଦ୍ଦେଶ୍ୟରେ ତତ୍କାଳୀନ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଅଶାଳୀନ ମନ୍ତବ୍ୟ ଦେଇଥିଲେ ବୋଲି ଖୁବ୍ ଚିତ୍କାର କରିଥିଲା ବିଜେପି ମହିଳା ମୋର୍ଚ୍ଚା। ସେହିପରି କିଛି ଅଶାଳୀନ ମନ୍ତବ୍ୟର ଶୀକାର ହୋଇଥିଲେ ବିଜେପି ନେତ୍ରୀ ପିଙ୍କି ପ୍ରଧାନ। ତାହା ପୁଣି କେଉଁ କୌଣସି ବିଜେଡି ନେତାଙ୍କ ଠାରୁ ନୁହେଁ, ବରଂ ନିଜ ଦଳର ନେତା ପିଙ୍କି ପ୍ରଧାନଙ୍କୁ ସର୍ବସାଧାରଣରେ କରିଥିଲେ ବେଇଜତ୍! ଅଭିନେତ୍ରୀରୁ ନେତ୍ରୀ ପାଲଟିଥିବା ପିଙ୍କି ପ୍ରଧାନ ୨୦୧୯ ନିର୍ବାଚନରେ ଦିଗପହଣ୍ଡିରୁ ବିଜେପି ପ୍ରାର୍ଥୀ ଘୋଷଣା କରାଯିବା ପରେ ସ୍ଥାନୀୟ ବିଜେପିରେ ଦେଖାଦେଇଥିଲା ବିଦ୍ରୋହ। ପିଙ୍କିଙ୍କୁ ଟିକେଟ୍ ମିଳିବା ପରେ ଦିଗପହଣ୍ଡି ପାଇଁ ଆଶାୟୀ ଥିବା ଉତ୍ତମ ପାଣିଗ୍ରାହୀ ଦଳ ବିରୋଧରେ ବିଦ୍ରୋହ ଆରମ୍ଭ କରି ଦେଇଥିଲେ। ଅସନ୍ତୋଷ ଜଣାଇବା ପାଇଁ ଉତ୍ତମ ଓ ତାଙ୍କର ସମର୍ଥକ ପାର୍ଟି ଅଫିସରେ ତାଲା ପକାଇଥିଲେ। କେବଳ ଯେ ସୂର୍ଯ୍ୟ ପାତ୍ର ଟିକେଟ୍ କିଣି ନେଇଛନ୍ତି ବୋଲି ଉତ୍ତମ ବିଜେପିକୁ ଆକ୍ଷେପ କରିନଥିଲେ, ଏକ ସର୍ବସାଧାରଣ ସଭାରେ ପିଙ୍କି ପ୍ରଧାନ ଯୋଗ ଦେଇଥିବା ବେଳେ ଉତ୍ତମ ପାଣିଗ୍ରାହୀଙ୍କ ସମର୍ଥକ ଏବଂ ନିଜେ ଉତ୍ତମ ପାଣିଗ୍ରାହୀ ପିଙ୍କି ପ୍ରଧାନଙ୍କ ଉଦ୍ଦେଶ୍ୟରେ ଅତ୍ୟନ୍ତ କଟୁ ମନ୍ତବ୍ୟ ଦେଇଥିଲେ। ପିଙ୍କି ପ୍ରଧାନ ବେଇଜତ୍ ହୋଇ ସଭା ସ୍ଥଳ ଛାଡ଼ି ଚାଲି ଯାଇଥିଲେ।

ଏହାପରେ ଉତ୍ତମ ପାଣିଗ୍ରାହୀ ସ୍ୱାଧୀନ ପାର୍ଥି ଭାବରେ ନିର୍ବାଚନ ଲଢ଼ିଥିଲେ। ଭରି ସଭାରେ ନିଜ ଦଳର ଜଣେ ନେତ୍ରୀଙ୍କୁ ବେଇଜତ୍ କରିଥିବା ସେହି ନେତାଙ୍କୁ ଏବେ ପୁଣି ବିଜେପି ଆପଣାଇ ନେଇଛି। ନିକଟରେ ଏକ ମିଶ୍ରଣ ପର୍ବରେ ନିଜକୁ ଓଡ଼ିଶା ବିଜେପିର ମଙ୍ଗୁଆଳ ବୋଲାଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍ତମ ପାଣିଗ୍ରାହୀଙ୍କୁ ବିଜେପି ଟୋପି ପିନ୍ଧାଇ, ଫୁଲ ତୋଡ଼ା ଦେଇ ନିଜ ଦଳକୁ କୋଳେଇ ନେଇଛନ୍ତି। ପିଙ୍କି ପ୍ରଧାନଙ୍କର କିମ୍ବା ନାରୀ ସୁରକ୍ଷା, ନାରୀ ସମ୍ମାନ ପାଇଁ ଚିତ୍କାର କରୁଥିବା ମହିଳା ମୋର୍ଚ୍ଚାର କୌଣସି ନେତ୍ରୀଙ୍କର ଏହା ଉପରେ ପ୍ରଶ୍ନ ଉଠାଇବାର ଶକ୍ତି ନାହିଁ। ନିଜ ଦଳରେ ଏମାନଙ୍କର ସମ୍ମାନ ନାହିଁ, ବିରୋଧୀ ବିଜେଡି ଶିବିରରୁ ଏମାନେ ଚାହୁଁଛନ୍ତି ସମ୍ମାନ? ନିଜ ସମ୍ମାନ ଏମାନେ ବଞ୍ଚାଇ ରଖି ପାରୁନାହାଁନ୍ତି, ଅନ୍ୟ ନାରୀର ସୁରକ୍ଷା, ସମ୍ମାନ ପାଇଁ ଉଠାଉଛନ୍ତି ସ୍ୱର? ନିଜ ରକ୍ଷଣ ଅସମ୍ଭାଳ, ସେ କାହୁଁ ପରକୁ .. ?
-@DevDrath