Odiapua.com

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ମହିଳା ମୋର୍ଚ୍ଚା: କପି ଟୁ ପାଣ୍ଡିଆନ୍!

ଭୁବନେଶ୍ୱର/ଭଦ୍ରକ: ମହିଳା ସୁରକ୍ଷା ନେଇ ନବୀନ ସରକାରଙ୍କ ଦୋମୁହାଁ ଆଭିମୁଖ୍ୟ ସଂପର୍କରେ ଅବଗତ କରାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠି ଲେଖୁଛି ବିଜେପି। ଓଡ଼ିଶାର ଗାଁ’ ଗଣ୍ଡାରେ ଥିବା ୮ ହଜାର ୫୬୭ ଡାକବାକ୍ସରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଜେପି ପକ୍ଷରୁ ଏପରି ଚିଠି ଲେଖା ଅଭିଯାନ ଚାଲିଛି। ଚିଠିଟି ଓଡ଼ିଆରେ ଲେଖାଯାଇ, ମୁଖ୍ୟମନ୍ତ୍ରୀ ନିଜେ ପଢ଼ିନପାରିଲେ ମଧ୍ୟ ଓଡ଼ିଆ ପଢ଼ିପାରୁଥିବା ତାଙ୍କର କୌଣସି ସହଯୋଗୀଙ୍କ ଠାରୁ ମୁଖ୍ୟମନ୍ତ୍ରୀ ବୁଝିନେବେ ବୋଲି ଉଲ୍ଲେଖ ରହିଛି। ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ପରେ ନବୀନ ବାବୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ନୈତିକତାର ପାଠ ପଢ଼ାଇଥିଲେ ଏବଂ ତାଙ୍କର ଇସ୍ତଫା ଦାବି କରିଥିଲେ। ସେତେବେଳେ ରାଜ୍ୟରେ ଆଇନ ଶୃଙ୍ଖଳା ଧ୍ଵସ୍ତବିଧ୍ୱସ୍ତ ହୋଇଯିବା ଓ ମହିଳା ଅସୁରକ୍ଷିତ ହେବା ନେଇ ଜାନକୀଙ୍କ ବିରୋଧରେ ନବୀନ ବାବୁ ସଙ୍ଗୀନ ଅଭିଯୋଗ ଆଣିଥିଲେ। ୨୦୦୦ ମସିହା ନିର୍ବାଚନରେ ବିଜେଡିର ପ୍ରମୁଖ ସ୍ଲୋଗାନ୍ ଥିଲା “ଅଞ୍ଜନା ଗଣଦୁଷ୍କର୍ମ ପାଇଁ ଦାୟୀ କିଏ – ଜାନକୀ ପଟ୍ଟନାୟକ ଆଉ କିଏ”। ଏବେ ଖୋଦ୍ ଅଞ୍ଜନା କହିଲେଣି ଜାନକୀଙ୍କ ମୁଖ୍ୟମନ୍ତ୍ରୀର ଓଡ଼ିଶା ଓ ନବୀନଙ୍କ ମୁଖ୍ୟମନ୍ତ୍ରୀର ଓଡ଼ିଶା ମଧ୍ୟରେ କିଛି ଫରକ ନାହିଁ। ଅଞ୍ଜନା ମାମଲାରେ ଯେମିତି ଇନ୍ଦ୍ରଜିତ ରାୟଙ୍କୁ ଦୋଷୀ କରାଯାଇଥିଲା ଠିକ ସେମିତି ଏବେ ମମିତା ହତ୍ୟା ମାମଲାରେ ଆପଣଙ୍କ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଓଡ଼ିଶାବାସୀ ଦାୟୀ କରୁଛନ୍ତି ବୋଲି ବିଜେପି ପକ୍ଷରୁ କୁହାଯାଇଛି।ନବୀନ ଜାନକୀଙ୍କୁ ନୈତିକତାର ପାଠ ପଢ଼ାଇଥିଲେ। ନୀତି ଓ ନୈତିକତାର ଦ୍ଵାହି ଦେଇ ନବୀନ ବାବୁ ଅନେକ ମନ୍ତ୍ରୀଙ୍କୁ ବି ବାହାର କରିଥିଲେ। ଏବେ ମମିତାଙ୍କ ମାମଲାରେ ନବୀନ ବାବୁଙ୍କ ଦୋମୁହାଁ ନୀତି କାହିଁକି ବୋଲି ଅଭିଯୋଗ ଆଣି ଡାକ ଯୋଗେ ଏପରି ପତ୍ର ନବୀନ ପଟ୍ଟନାୟକଙ୍କୁ ପ୍ରେରଣ କରୁଛି ବିଜେପି। ତଦନୁଯାୟୀ ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁଙ୍କ ନେତୃତ୍ୱରେ ମହିଳା ମୋର୍ଚ୍ଚା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠି ପଠାଯାଇଛି। ତେବେ, ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା ପକ୍ଷରୁ ଏକ ଭିର୍ଣ୍ଣ ଢଙ୍ଗରେ ଏହି ଚିଠିର ଆଉ ଏକ (ଏକାକିତା) ନକଲ ୫- ଟି ସଚିବ ଭି. କେ ପାଣ୍ଡିଆନଙ୍କ ନିକଟକୁ ମଧ୍ୟ ପଠାଯାଇଛି। ମୁଖ୍ୟମନ୍ତ୍ରୀ ନିଜେ ନିଷ୍ପତ୍ତି ନେବାରେ ତ’ ଅକ୍ଷମ ବୋଲି ଆମେ ଜାଣିଛୁ। ତେଣୁ ଆମେ ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା ପକ୍ଷରୁ ସ୍ୱତନ୍ତ୍ର ଭାବରେ ଏହାର ଏକ ନକଲ ଭି. କେ ପାଣ୍ଡିଆନଙ୍କ ପାଖକୁ ମଧ୍ୟ ପଠାଇଛୁ। ପାଣ୍ଡିଆନଙ୍କୁ ପଚାରି, ବୁଝି ଓଡ଼ିଆ ଲୋକଙ୍କ ପ୍ରଶ୍ନର ଉତ୍ତର ଦେବେ ବୋଲି ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆମେ ଆଶା ରଖିଛୁ ବୋଲି ଜିଲ୍ଲା ସଭାନେତ୍ରୀ ହରପ୍ରିୟା ସାହୁ କହିଛନ୍ତି। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ମହିଳା ମୋର୍ଚ୍ଚା ଜିଲ୍ଲା ସମ୍ପାଦିକା ଚୈତାଳି ଖିଲାର, ନଗର ସଭାନେତ୍ରୀ ପଦ୍ମିନୀ ଦ୍ବିବେଦୀ, ମହିଳା ମୋର୍ଚ୍ଚା ଜିଲ୍ଲା ଆଇଟି ସେଲ୍ ସଂଯୋଜିକା ସ୍ୱର୍ଣ୍ଣଲତା ମିଶ୍ରଙ୍କ ସମେତ ଭଦ୍ରକାଳୀ ମଣ୍ଡଳ ସାଧାରଣ ସମ୍ପାଦିକା ରୁକ୍ମଣୀ ଘଡ଼େଇ ପ୍ରମୂଖ ସାମିଲ୍ ଥିଲେ।
-/Dr