ଭୁବନେଶ୍ୱର/ଭଦ୍ରକ: ମହିଳା ସୁରକ୍ଷା ନେଇ ନବୀନ ସରକାରଙ୍କ ଦୋମୁହାଁ ଆଭିମୁଖ୍ୟ ସଂପର୍କରେ ଅବଗତ କରାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠି ଲେଖୁଛି ବିଜେପି। ଓଡ଼ିଶାର ଗାଁ’ ଗଣ୍ଡାରେ ଥିବା ୮ ହଜାର ୫୬୭ ଡାକବାକ୍ସରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଜେପି ପକ୍ଷରୁ ଏପରି ଚିଠି ଲେଖା ଅଭିଯାନ ଚାଲିଛି। ଚିଠିଟି ଓଡ଼ିଆରେ ଲେଖାଯାଇ, ମୁଖ୍ୟମନ୍ତ୍ରୀ ନିଜେ ପଢ଼ିନପାରିଲେ ମଧ୍ୟ ଓଡ଼ିଆ ପଢ଼ିପାରୁଥିବା ତାଙ୍କର କୌଣସି ସହଯୋଗୀଙ୍କ ଠାରୁ ମୁଖ୍ୟମନ୍ତ୍ରୀ ବୁଝିନେବେ ବୋଲି ଉଲ୍ଲେଖ ରହିଛି। ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ପରେ ନବୀନ ବାବୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ନୈତିକତାର ପାଠ ପଢ଼ାଇଥିଲେ ଏବଂ ତାଙ୍କର ଇସ୍ତଫା ଦାବି କରିଥିଲେ। ସେତେବେଳେ ରାଜ୍ୟରେ ଆଇନ ଶୃଙ୍ଖଳା ଧ୍ଵସ୍ତବିଧ୍ୱସ୍ତ ହୋଇଯିବା ଓ ମହିଳା ଅସୁରକ୍ଷିତ ହେବା ନେଇ ଜାନକୀଙ୍କ ବିରୋଧରେ ନବୀନ ବାବୁ ସଙ୍ଗୀନ ଅଭିଯୋଗ ଆଣିଥିଲେ। ୨୦୦୦ ମସିହା ନିର୍ବାଚନରେ ବିଜେଡିର ପ୍ରମୁଖ ସ୍ଲୋଗାନ୍ ଥିଲା “ଅଞ୍ଜନା ଗଣଦୁଷ୍କର୍ମ ପାଇଁ ଦାୟୀ କିଏ – ଜାନକୀ ପଟ୍ଟନାୟକ ଆଉ କିଏ”। ଏବେ ଖୋଦ୍ ଅଞ୍ଜନା କହିଲେଣି ଜାନକୀଙ୍କ ମୁଖ୍ୟମନ୍ତ୍ରୀର ଓଡ଼ିଶା ଓ ନବୀନଙ୍କ ମୁଖ୍ୟମନ୍ତ୍ରୀର ଓଡ଼ିଶା ମଧ୍ୟରେ କିଛି ଫରକ ନାହିଁ। ଅଞ୍ଜନା ମାମଲାରେ ଯେମିତି ଇନ୍ଦ୍ରଜିତ ରାୟଙ୍କୁ ଦୋଷୀ କରାଯାଇଥିଲା ଠିକ ସେମିତି ଏବେ ମମିତା ହତ୍ୟା ମାମଲାରେ ଆପଣଙ୍କ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଓଡ଼ିଶାବାସୀ ଦାୟୀ କରୁଛନ୍ତି ବୋଲି ବିଜେପି ପକ୍ଷରୁ କୁହାଯାଇଛି।
-/Dr