Odiapua.com

ମହା ଶିବରାତ୍ରି : ଆଜି ଜାଗର

।|ॐ ହୌଂ ଜୂଂ ସଃ ॐ ଭୂଃ ର୍ଭୁବଃ ସ୍ୱଃ
ॐ ତ୍ରୟମ୍ବକଂ ଯଯାମହେ ସୂଗନ୍ଧୀମ୍ ପୃଷ୍ଠୀ ବର୍ଦ୍ଧନମ୍
ଊର୍ବାରୁ କମିବନ୍ଧନାତ୍ ମୃତ୍ୟୋର୍ମୁଖୀୟୋ ମାମୃତାତ୍ ॐ ସ୍ୱଃ ର୍ଭୁବଃ ଭୂଃ ॐ ସଃ ଜୂଂ ହୌଂ ॐ|।

ମହାଦେବଙ୍କୁ ପ୍ରସନ୍ନ କରିବାର ଯେତେ ଗୋଟି ବ୍ରତ ଅଛି,ତନ୍ମଧ୍ୟରୁ ଶିବରାତ୍ରି ବ୍ରତ ସର୍ବଶ୍ରେଷ୍ଠ ଓ ସର୍ବକାମପ୍ରଦ ଅଟେ।ଦଶ ଶୈବ ବ୍ରତ ମଧ୍ୟରେ ଏହି ଶିବରାତ୍ରି ବ୍ରତ ଅତ୍ୟନ୍ତ ସିଦ୍ଧିଦାୟକ।ଭାରତର ବିଭିନ୍ନ ସ୍ଥାନରେ ଥିବା ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ କ୍ଷେତ୍ର ସମେତ ସମସ୍ତ ଶୈବ ପୀଠ ଗୁଡ଼ିକରେ ମହା ଶିବରାତ୍ରୀ ପର୍ବ ବେଶ ଭକ୍ତି ଓ ଉଲ୍ଲାସର ସହ ପାଳିତ ହୋଇଥାଏ।

ଦେବଦେବ ମହାଦେବଙ୍କ ଦ୍ୱାରା ଏଇ ଦିନ ସଂସାର ପ୍ରକଟ ହୋଇଥିଲା ବୋଲି ଲୋକେ ବିଶ୍ୱାସ କରିଥାନ୍ତି।ପୂରାଣର ଅନ୍ୟଏକ ଆଖ୍ୟାନ ଅନୁସାରେ,ଦେବ ଓ ଅସୁରମାନଙ୍କ ଦ୍ୱାରା ସମୁଦ୍ର ମନ୍ଥନ ସମୟରେ ସେଥିରୁ ବାହାରିଥିବା ସମସ୍ତ ବିଷକୁ ଶିବ ପାନ କରି ଧରାକୁ ଏକ ଆସନ୍ନ ବିପଦରୁ ଉଦ୍ଧାର କରିଥିଲେ।ଏହି ବିଷକୁ ପାନ କରିବା ପରେ ବିଷର ଜ୍ୱାଳାରେ ସେ ମୂର୍ଚ୍ଛା ହୋଇଯାଇଥିଲେ।ତାଙ୍କର ସଂଜ୍ଞା ନ ଫେରିବା ପର୍ଯ୍ୟନ୍ତ ଦେବଗଣ ଓ ଶୈବବୃନ୍ଦ ଅଖଣ୍ଡ ପ୍ରଦୀପ ଜାଳି ଉଜାଗରରେ ବସିଥିଲେ।ସେହିଦିନକୁ ମନେ ପକାଇ ଶ୍ରଦ୍ଧାଳୁମାନେ ମହାଶିବରାତ୍ରି ପାଳନ କରିଥାନ୍ତି।ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ଦିନ ଶିବ ଲିଙ୍ଗ ଭାବରେ ଆବିର୍ଭୂତ ହୋଇଥିବାରୁ ପ୍ରତିବର୍ଷ ଏହି ଦିନକୁ ମହା ଶିବରାତ୍ରି ଭାବରେ ପାଳନ କରାଯାଏ।

ଶିବରାତ୍ରିକୁ ଚାରୋଟି ପ୍ରହରରେ ସମ୍ପନ୍ନ କରାଯାଏ।ପ୍ରତ୍ୟେକ ପ୍ରହରର ସମୟ ତିନି ଘଟିକା।ପ୍ରଥମ ପ୍ରହର ବା ସନ୍ଧ୍ୟା ସମୟରେ ଶିବଲିଙ୍ଗକୁ ଦୁଗ୍ଧରେ ଅଭିଷେକ କରାଯାଏ।ଦ୍ୱିତୀୟ ପ୍ରହର ବା ସନ୍ଧ୍ୟାର ପରବର୍ତ୍ତୀ ସମୟରେ ଲିଙ୍ଗକୁ ଦହିରେ ଅଭିଷେକ କରାଯାଏ।ତୃତୀୟ ପ୍ରହର ବା ଘୋର ରାତ୍ର ସମୟରେ ଶିବଲିଙ୍ଗକୁ ମହୁରେ ଅଭିଷେକ କରାଯାଏ।ରାତ୍ରର ଶେଷ ପ୍ରହର ସମୟରେ ଶିବ ମନ୍ଦିରର ଚୁଡ଼ାଦେଶକୁ ମହାଦୀପ ଉଠାଯାଏ।ସାରା ସଂସାରରୁ ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରି ଆଲୋକ ପ୍ରଦାନ କରିବା ହେଉଛି ମହାଦୀପ ଉଠାଣର ଉଦ୍ଦେଶ୍ୟ।ରାତ୍ରର ପ୍ରତ୍ୟେକ ପ୍ରହରରେ ଶିବଲିଙ୍ଗକୁ ପୁଷ୍ପ,ପତ୍ର ଓ ଫଳ ଆଦି ପ୍ରଦାନ କରାଯାଇ ଉପାସନା କରାଯାଏ।ଏହି ଗୋଟିଏ ଦିନ ଭଗବାନ ଶିବଙ୍କ ଉପରେ କେତକୀ ଫୁଲ ଚଢ଼ାଯିବାର ବିଧି ରହିଛି।

ଏହି ଦିନ ହିନ୍ଦୁ ନରନାରୀ ଶୁଦ୍ଧପୂତ ଭାବରେ ଉପବାସ ପୂର୍ବକ ଅଖଣ୍ଡ ଦୀପ ଜାଳି ରାତ୍ରି ଉଜାଗର ରହି ବ୍ରତ ପାଳୁଥିବାରୁ ଏହାକୁ ଜାଗର ଓଷା ବା ଜାଗର ବ୍ରତ ମଧ୍ୟ କୁହାଯାଇଥାଏ।ଆତ୍ମ କଲ୍ୟାଣର ରାସ୍ତାକୁ ପରିସ୍କାର କରିବାପାଇଁ ଅଖଣ୍ଡ ସଜାଗତା ଓ ଜ୍ଞାନର ଆଲୋକ ଏ ଦୁଇଟିର ଆବଶ୍ୟକତା ରହିଛି ବୋଲି ଏଇ ପର୍ବ ଶିକ୍ଷା ଦିଏ।ମଝି ରାତିକୁ ମନ୍ଦିରର ଶିଖରକୁ ବିଶାଳ ମହାଦୀପ ନିଆଯାଏ । ତାହାକୁ ଦର୍ଶନ କରି ଭକ୍ତମାନେ ବିହ୍ୱଳ ହୁଅନ୍ତି।ପରଦିନ ସ୍ନାନାଦି ସମାପନ କରି ଭକ୍ତମାନେ ସେମାନଙ୍କ ଉପବାସ ଭଙ୍ଗ କରନ୍ତି।//ଦେବଦତ୍ତ ରଥ

।|କର୍ପୁର ଗୌରଂ କରୁଣାବତାରଂ ସଂସାର ସାରଂ ଭୁଜାଗେନ୍ଦ୍ର ହାରଂ
ସଦା ବସନ୍ତ ହୃଦୟରରଂ ବିନ୍ଦେ,ଭବଂ ଭବାନୀ ସହିତଂ ନମାମି|।