Odiapua.com

ଅଗଷ୍ଟ ୪ ରେ ଲଘୁଚାପ – ପ୍ରବଳ ବର୍ଷିବ – ଚାଷୀଙ୍କୁ ମିଳବ ଆଶ୍ୱସ୍ତି

ନୂଆଦିଲ୍ଲୀ ୩୧-୭ (ଓଡ଼ିଆ ପୁଅ) : ଉତ୍ତର ବଙ୍ଗୋପସାଗରରେ ଆସନ୍ତା ଅଗଷ୍ଟ ୪ ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପ୍ରକାଶ କରିଛି। ଏହା ଫଳରେ ଦକ୍ଷିଣ-ପଶ୍ଚିମ ମୌସୁମୀ ସକ୍ରିୟ ହେବାରେ ସହାୟକ ହେବ। ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ମୌସୁମୀ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ କହିଛି।

ବର୍ଷା ଅଭାବରୁ ଓଡ଼ିଶା ସମେତ ଏକାଧିକ ରାଜ୍ୟରେ ନିଅଣ୍ଟିଆ ବର୍ଷା ଚାଷୀମାନଙ୍କର ଚିନ୍ତା ବଢ଼ାଇ ଦେଇଥିବାରୁ ଏହା ଫଳରେ ଚାଷୀଙ୍କୁ ଆଶ୍ୱସ୍ତି ମିଳିବ।

ଅପର ପକ୍ଷରେ ଆସନ୍ତା ଅଗଷ୍ଟ ୩ରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ଅଞ୍ଚଳ (LOPAR) ସୃଷ୍ଟି ହେବାର ସମ୍ଭାବନା ଅଛି ବୋଲି SOA ବିଶ୍ୱବିଦ୍ୟାଳୟର (CEC) ପକ୍ଷରୁ ଅନୁମାନ କରାଯାଇଛି। ହିମାଳୟର ପାଦଦେଶରୁ ମୌସୁମୀ ଦକ୍ଷିଣ ଆଡକୁ ଗତି କରିବ। ଏହାଫଳରେ ଅବସ୍ଥା ଅନୁକୂଳ ହେବାର ସମ୍ଭାବନା ଅଛି ବୋଲି CEC କହିଛି।

SOA ବିଶ୍ୱବିଦ୍ୟାଳୟର CEC ପକ୍ଷରୁ କୁହାଯାଇଛିଯେ, ଅଗଷ୍ଟ ୩ ରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି। ଅଗଷ୍ଟ ୪ ରେ ଦକ୍ଷିଣ ଚୀନ୍ ସାଗରରେ ସୃଷ୍ଟି ହେବାକୁ ଥିବା ଅନ୍ୟ ଏକ ଲଘୁଚାପର ମିଶ୍ରଣ ଫଳରେ ଏହା ଅଧିକ ଶକ୍ତିଶାଳୀ ହେବାର ସମ୍ଭାବନା ଅଛି। ଏହା ଫଳରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଚାପ ହ୍ରାସ ପାଇବ ବୋଲି ସିଇସି ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି।

ଏହାର ପ୍ରଭାବରେ ଅଗଷ୍ଟ ୩ ରୁ ଉପକୂଳ ଓଡିଶାରେ ବର୍ଷା ବୃଦ୍ଧି ପାଇବ ଏବଂ ଅଗଷ୍ଟ ୪ ରୁ ୫ ମଧ୍ୟରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅଗଷ୍ଟ ୪ ରୁ ୬ ମଧ୍ୟରେ ଓଡିଶାରେ ବ୍ୟାପକ ବର୍ଷା ହେବ ଏବଂ କେନ୍ଦ୍ରାପଡା ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ହେବ, ସେ କହିଛନ୍ତି, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, ଗଞ୍ଜାମ, କନ୍ଧମାଳ, ବଲାଙ୍ଗୀର, ଢେଙ୍କାନାଳ, ଅନୁଗୁଳ, ସୋନପୁର, ବୌଦ୍ଧ, ନୂଆପଡା, ନବରଙ୍ଗପୁର, ସମ୍ବଲପୁର, ବରଗଡ, ଝାରସୁଗୁଡା ଏବଂ କଳାହାଣ୍ଡିରେ ପ୍ରବଳ ବର୍ଷା ହେବ।