Odiapua.com

“ଲଭ୍ ଜିହାଦ୍”ର କରୁଣ ପରିଣତି: ଝିଅ ପରେ ଜୀବନ ହାରିଲା ବାପା – କମ୍ପ୍ରମାଇଜ୍ ପାଇଁ ପ୍ରେସର୍ ପଛରେ ଲୋକାଲ୍ ନେତା!

ଭୁବନେଶ୍ୱର: ଲଭ୍ ଜିହାଦ୍ ଏବଂ କମ୍ପ୍ରମାଇଜର ପରିଣାମ ସ୍ୱରୂପ ଝିଅ ପରେ ଜୀବନ ହରାଇଲା ବାପା। ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ପଦ୍ମପୁର ଗ୍ରାମର କୂଳମଣି ପ୍ରଧାନଙ୍କ ଝିଅ ଇପ୍ସିତା ଗତ ଅକ୍ଟୋବର ୧୪ ତାରିଖ ରାତିରେ ବିଷ ପିଇ ଆତ୍ମହତ୍ୟା କରିଥିଲେ। ଇପ୍ସିତା କମାଗୁରୁ କଲେଜରେ +୨ ଛାତ୍ରୀ ଥିଲେ। ନିକଟସ୍ଥ ଖଜୁରୀପଡ଼ା ଗ୍ରାମ ମୁସଲିମ୍ ସାହିର ସଂଖ୍ୟାଲଘୁ ସଂପ୍ରଦାୟର ମୃତଜ୍ ସାହାଙ୍କ ପୁଅ ସତଜ୍ ସାହା ସହିତ ଭୁଲବଶତଃ ଇପ୍ସିତାଙ୍କ ସଂପର୍କ ଗଢ଼ି ଉଠିଥିଲା। ଥରେ ସତଜ୍ ଇପ୍ସିତାଙ୍କୁ ଭୁଆଁ ବୁଲାଇ ନେଇ ତାଙ୍କ ବସ୍ତିରେ କେଉଁଠି ଲୁଚାଇ ରଖିଥିଲା। ପରିବାର ପକ୍ଷରୁ ଅଭିଯୋଗ ପରେ ସତଜ୍ ଯୁବତୀ ଜଣଙ୍କୁ ଛାଡ଼ି ଦେଇଥିଲା। ଏହାକୁ ନେଇ ନିରାକାରପୁର ଥାନାରେ ଉଭୟଙ୍କ ପରିବାର ପକ୍ଷରୁ ଏକ ଆପୋଷ ବୁଝାବଣା (କମ୍ପ୍ରମାଇଜ୍) ହୋଇଥିଲା। ତେବେ, ଏହି କମ୍ପ୍ରମାଇଜ୍ ପାଇଁ ଇପ୍ସିତାଙ୍କୁ ଜୀବନ ହାରିବାକୁ ପଡ଼ିଥିଲା। ନିଜର ଭୁଲ୍ ବୁଝିପାରି ଇପ୍ସିତା ସତଜଙ୍କ ଠାରୁ ଦୂରେଇ ଯିବାକୁ ଚାହୁଁଥିଲେ। କିନ୍ତୁ, ସତଜ୍ ଇପ୍ସିତାଙ୍କ ସହିତ ଜୋର୍ ଜବରଦସ୍ତ ପ୍ରେମ ସଂପର୍କ ରଖିବାକୁ ଚାହୁଁଥିଲା। ଏଥିପାଇଁ ସତଜ୍ ଏବଂ ତାଙ୍କର ୪ ଭାଇ ଇପ୍ସିତାଙ୍କୁ ଧମକ୍ ଚମକ୍ ଦେଉଥିଲେ। ପାଖରେ ଥିବା ପୁରୁଣା ଫଟୋ ଭାଇରାଲ୍ କରିଦେବାର, ମୁହଁରେ ଏସିଡ୍ ପକାଇ ଦେବା ଆଦି ନେଇ ଧମକ୍ ଦେଉଥିଲେ। ଶେଷରେ ଭୟରେ ମରଣକୁ ବରଣ କରି କୀଟନାଶକ ଔଷଧ ଖାଇ ଆତ୍ମହତ୍ୟା କରିଦେଇଥିଲେ ଇପ୍ସିତା। ଆତ୍ମହତ୍ୟା କରିବା ପୂର୍ବରୁ ଏକ ଚିଠି ଲେଖିଦେଇ ଯାଇଥିଲେ ଇପ୍ସିତା। ଏହାପରେ ପୋଲିସ ସତଜ୍ ସମେତ କିଛି ଅଭିଯୁକ୍ତଙ୍କୁ ଗିରଫ୍ କରିଥିଲା। ତେବେ, ସେବେଠାରୁ କେସ୍ ଉଠାଇନେବା ପାଇଁ ଇପ୍ସିତାଙ୍କ ପରିବାର ଉପରେ ବିଭିନ୍ନ ପ୍ରକାର ଚାପ ସୃଷ୍ଟି କରାଯାଉଥିଲା। ସେହିଦିନ ଠାରୁ ପୂରା ପରିବାର ମାନସିକ ଚାପରେ ରହି ଆସୁଥିଲେ। ଏବେ ସେହି କେସ୍ ଉପରେ ଇପ୍ସିତାଙ୍କ ସାନ ଭଉଣୀଙ୍କ ପାଖକୁ କୋର୍ଟରେ ହାଜିର୍ ପାଇଁ ସମନ୍ ପହଞ୍ଚିଥିଲା। କିନ୍ତୁ, ଏଇ ବୁଧବାର ରାତିରେ କୂଳମଣି ଛାତ ଉପରେ ଶୋଇବାକୁ ଯାଉଛି କହି ଯାଇଥିବା ବେଳେ ରହସ୍ୟମୟ ଭାବରେ ଭୋରରୁ ବାରିପଟ ପିଜୁଳି ଗଛରେ ରଶୀ ଲଗାଇ କୂଳମଣିଙ୍କ ମୃତ ଶରୀର ଉଦ୍ଧାର ହେଲା। ଏହା ହତ୍ୟା ନାଁ, ଆତ୍ମହତ୍ୟା ନେଇ ମଧ୍ୟ ସାଧାରଣରେ ଗୁଞ୍ଜନ ସୃଷ୍ଟି ହେଉଛି! କୂଳମଣିଙ୍କ ପତ୍ନୀ ରଞ୍ଜିତା ବାହୁନି ବାହୁନି କାନ୍ଦୁଥିବା ବେଳେ ପଦଟିଏ ବଡ଼ କଥା କହିଛନ୍ତି। ରଞ୍ଜିତା ସିଧାସଳଖ କମ୍ପ୍ରମାଇଜ୍ ପାଇଁ କୂଳମଣିଙ୍କୁ ପ୍ରେସର୍ କରାଯାଉଥିଲା ବୋଲି କହିଛନ୍ତି। ଏଥିରେ ଶାସକ ଦଳର କିଛି ଲୋକାଲ୍ ନେତାଙ୍କ ସଂପୃକ୍ତି ରହିଛି ବୋଲି କଥା ଉଠୁଛି!

-/DevD®ath