Odiapua.com

ଏବେ ୧୪ ଦିନ କାଳ ଭକ୍ତଙ୍କଠାରୁ ଦୂରେଇ ରହିବେ ମହାପ୍ରଭୁ; ରହିବେ ଅଣସରରେ ..

ଭୁବନେଶ୍ୱର: ଦେବସ୍ନାନ ପୂର୍ଣ୍ଣିମା ପରେ ପରେ ଚତୁର୍ଦ୍ଧାମୂର୍ତ୍ତି ଜ୍ଵରରେ ପଡ଼ିଯାଆନ୍ତି। ଭକ୍ତମାନଙ୍କ ଠାରୁ ୧୪ ଦିନ କାଳ ଦୂରେଇ ଅଣସରରେ, ଅନବସର ଘରେ ରୁହନ୍ତି। ଦେବସ୍ନାନ ପୂର୍ଣ୍ଣିମା ପର ଦିନଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଏବଂ ସୁଦର୍ଶନ ଜ୍ଵରରେ ପୀଡ଼ିତ ହୋଇ ଉପଚାର ଘେନୁଥିବାରୁ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ନାହିଁ। ଏହି କାଳକୁ ଅଣସର ବା ଅନବସର କୁହାଯାଏ।

ଦେବସ୍ନାନ ପୂର୍ଣ୍ଣିମା ଦିନ ଦେବସ୍ନାନ ମଣ୍ଡପରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଏବଂ ସୁଦର୍ଶନଙ୍କ ପ୍ରତିମା ଉପରେ ସୁନାକୂଅର ଅଧିବାସ ହୋଇ ରହିଥିବା ୧୦୮ ଗରା ଜଳରେ ସ୍ନାନ କରନ୍ତି। ତନ୍ମଧ୍ୟରୁ ୩୫ ଗରା ଜଗନ୍ନାଥଙ୍କୁ, ୩୩ ଗରା ବଳଭଦ୍ରଙ୍କୁ, ୨୨ ଗରା ସୁଭଦ୍ରାଙ୍କୁ ଏବଂ ୧୮ ଗରା ଜଳରେ ସୁଦର୍ଶନଙ୍କୁ ସ୍ନାନ କରାଯାଏ। ଲଗାତର ୨୧ଦିନ ଧରି ନରେନ୍ଦ୍ର ପୋଖରୀରେ ଚାପ ଖେଳିବା ପରେ ଶ୍ରୀଜୀଉମାନେ ୧୦୮ ଗରା ଜଳରେ ସ୍ନାନ କରିବାରୁ ସେମାନଙ୍କୁ ଜ୍ଵର ହୋଇଯାଏ। ଜ୍ୱର ହେବାପରେ ଶ୍ରୀଜୀଉମାନଙ୍କୁ ଉପଚାର କରିବା ନିମନ୍ତେ ଦଇତାପତି ସେବକ ଓ ଅନ୍ୟ ସେବକମାନେ ଠାକୁର ମାନଙ୍କୁ ଜଗନ୍ନାଥ ମନ୍ଦିରର ଜଗମୋହନରେ ଚନ୍ଦନ ଅର୍ଗଳି ନିକଟରେ ଥିବା ଅଣସର (ଅନବସର) ଘରକୁ ନେଇଯାଆନ୍ତି। ଏହି ସମୟରେ ମହାପ୍ରଭୁଙ୍କ ଦେହରେ ଚୁଆ, କର୍ପୁର, କସ୍ତୁରୀ ଓ ଚନ୍ଦନ ଲେପନ କରାଯିବା ସହ ପାରମ୍ପାରିକ ଉପଚାର କରାଯାଏ। ଅଣସର ଘରେ କେବଳ ଦଇତା ସେବକ ମାନେ ସେବାକାର୍ଯ୍ୟ କରନ୍ତି। ୧୪ ଦିନ କାଳ ମହାପ୍ରଭୁ ଭକ୍ତମାନଙ୍କ ଠାରୁ ଦୂରେଇ ରୁହନ୍ତି। ଏହି ସମୟରେ ଜଗନ୍ନାଥଙ୍କ ସ୍ଥାନରେ ଭକ୍ତମାନେ ବ୍ରହ୍ମଗିରିର ଅଲାରନାଥଙ୍କୁ ବିଷ୍ଣୁ ରୂପରେ ଦର୍ଶନ କରିଥାଆନ୍ତି। /-ଦେବଦତ୍ତ ରଥ

ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଗଜାନନ ବେଶ ଏବଂ ଏହାର କିମ୍ଵଦନ୍ତୀ ..