Odiapua.com

ଭୁଜାଲିରେ ହାଣି ଲୁଟିନେଲେ ୯ ଲକ୍ଷ ଟଙ୍କା

କେନ୍ଦୁଝର : ସ୍ପଷ୍ଟ ଦିବାଲୋକରେ ଭୁଜାଲିରେ ହାଣି ଲୁଟିନେଲେ ୯ ଲକ୍ଷ ଟଙ୍କା : ପୋଲିସର ଦକ୍ଷତା ଉପରେ ଉଠିଲା ପ୍ରଶ୍ନ

କେନ୍ଦୁଝର, ୬ ଜୁନ ୨୦୨୦ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ରେ ପୁଣି ପଲସରର ଆତଙ୍କ। ସ୍ପଷ୍ଟ ଦିବା ଲୋକରେ ବନ୍ଧୁକ ମୁନରେ ଦୁର୍ବୃତମାନେ ଲୁଟି ନେଇଛନ୍ତି ୯ ଲକ୍ଷ ଟଙ୍କା। ଯାହା କି ସାଧାରଣ ନିରୀହ ଲୋକଙ୍କ ଉପରେ ଦବଙ୍ଗ ଗିରି ଦେଖାଇ ନିଜର ଦକ୍ଷତା ପ୍ରଦର୍ଶନ କରୁଥିବା କେନ୍ଦୁଝର ପୋଲିସର ପାରିବା ପଣିଆ ଉପରେ ଉଠିଛି ସ୍ୱଭାବିକ ପ୍ରଶ୍ନ। ଶନିବାର ଦିନ ପୂର୍ବାହ୍ନ ସମୟ ପ୍ରାୟ ସାଢେ ୧୧ ଟା ହେବ। ଉତ୍କଳ କାର୍ଗୋ ମୁଭର୍ରସ କମ୍ପାନୀର ରତି ଓ କ୍ଷମାକର ପାତ୍ର ନାମକ ଦୁଇଜଣ କର୍ମଚାରୀ ଅନ୍ୟାନ୍ୟ ଦିନ ଭଳି ଶନିବାର ଦିନ ମଧ୍ୟ କେନ୍ଦୁଝର ସହରରେ ଅବସ୍ଥିତ ଆଇ-ଡି- ବି- ଆଇ- ବ୍ୟାଙ୍କରୁ ୯ ଲକ୍ଷ ଟଙ୍କା ଉଠାଇ ଏକ ଏକ ବାଇକରେ ଶୁଆକାଟି ଫେରୁଥିଲେ। ସେମାନେ ଠାକୁରଡିହି ନିକଟରେ ପହଞ୍ଚିବା କ୍ଷଣି ସେମାନଙ୍କୁ ଅନୁସରଣ କରୁଥିବା ଏକ ପଲସର ବାଇକ ସେମାନଙ୍କର ଗତିପଥ ରୋଧ କରିଥିଲା ଏବଂ ବନ୍ଧୁକ ଦେଖାଇବା ସହ ଟଙ୍କା ଥଳି ଧରିଥିବା କ୍ଷମାକର ପାତ୍ରଙ୍କ ଦୁଈ ହାତ ଓ କାନ୍ଧକୁ ଭୁଜାଲିରେ ହାଣି ଆଖି ପିଛୁଳାକେ ୯ ଲକ୍ଷ ଟଙ୍କା ଲୁଟି ସେଠାରୁ ଫେରାର ହୋଇଯାଇଥିଲେ। ଏ ସଂପର୍କରେ କମ୍ପାନୀର ମାଲିକ କାମିନୀକାନ୍ତ ମହାନ୍ତ ସୂଚନା ଦେଇଛନ୍ତି। କିନ୍ତୁ ଆହତ କ୍ଷମାକର ପାତ୍ରଙ୍କୁ ନେଇ ଘଟଣାର ତଦନ୍ତ କରିବା ଆଳରେ ପୋଲିସ ତାଙ୍କୁ ଗଣମାଧ୍ୟମ ସମ୍ମୁଖରୁ ଦୂରେଇ ରଖିବା ଉଦ୍ଦେଶ୍ୟରେ ଲୁଚକାଳି ଖେଳୁଥିବାରୁ ତାଙ୍କର ମତାମତା ନିଆଯାଇପାରି ନାହିଁ। ସ୍ପଷ୍ଟ ଦିବାଲୋକରେ ପୋଲିସକୁ ଚ୍ୟାଲେଞ୍ଜ ଦେଇ ଦୁର୍ବୃତ ଯେଭଳି ଆଖି ପିଛୁଳାରେ ଲକ୍ଷାଧିକ ଟଙ୍କା ଲୁଟି ନେବାରେ ସକ୍ଷମ ହେଲେ ଏଭଳି ଘଟଣାରେ ପୋଲିସ ପାରିବା ପଣିଆ ଉପରେ ସାଧାରଣରେ ଉଠିଛି ଏକ ବଡ ପ୍ରଶ୍ନ।