Odiapua.com

ଓଡ଼ିଶା ବିଜେପି ପ୍ରଭାରୀ ସୁନୀଲ୍ ବଂଶଲଙ୍କୁ ଚିଠି ..

ଭୁବନେଶ୍ୱର: ଅଗଷ୍ଟ ୧୫ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ପରେ କିଛିଦିନ ତଳେ ମହିଳା ମୋର୍ଚ୍ଚା ସଂଯୋଜନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଏକ ଚିଠି ପଠାଇବା କାର୍ଯ୍ୟକ୍ରମ ପାଇଁ ରାଜ୍ୟ ବିଜେପି ପକ୍ଷରୁ ଯୋଜନା କରାଯାଇଥିଲା। ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ଉପାଧ୍ୟକ୍ଷା ତଥା ମହିଳା ମୋର୍ଚ୍ଚା ପ୍ରଭାରୀ ଅନିତା ଶୁଭଦର୍ଶିନୀ ଏବଂ ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ସ୍ମୃତି ପଟ୍ଟନାୟକ ପ୍ରମୂଖ ଏକ ଭର୍ଚ୍ୟୁଆଲ ମିଟିଂ କରାଇ ରାଜ୍ୟବ୍ୟାପୀ ବିଭିନ୍ନ ଜିଲ୍ଲା ପକ୍ଷରୁ ମୋଦୀଙ୍କ ଉଦ୍ଦେଶ୍ୟରେ ଚିଠି ପଠାଇବାକୁ କୁହାଯାଇଥିଲା। ଚିଠିରେ ଏପରି ଲେଖିବାର ଥିଲା, “ଦେଶର ସର୍ବୋଚ୍ଚ ସ୍ଥାନରେ ବସି ମଧ୍ଯ ମହିଳା ମାନଙ୍କ ପ୍ରତି ସମାଜରେ ଥିବା ଭାବନା, ବ୍ୟବହାର, ଓ ଅସଂଜତା, ଅପଦସ୍ତ ଶବ୍ଦକୁ ଲାଲ କିଲ୍ଲାରୁ ରୋକ୍ ଦେଇ ମହିଳାଙ୍କୁ ଯେଉଁ ସମ୍ମାନ ଦେଇଛନ୍ତି, ଦେଶର ଯଶସ୍ଵି ପ୍ରଧାନମନ୍ତ୍ରୀଙ୍କୁ ମୁଁ (ଅମୁକ) ମହିଳା ହିସାବରେ ମୋର ହୃଦୟର ଗଭୀରତମ ଦେଶରୁ ଧନ୍ୟବାଦ ଜଣାଉଛି। ଆପଣଙ୍କର ମାତୃଜାତିକୁ ଏ’ ସମ୍ମାନ ଚିରବନ୍ଦନୀୟ। – ମୋ ସମ୍ମାନ, ମୋ ପ୍ରଧାନମନ୍ତ୍ରୀ।” କିନ୍ତୁ, କାହିଁକି କେଜାଣି କଥା କଥାରେ ରହିଗଲା। କିମ୍ବା, ହୁଏତ ମୋଦୀଙ୍କ ପାଖକୁ କେତେ ଚିଠି ଗଲା ତାହାର ହିସାବ ରାଜ୍ୟ ବିଜେପି ପାଖରେ ଥିବ। କିନ୍ତୁ, ସୂଚନା ମୁତାବକ ଏପରି କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରୁ କେହି ପସନ୍ଦ କଲେ ନାହିଁ କି ସେମିତି କେହି କାର୍ଯ୍ୟକ୍ରମ କଲେ ନାହିଁ। ତେବେ, ଏମାନେ ସିନା ମୋଦିଙ୍କୁ ଧନ୍ୟବାଦ ପୂର୍ଣ୍ଣ ଚିଠି ଦେଇ ପାରିଲେନି, କିନ୍ତୁ ବିଜେପିର ଜଣେ ସାଧାରଣ କାର୍ଯ୍ୟକର୍ତ୍ତା ଅର୍ଚ୍ଚନା ମହାନ୍ତି, ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ସୁନୀଲ ବଂଶଲଙ୍କ ଉଦ୍ଦେଶ୍ୟରେ ସୋସିଆଲ୍ ମିଡିଆ ମାଧ୍ୟମରେ ଏକ ଅଭିଯୋଗ ପୂର୍ଣ୍ଣ ଚିଠି ଲେଖିଛନ୍ତି। ଚିଠିଟିର ବଡ଼ ମାର୍ମିକ କଥା ସବୁ ରହିଛି। ଅର୍ଚ୍ଚନା ଲେଖିଛନ୍ତି –

ମାନ୍ୟବର ବଂଶଲ ଜୀ, ଓଡ଼ିଶା ବିଜେପିର ପ୍ରଭାରୀ ଭାବେ ମନୋନୀତ ହୋଇ ଥିବାରୁ ଅଭିନନ୍ଦନ। ଓଡ଼ିଶା ବିଜେପିକୁ ଶାସନ କ୍ଷମତାକୁ ଆଣିବାକୁ ହେଲେ ପ୍ରଥମେ ଗୋଷ୍ଠୀବାଦର ମୂଳଉତ୍ପାଟନ କରନ୍ତୁ। ଯେତେସବୁ ପୁରୁଣା ବରିଷ୍ଠ ନେତା ଅଛନ୍ତି ସେମାନଙ୍କ ସହିତ ସମନ୍ୱୟ ରକ୍ଷା କରନ୍ତୁ। ସମସ୍ତଙ୍କୁ ଗୋଟିଏ ମଞ୍ଚରେ ବସାଇ ଅନ୍ତର୍ଦ୍ୱନ୍ଦ ଦୂର କରନ୍ତୁ। ୧୪୭ ବିଧାନସଭା ଆସନ ପାଇଁ ସମ୍ଭାବିତ ପ୍ରାର୍ଥୀ ମାନଙ୍କ ନାମ ତାଲିକାଭୁକ୍ତ କରି ସେମାନଙ୍କ ମାର୍ଗ ଦର୍ଶନ କରାନ୍ତୁ। ଏବେଠାରୁ ଭଲ ବିଜେପି ଆଦର୍ଶରେ ଗଢ଼ା ସମ୍ଭାବିତ ପ୍ରାର୍ଥୀ ମାନଙ୍କୁ ନିଜ ନିଜର ନିର୍ବାଚନ ମଣ୍ଡଳୀ ଦାୟିତ୍ୱ ଅର୍ପଣ କରନ୍ତୁ। ବିଜେପିର ରାଜ୍ୟ ସଭାପତିଙ୍କୁ ବଦଳେଇ ଦିଆଯାଉ କିମ୍ବା ତାଙ୍କୁ ଉଚିତ ମାର୍ଗ ଦର୍ଶନ ଦିଆଯାଉ। ଏବେଠାରୁ ବୁଥ ସ୍ତରରୁ କର୍ମୀ ସମ୍ମିଳନୀ ଅନୁଷ୍ଠିତ କରାଯାଉ। ଗାଁ’ ଗାଁ’ରେ ଥିବା ବିଜେପିର କର୍ମୀ ମାନଙ୍କ ମନୋବଳ ବୃଦ୍ଧି ପାଇଁ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଉ। ସୋସିଆଲ ମିଡିଆରେ ଖଟୁ ଥିବା କାର୍ଯ୍ୟକର୍ତ୍ତା ମାନଙ୍କ ସହିତ ଯୋଗାଯୋଗ କରାଯାଉ। ବିଜେପି ନେତାମାନଙ୍କୁ ଗାଁ’ ଅଭିମ୍ମୁଖୀ କରାଯାଉ। ବିଜେପି ନେତା ମାନେ କର୍ମୀ ତଥା ଲୋକମାନଙ୍କ ସହିତ ରହିବା ପାଇଁ ଆଦେଶ ଦିଆଯାଉ। କେନ୍ଦ୍ର ସରକାରଙ୍କ ଜନ କଲ୍ୟାଣ ଯୋଜନାକୁ ଘରେ ଘରେ ପହଞ୍ଚାଇବା ପାଇଁ କର୍ମୀ ମାନଙ୍କ ସହିତ ସମ୍ପର୍କ ସ୍ଥାପନ କରାଯାଉ। ବିଜେପିର ସାମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ଫ୍ରଣ୍ଟ ଲାଇନକୁ ଆଣିବାକୁ ଚେଷ୍ଟା କରନ୍ତୁ। ଏ’ଯାବତ ରାଜ୍ୟ ବିଜେପି କେବଳ ରାଜଧାନୀ ଭୁବନେଶ୍ବରରୁ ଥାଇ ଫଟୋ ଉଠା କାର୍ଯ୍ୟକ୍ରମ ପର୍ଯ୍ୟନ୍ତ ସୀମିତ ରହିଛନ୍ତି। କେବଳ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ୍ କରି ନିର୍ବାଚନ ବୈତରଣୀ ପାର ହେବା ପାଇଁ ନେତା ମାନଙ୍କ ମନୋବୃତ୍ତିକୁ ଦୂରକରନ୍ତୁ। ରାଜ୍ୟ ସରକାର ଦୁର୍ନୀତିର ସୀମା ଲଙ୍ଘନ କରି ଚାଲିଛନ୍ତି। ଘୋଟାଲା ଭ୍ରଷ୍ଟାଚାର ପୂର୍ଣ୍ଣ ବିଜେଡି ସରକାର ରାଜ୍ୟର ଶାସନତନ୍ତ୍ରକୁ କଳଙ୍କିତ କରି ସାରିଲେଣି। ଲୋକମାନେ ନୂଆ ସରକାର ପାଇଁ ଆଶାବାନ୍ଧି ବସିଛନ୍ତି। ବିଜେପିର ନେତୃତ୍ୱ ଅଭାବ ଯୋଗୁଁ ସାଧାରଣ ଲୋକ ମାନଙ୍କ ବିଶ୍ୱାସ ଭାଜନ ହୋଇପାରୁ ନାହିଁ। ସୂତରାଂ ଆପଣ ପ୍ରଥମେ ବିଜେପି ଦଳ ମଧ୍ୟରେ ଥିବା ଗୋଷ୍ଠୀ କନ୍ଦଳକୁ ଦୂର କରନ୍ତୁ। ତା’ପରେ ନିଶ୍ଚିତ ସୁଫଳ ଆଶା କରାଯାଇ ପାରିବ। ଜୟ ବିଜେପି।
-/Dr