Odiapua.com

ମହାନଦୀକୁ ବଞ୍ଚିବାକୁ ଦିଅ : ଜଳପୁରୁଷ ରାଜେନ୍ଦ୍ର ସିଂହ

ନୂଆଦିଲ୍ଲୀ, ୨୩/୩ (ଓଡ଼ିଆ ପୁଅ) ମହାନଦୀର ନିଜର ବଞ୍ଚିବାର ଅଧିକାର ଅଛି ଓ ଏଥିପ୍ରତି ସରକାର ଧ୍ୟାନ ନଦେଲେ, ଜନସାଧାରଣ ରାସ୍ତାକୁ ଓହ୍ଲେଇବା ଦରକାର ବୋଲି ଜଳପୁରୁଷ ରାଜେନ୍ଦ୍ର ସିଂହ ଏଠାରେ ଏକ ଜାତୀୟ ଆଲୋଚନା ଚକ୍ରରେ ମତ ଦେଇଛନ୍ତି।

ମହାନଦୀ ବଞ୍ଚାଅ ଆନ୍ଦୋଳନ ଓ ଓଡ଼ିଶା ଫୋରମ ଦିଲ୍ଲୀର ମିଳିତ ଆନୁକୂଲ୍ୟରେ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ ଛତିଶଗଡ଼ ରାଜ୍ୟରେ ଅନେକ ବେଆଇନ ବନ୍ଧ ଓ ବ୍ୟାରେଜ ଆଦି ନିର୍ମାଣ ଯୋଗୁଁ ଜଳ ପ୍ରବାହ ବାଧାପ୍ରାପ୍ତ ହୋଇଥିବା ନେଇ ଏହି ଆଲୋଚନା ଗଭୀର ଉଦବେଗ ପ୍ରକାଶ ପାଇଥିଲା।

“ତୁରନ୍ତ ପଦକ୍ଷେପ ନନେଲେ ଭୟଙ୍କର ପ୍ରାକୃତିକ ସମସ୍ୟା ଦେଖାଦେବ” ବୋଲି ଜଳପୁରୁଷ ଶ୍ରୀ ସିଂହ ଚେତାବନୀ ଦେଇଛନ୍ତି।

ଏହି ଆଲୋଚନାରେ ଶ୍ରୀ ସିଂହଙ୍କ ବ୍ୟତୀତ ଓଡ଼ିଶାର ପୂର୍ବତନ ଶାସନ ସଚିବ ଶ୍ରୀ ଦେବୀ ପ୍ରସାଦ ବାଗଚି, ଭାରତ ସରକାରଙ୍କ ପୂର୍ବତନ ସଚିବ ଶ୍ରୀ ଗୋକୁଳ ଚନ୍ଦ୍ର ପଟନାୟକ, ମହାରାଷ୍ଟ୍ରର ନଦୀ ଆନ୍ଦୋଳନ ନେତା ଶ୍ରୀ ବିନାୟକ ପାଟିଲ, ଗଙ୍ଗା ଯମୁନା ବଞ୍ଚାଅ ଆନ୍ଦୋଳନର ନେତା ଶ୍ରୀ ରମେଶ ଶର୍ମା, ବରିଷ୍ଟ ସାମ୍ବାଦିକ ଶ୍ରୀ ରାଜେଶ ମହାପାତ୍ର, ଦିଲ୍ଲୀ ହାଇକୋର୍ଟ ଆଡ଼ଭୋକେଟ ବିରଜା ମହାପାତ୍ର, ଆଡ଼ଭୋକେଟ ବିଶ୍ୱରଞ୍ଜନ ପରମଗୁରୁ, ରବି ପାଣି, ପ୍ରବାସୀ ଓଡ଼ିଆ ପରିବାର ପକ୍ଷରୁ ସନ୍ତୋଷ ରାଉତ, ଓ ଦେବରାଜ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।

ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ଶ୍ରୀ ସୁଦର୍ଶନ ଦାସ ମହାନଦୀ ଟ୍ରିବୁନାଲଙ୍କ ତିନିବର୍ଷ ପୂର୍ତ୍ତି ପରିପ୍ରେକ୍ଷୀରେ ଓଡ଼ିଶା ଏବଂ ମହାନଦୀ କିପରି ପ୍ରତାରିତ ହୋଇଛି ତାର ଏକ ବିସ୍ତୃତ ବିବରଣୀ ଉପସ୍ଥାପନ କଲାପରେ ଆଲୋଚକମାନେ କେତେକ ଗୁରୁତ୍ୱପୂର୍ଣ ନିଷ୍ପତ୍ତି ନେଇଛନ୍ତି।

ସେଗୁଡିକ ମଧ୍ୟରେ ସୁପ୍ରିମକୋର୍ଟରେ ଆଇନଗତ ସହାୟତା ନେବା, ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆପୋଷ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ପାଇଁ ପ୍ରୟାସ କରିବା ଏବଂ ମହାନଦୀର ସୁରକ୍ଷା ପାଇଁ ବ୍ୟାପକ ଜନ ଆନ୍ଦୋଳନ ଗଢ଼ିତୋଳିବା ଅନ୍ତର୍ଭୁକ୍ତ।

ଆସନ୍ତା ଏପ୍ରିଲ ୨୦ ରୁ ୩୦ ତାରିଖ ମଧ୍ୟରେ ପାରାଦ୍ୱୀପରୁ ଛତିଶଗଡ଼ର ଧନ୍ତରି ପର୍ଯ୍ୟନ୍ତ ମହାନଦୀ ଯାତ୍ରା ଆୟୋଜନ କରି ଏହାର ଅବବାହିକାରେ ଥିବା ହଜାରେ ଗାଁରେ ସଚେତନତା ଅଭିଯାନ ଚଳାଯିବାକୁ ନିଷ୍ପତ୍ତି ନିଆଯାଇଛି।

ଓଡ଼ିଶା ସରକାର ହୀରାକୁଦ ତଳ ମୁଣ୍ଡରେ ମହାନଦୀରେ ସାତଟି ବ୍ୟାରେଜର ନିର୍ମାଣ ଘୋଷଣା କରିଥିଲେ ମଧ୍ୟ ତାହା ଏଯାବତ କାର୍ଯ୍ୟକାରୀ ନକରିଥିବା ନେଇ ଆଲୋଚକ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ।

ଓଡ଼ିଶା ମଞ୍ଚ ଦିଲ୍ଲୀ ପକ୍ଷରୁ ପ୍ରଶାସକ, ଆଇନଜୀବୀ ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷଙ୍କୁ ନେଇ ଏହି ଆନ୍ଦୋଳନକୁ ଶକ୍ତିଶାଳୀ କରିବାକୁ ଆହ୍ୱାନ ଦିଆଯାଇଛି।

ସେହିପରି ସବୁଜ ମହାନଦୀ ମିସନର କାର୍ଯ୍ୟକାରିତା ଓ ମହାନଦୀକୁ ପ୍ରଦୁଷଣମୁକ୍ତ କରିବା କ୍ଷେତ୍ରରେ ସରକାର ନିଷ୍କ୍ରିୟ ହୋଇପଡ଼ିଛନ୍ତି ବୋଲି ଆଲୋଚନାରେ ମତ ପ୍ରକାଶ ପାଇଥିଲା।