Odiapua.com

ଚିତାବାଘ ସହିତ ବର୍ବରତା: ପିଟିପିଟି ମାରିଦେଲେ; ଶବକୁ ଧରି ଗାଁ ବୁଲାଇ ବିଜୟ ଉତ୍ସବ ପାଳିଲେ

ନୂଆଦିଲ୍ଲୀ: ପଶୁମାନଙ୍କ ପ୍ରତି ବର୍ବରତାର ଗୋଟିଏ ପରେ ଗୋଟିଏ ମାମଲା ସାମନାକୁ ଆସୁଛି। କେରଳରେ ଗର୍ଭବତୀ ହାତୀ, ହିମାଚଳ ପ୍ରଦେଶରେ ଗାଈ ସହିତ ବର୍ବରତା ପରେ ଏବେ ଆସାମରେ ଏକ ଚିତାବାଘ ସହିତ ବର୍ବରତା ମାମଲା ସାମ୍ନାକୁ ଆସିଛି। ଗୁଆହାଟିର ଗୋରାଚୁକ୍ ଅଞ୍ଚଳର ସ୍ଥାନୀୟ ଲୋକ ଏକ ଚିତାବାଘକୁ ଅତି ନିର୍ମମ ଭାବରେ ପିଟିପିଟି ହତ୍ୟା କରିଥିଲେ। ଏହାପରେ ତା’ର ଦାନ୍ତ ଓ ନଖ ବାହାର କରି ସମସ୍ତଙ୍କୁ ଦେଖାଇଥିଲେ। ଏହା ସହ ମୃତ ଚିତାବାଘର ଶବକୁ ଧରି ଗାଁ ବୁଲାଇ ସତେ ଯେପରି ବିଜୟ ଉତ୍ସବ ପାଳନ କରିଥିଲେ। ଏହି ଘଟଣାକୁ ନେଇ ଗୋରାଚୁକ୍ ଥାନାରେ ୩୧୫/୨୦୨୦ ଅନୁଯାୟୀ ଏକ ମାମଲା ରୄଜୁ ହେବା ସହ ପୋଲିସ ୬ ଜଣଙ୍କୁ ଗିରଫ କରିଛି ଏବଂ ଅବଶିଷ୍ଟ ଅଭିଯୁକ୍ତଙ୍କୁ ଖୋଜା ଚାଲିଛି।

ଶନିବାର ଦିନ ଏକ ୮ ବର୍ଷିୟ ଚିତାବାଘକୁ ସ୍ଥାନୀୟ ଲୋକ ଜାଲ ଦ୍ୱାରା ଧରିଥିଲେ। ଏହାପରେ ସେମାନେ ତାକୁ ପିଟିପିଟି ଅତି ନିର୍ମମ ଭାବରେ ହତ୍ୟା କରି ତା’ର ନଖ ଓ ଦାନ୍ତ ବାହାର କରିଥିଲେ। କେବଳ ଏତିକି ନୁହେଁ, ଏସବୁ କରିବା ପରେ ଲୋକମାନେ ସାର୍ବଜନୀନ ଭାବରେ ସେମାନଙ୍କ ଏହି ଅମାନୁଷିକ କାର୍ଯ୍ୟକୁ ପ୍ରଦର୍ଶନ କରିଥିଲେ। ଶବକୁ ଧରି ଗାଁ ବୁଲାଇ ବିଜୟ ଉତ୍ସବ ପାଳନ କରିଥିଲେ। ଚିତାବାଘ ସହିତ ଏପରି କାର୍ଯ୍ୟର ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଚିତାବାଘଟି ଅନେକ ଦିନ ହେଲା ଭୋକିଲା ଥାଇ ଦୃବଳ ହୋଇ ପଡ଼ିଥିଲା ବୋଲି ଜଣାପଡ଼ିଛି। /-ଦେବଦତ୍ତ ରଥ

(ବି:ଦ୍ର- ଭିଡିଓ ଆପଣଙ୍କୁ ବିଚଳିତ କରିପାରେ)

https://twitter.com/Dilsedesh/status/1269675426223448071?s=08