Odiapua.com

ଜାଣନ୍ତୁ; ଏହି ୫ଟି ମାରାତ୍ମକ ରୋଗର କାରଣ ଏବଂ ନିରାକରଣ ..

ଭୁବନେଶ୍ୱର: ମଶା କାମୁଡ଼ିବା ଦ୍ୱାରା ଡେଙ୍ଗୁ, ଚିକେନଗୁନିଆ, ମ୍ୟାଲେରିଆ ଭଳି ମାରାତ୍ମକ ରୋଗ ହୋଇଥାଏ। ବର୍ଷାରୃତୁରେ ମଶା ଜନ୍ମ ହୁଅନ୍ତି। ବର୍ଷ ସାରା ମଶାଙ୍କ ଭୟ ରହିଥିଲେ ମଧ୍ୟ ବର୍ଷା ଦିନେ ମଶା ମାନଙ୍କର ପ୍ରକୋପ ଆହୁରି ବଢ଼ି ଯାଇଥାଏ। ସେହିପରି ଗ୍ୟାଷ୍ଟ୍ରୋଏଣ୍ଟେରାଇଟିସ୍ ଏବଂ ହେପାଟାଇଟ୍ସ- ଏ ମଧ୍ୟ ଖୁବ ମାରତ୍ମକ ରୋଗ ଅଟନ୍ତି। ଆସନ୍ତୁ ଜାଣିବା ଏହି ସବୁ ରୋଗ ଗୁଡିକର ପ୍ରତିରୋଧର ଲକ୍ଷଣ ଏବଂ ଉପାୟ କ’ଣ –

ମ୍ୟାଲେରିଆ –
ମଶା ଯୋଗୁଁ ସବୁଠାରୁ ଅଧିକ ହେଉଥିବା ରୋଗର ନାମ ମ୍ୟାଲେରିଆ। ମହିଳା ଆନୋଫେଲ୍ସ ମଶା କାମୁଡ଼ିବା ଦ୍ୱାରା ଏହି ରୋଗ ହୁଏ। ଏହି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କଠାରେ ଜ୍ୱର, ମୁଣ୍ଡବିନ୍ଧା, ଶରୀର ବିନ୍ଧା, ଦୁର୍ବଳତା, ମୁଣ୍ଡ ବୁଲାଇବା ଭଳି ଲକ୍ଷଣ ଦେଖାଯାଏ। ଏହି ରୋଗ ଠାରୁ ବଞ୍ଚିବାକୁ ହେଲେ, ଜଣେ ବ୍ୟକ୍ତି ସମ୍ପୂର୍ଣ୍ଣ ଆଚ୍ଛାଦିତ ପୋଷାକ ପିନ୍ଧିବା ଉଚିତ୍। ଏହା ବ୍ୟତୀତ, ଆପଣଙ୍କ ଚାରି ପାଖରେ ପରିଷ୍କାର ପରିଚ୍ଛନ୍ନତାର ଯତ୍ନ ନିଅନ୍ତୁ। ଘର ଚାରିପାଖରେ ପାଣି ଜମା ହେବାକୁ ଦିଅନ୍ତୁ ନାହିଁ। ମଶା ମାନଙ୍କୁ ଦୂରେଇ ରଖିବା ପାଇଁ ପର୍ଯ୍ୟାୟକ୍ରମେ ଘରର ଡ୍ରେନ୍ ଚାରିପାଖରେ ସ୍ପ୍ରେ କରନ୍ତୁ।

ଡେଙ୍ଗୁ –
ମଶା ଦ୍ୱାରା ହେଉଥିବା ଦ୍ୱିତୀୟ ଗୁରୁତର ରୋଗ ହେଲା ଡେଙ୍ଗୁ। ପ୍ରତିବର୍ଷ ଶହ ଶହ ଲୋକ ଡେଙ୍ଗୁରେ ପ୍ରାଣ ହରାନ୍ତି। ଡେଙ୍ଗୁ ଜ୍ୱରରେ ପୀଡ଼ିତ ବ୍ୟକ୍ତିଙ୍କ ନିକଟରେ ମୁଣ୍ଡବ୍ୟଥା, ମୁଣ୍ଡ ବୁଲାଇବା, ମାଂସପେଶୀ ଏବଂ ଗଣ୍ଠି ଯନ୍ତ୍ରଣା, ଥଣ୍ଡା, ଦୁର୍ବଳତା, ଭଳି ଲକ୍ଷଣ ଦେଖାଦିଏ। ଡେଙ୍ଗୁରେ ପୀଡ଼ିତ ବ୍ୟକ୍ତି ସର୍ବାଧିକ ତରଳ ଖାଦ୍ୟ ଗ୍ରହଣ କରିବା ଉଚିତ୍। ଏହା ବ୍ୟତୀତ, ଏହି ଲକ୍ଷଣ ଦେଖାଯିବା ମାତ୍ରେ ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରାଯିବା ଉଚିତ୍।

ଚିକନଗୁନିଆ –
ଏଡିସ୍ ମଶା କାମୁଡ଼ିବା କାରଣରୁ ଚିକନଗୁନିଆ ହୋଇଥାଏ। ଏହି ରୋଗର ଲକ୍ଷଣ ଡେଙ୍ଗୁ ସହିତ ପ୍ରାୟ ସମାନ। ଏହି ଧରଣର ମଶା ପ୍ରାୟତଃ ଦିନରେ କାମୁଡ଼ନ୍ତି। ମୁଣ୍ଡବିନ୍ଧା, ଆଖି ଯନ୍ତ୍ରଣା, ନିଦ୍ରାହୀନତା, ଦୁର୍ବଳତା, ଶରୀର ଉପରେ ଦାଗ ଏବଂ ଗଣ୍ଠି ଯନ୍ତ୍ରଣା ହେବା ଆଦି ଏହି ରୋଗର ଲକ୍ଷଣ। ଏହି ରୋଗରୁ ରକ୍ଷା ପାଇବା ପାଇଁ, ଘରର ପରିଷ୍କାର ପରିଚ୍ଛନ୍ନତା ରଖନ୍ତୁ ଯାହା ଦ୍ୱାରା ମଶା ଆପଣଙ୍କ ଚାରିପାଖରେ ପ୍ରଜନନ ନକରନ୍ତି।

ଗ୍ୟାଷ୍ଟ୍ରୋଏଣ୍ଟେରାଇଟିସ୍ –
ଗ୍ୟାଷ୍ଟ୍ରୋଏଣ୍ଟେରାଇଟିସ୍ ହେଉଛି ଏକ ରୋଗ ଯାହା ହଜମ ପ୍ରକ୍ରିୟାରେ ସଂକ୍ରମଣ ଏବଂ ପ୍ରଦାହ ଦ୍ୱାରା ହୋଇଥାଏ। ଏଥିରେ ରୋଗୀର ପେଟ କାଟିବା, ପେଟ ମୋଡ଼ି ହେବା ଏବଂ ବାନ୍ତି ହେବା ପରି ଲକ୍ଷଣ ଦେଖାଯାଏ। ଗ୍ୟାଷ୍ଟ୍ରୋଏଣ୍ଟେରାଇଟିସ୍ ଦ୍ୱାରା ପ୍ରଭାବିତ ବ୍ୟକ୍ତିଙ୍କର ଡାଇରିଆ ହୋଇପାରେ। ପ୍ରାୟତଃ ଦୂଷିତ ଖାଦ୍ୟ କିମ୍ବା ପାଣି ପିଇବା ଦ୍ୱାରା ଏହା ହୋଇଥାଏ। ଏହି ଜୀବାଣୁ ଶରୀରରେ ଖାଦ୍ୟ କିମ୍ବା ପାଣି ଦେଇ ପ୍ରବେଶ କରନ୍ତି ଏବଂ ୪ ରୁ ୪୮ ଘଣ୍ଟା ମଧ୍ୟରେ ସେମାନଙ୍କର ସଂକ୍ରମଣ ବିସ୍ତାର କରନ୍ତି। ଏହାର ଚିକିତ୍ସାରେ, ଅଧିକ ପରିମାଣରେ ତରଳ ଖାଦ୍ୟ ସେବନ ଏବଂ ଫାର୍ମାସିଷ୍ଟଙ୍କ ପାଖରେ ଉପଲବ୍ଧ ରିହାଇଡ୍ରେସନ୍ (ଓଆରଏସ) ପାନୀୟ ପିଇବା ଉଚିତ୍। ଏହି ରୋଗରୁ ରକ୍ଷା ପାଇବା ପାଇଁ ପରିଷ୍କାର ଘର ଖାଦ୍ୟ ଖାଇବା ଉଚିତ୍। ବାସୀଖାଦ୍ୟ ଏବଂ ଦୂଷିତ ଜଳ ବ୍ୟବହାରରୁ ଦୂରେଇ ରୁହନ୍ତୁ। ରାନ୍ଧିବା ଏବଂ ଖାଇବା ପୂର୍ବରୁ ସାବୁନରେ ହାତକୁ ଭଲ ଭାବରେ ଧୋଇ ଦିଅନ୍ତୁ।

ହେପାଟାଇଟ୍ସ ଏ –
ଦୂଷିତ ଖାଦ୍ୟ ଖାଇବା, ଦୂଷିତ ଜଳ ପିଇବା ଏବଂ ଏହି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ଦ୍ୱାରା ହେପାଟାଇଟ୍ସ- ଏ ରୋଗ ବ୍ୟାପିଥାଏ। ଜଣ୍ଡିସ, ଥକାପଣ, ଭୋକ ହ୍ରାସ, ବାନ୍ତି, ସାମାନ୍ୟ ଜ୍ୱର, ହଳଦିଆ ରଙ୍ଗର ପରିସ୍ରା ଏବଂ ଶରୀରରେ କୁଣ୍ଡେଇ ହେବା ଏହାର ସାଧାରଣ ଲକ୍ଷଣ। ଏହି ରୋଗକୁ ରୋକିବା ପାଇଁ, ଠିକ୍ ସମୟରେ ଟୀକାକରଣ ସହିତ ଅପରିଷ୍କାର ଖାଦ୍ୟ ଏବଂ ଜଳଠାରୁ ଦୂରରେ ରହିବା ଉଚିତ୍। /- ଦେବଦତ୍ତ ରଥ