Odiapua.com

ଦବଙ୍ଗଗିରୀ: ଉମାଙ୍କୁ କହିଥିଲେ, ଏବେ ଓମଙ୍କୁ କ’ଣ କହିବେ ବିଜେପି ନେତ୍ରୀ ମନସ୍ମିତା ଖୁଣ୍ଟିଆ?

ଭୁବନେଶ୍ୱର: ନିକଟରେ ବିଭିନ୍ନ ପ୍ରସଙ୍ଗରେ ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନୀ ମଣ୍ଡଳୀ ଅନ୍ତର୍ଗତ କଣାସ ବ୍ଲକ୍ ଘେରାଉ କରିଥିଲା ଭାରତୀୟ ଜନତା ପାର୍ଟି। ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଅଞ୍ଚଳର ବିଜେପି ନେତା ଓମ ପ୍ରକାଶ ମିଶ୍ରଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, ମନସ୍ମିତା ଖୁଣ୍ଟିଆ, କୃଷ୍ଣଚନ୍ଦ୍ର ଜଗଦ୍ଦେବ ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାରଙ୍କ ଉପରେ ଖୁବ୍ ବର୍ଷିଥିଲେ। ତେବେ, ସମସ୍ତଙ୍କୁ ବଳି ଯାଇଥିଲେ ବିଜେପି ନେତ୍ରୀ ମନସ୍ମିତା ଖୁଣ୍ଟିଆ। ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିବା ସହିତ ବିଧାୟକ ଉମା ସାମନ୍ତରାୟଙ୍କ ଏକ ପୁରୁଣା ଅଡିଓ ଭାଇରାଲ୍ ପ୍ରସଙ୍ଗ ଉଠାଇ ଉମାଙ୍କୁ ଟାର୍ଗେଟ୍ କରିଥିଲେ ମନସ୍ମିତା। କିଛି ଦିନ ତଳେ ସତ୍ୟବାଦୀ ବିଜେଡି ବିଧାୟକ ଉମା ସାମନ୍ତରାୟଙ୍କର ଏକ ଅଡିଓ ଭାଇରାଲ୍ ହୋଇଥିଲା। ଯେଉଁଥିରେ କି “ଘରେ ପଶିକି ଟାଣିକି ଆଣି ମାର, କିଛି ଚିନ୍ତା କରନି, ଯାହା ହେବ ସବୁ ପଇସାପତ୍ର ମୁଁ ଖର୍ଚ୍ଚ କରିବି” ବୋଲି ତାଙ୍କର ଜଣେ ସମର୍ଥକଙ୍କୁ ଫୋନରେ କହିଥିଲେ ଉମା ସାମନ୍ତରାୟ। ଅଡିଓଟି ସେତେବେଳେ ଖୁବ୍ ଭାଇରାଲ୍ ହୋଇଥିଲା। ବିଜେଡି ବିଧାୟକ ଉମା ସାମନ୍ତରାୟଙ୍କ ସେହି ଦବଙ୍ଗଗିରୀ ପ୍ରସଙ୍ଗ ଉଠାଇ ନିଜର ଦବଙ୍ଗଗିରୀ ଦେଖାଇ ମନସ୍ମିତା କହିଥିଲେ, ଏଠି ଆତଙ୍କରାଜ୍ ଚଲାଇ ଦବଙ୍ଗଗିରୀ ଦେଖାଉଛନ୍ତି ବିଧାୟକ। ତାଙ୍କ ଲୋକଙ୍କୁ ଶିଖାଇ, ଯାଇ ଘରୁ ଟାଣିଆଣି ବାଡ଼ାଅ, ମୁଁ ଅଛି କିଏ କ’ଣ କରିବ ଦେଖିବା ବୋଲି କହୁଛନ୍ତି। ଜଣେ ବିଧାୟକ ହୋଇକି, ଏଇ ଶିକ୍ଷା ଦେଉଛନ୍ତି ବୋଲି ପ୍ରଶ୍ନ କରିବା ସହ, ମୁଁ ତ’ କହୁଛି ଆଉ କିଛି ଦିନ ପରେ ମା’, ଭଉଣୀମାନେ ତାଙ୍କୁ ଘରୁ ଟାଣି ଆଣି ବାଡ଼େଇବେ। ଝାଡ଼ୁ ଧରିକି ପିଟିବେ। ଯେଉଁ ଦିନ ନାରୀ ସଚେତନ ହୁଏ, ସରକାର ବଦଳି ଯାଏ ବୋଲି କହିଥିଲେ ମନସ୍ମିତା ଖୁଣ୍ଟିଆ। ବିଜେଡି ବିଧାୟକଙ୍କ ଦବଙ୍ଗଗିରୀକୁ ସମାଲୋଚନା କରିବାକୁ ଯାଇ ଓଲଟି ନିଜର ଦବଙ୍ଗଗିରୀ ଦେଖାଇଥିଲେ ଏହି ବିଜେପି ନେତ୍ରୀ। ବିଜେପି ନେତ୍ରୀଙ୍କ ଏପରି ଭାଷଣକୁ ନେଇ ସଂପୃକ୍ତ ଅଞ୍ଚଳରେ ଖୁବ୍ ଆଲୋଚନା ହୋଇଥିଲା।

ଏବେ କିନ୍ତୁ କଥା ଓଲଟା। ଏବେ ବିଜେପି ନେତାଙ୍କ ଦବଙ୍ଗଗିରୀ କଥା ଉଠିଛି। ବିଜେପି ନେତାଙ୍କୁ ଆକ୍ରମଣ କରିଛନ୍ତି ବିଜେପି ନେତା! ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ କୋଅପରେଟିଭ୍ ସେଲ୍ ସଂଯୋଜକ ଜିଷ୍ଣୁଜୟ ମତଗଜସିଂହଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ବଡ଼ କଥା ହେଲା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ. ସମ୍ବିତ ପାତ୍ର ଏବଂ ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନୀ ମଣ୍ଡଳୀରୁ ୨୦୧୯ରେ ବିଜେପିରୁ ପାର୍ଥି ହୋଇଥିବା ଓମପ୍ରକାଶ ମିଶ୍ରଙ୍କ ଉପସ୍ଥିତିରେ ଏହି ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ନିଜେ ଓମପ୍ରକାଶ ମିଶ୍ର ହିଁ ଏହି ଆକ୍ରମଣ କରାଇ ଥିବା ଅଭିଯୋଗ ହୋଇଛି। କଣାସ ଅଞ୍ଚଳର ବିଜେପି ନେତା ସୁରଥ ବିଶ୍ୱାଳଙ୍କ ମାତୃ ବିୟୋଗ ପରେ ସମବେଦନା ଜଣାଇବା ତଥା ବନ୍ଧୁ ଶଙ୍ଖୁଳିବା ପାଇଁ ଯାଇଥିବା ସମୟରେ ଜିଷ୍ଣୁଜୟ ମତଗଜସିଂହଙ୍କ ଉପରେ ଏହି ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ଓମ ପ୍ରକାଶ ମିଶ୍ର ଏବଂ ଅନେକ ବିଜେପି କର୍ମୀଙ୍କ ଉପସ୍ଥିତରେ ଓମପ୍ରକାଶ ମିଶ୍ରଙ୍କ ସମର୍ଥକ ଗୁଣ୍ଡାମାନେ ଜିଷ୍ଣୁଜୟଙ୍କୁ ଆକ୍ରମଣ କରିଥିଲେ ଏବଂ ପୁନର୍ବାର ସେଠାରୁ ଫେରିବା ରାସ୍ତାରେ ବକୁ ଛକ ନିକଟରେ ତାଙ୍କୁ ଏକୁଟିଆ ଦେଖି ପୁଣି ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଛି। ଓମପ୍ରକାଶ ମିଶ୍ର ଏବଂ ତାଙ୍କର ଗୁଣ୍ଡା ମିଶି ବିଭିନ୍ନ ମାରଣାସ୍ତ୍ର ଧରି ତାଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ। ଏନେଇ ଗଡ଼ିଶାଗୋଦା ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଭବିଷ୍ୟତରେ ଯଦି ତାଙ୍କର କିଛି ଅସୁବିଧା ହୁଏ ସେଥିପାଇଁ ଓମ ପ୍ରକାଶ ଦାୟୀ ରହିବେ ବୋଲି କହିଛନ୍ତି ଜିଷ୍ଣୁଜୟ ମତ୍ତଗଜସିଂହ। ଏହା ବିଜେପି ପାଇଁ ଏକ ନିନ୍ଦାର କାରଣ ହୋଇଛି। ଦଳର ବରିଷ୍ଠ ନେତୃତ୍ୱ ଏହି ଘଟଣାର ଉପଯୁକ୍ତ ବିଚାର କରନ୍ତୁ ବୋଲି ସ୍ଥାନୀୟ ବିଜେପି କର୍ମୀମାନେ କହୁଛନ୍ତି। ଓମପ୍ରକାଶ ମିଶ୍ରଙ୍କ ନେତୃତ୍ୱରେ ଆୟୋଜିତ ବ୍ଲକ୍ ଘେରାଉ କାର୍ଯ୍ୟକ୍ରମରେ ଯୋଗଦେଇ ଦବଙ୍ଗଗିରୀ କଥା ଉଠାଇ ବିଜେଡି ବିଧାୟକ ଉମା ସାମନ୍ତରାୟଙ୍କୁ ଟାର୍ଗେଟ୍ କରିଥିବା ବେଳେ ଆଜି ତାଙ୍କ ନିଜ ଦଳର ନେତା ଓମପ୍ରକାଶ ମିଶ୍ରଙ୍କ ଦବଙ୍ଗଗିରୀ ନେଇ କ’ଣ କହିବେ ବିଜେପି ନେତ୍ରୀ ମନସ୍ମିତା ଖୁଣ୍ଟିଆ ?
-@Dr