Odiapua.com

ଲାଲୁ ପ୍ରସାଦ ଯାଦବଙ୍କ ଫୁସଫୁସରେ ସଂକ୍ରମଣ, ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ସୋରେନ RIMS ପହଞ୍ଚିଲେ

ରାଞ୍ଚି ୨୧ -୧ (ଓଡ଼ିଆ ପୁଅ) ଚାରା ଘୋଟାଲା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆରଜେଡି ନେତା ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟ ଗୁରୁବାର ଦିନ ହଠାତ୍ ଖରାପ ହୋଇଯାଇଥିଲା। ଲାଲୁ ଯାଦବଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି। ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ RIMS ରେ ପହଞ୍ଚି ସ୍ୱାସ୍ଥାବସ୍ଥା ବିଷୟରେ ପଚାରି ବୁଝିଛନ୍ତି। ସୂଚନାନୁସାରେ, ଫୁସଫୁସରେ ସଂକ୍ରମଣ ହେତୁ ସେ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା। ତୁରନ୍ତ ଡାକ୍ତର କରୋନା ପରୀକ୍ଷା କରିଥିଲେ କିନ୍ତୁ ରିପୋର୍ଟ ନେଗେଟିଭ୍ ଆସିଥିଲା।

ଏହାପୂର୍ବରୁ ଲାଲୁଙ୍କ ଆକସ୍ମିକ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ସମ୍ପର୍କରେ ସୂଚନା ପାଇବା ପରେ ଝାଡଖଣ୍ଡର ସ୍ୱାସ୍ଥ୍ୟମନ୍ତ୍ରୀ ବନ୍ନା ଗୁପ୍ତା ମଧ୍ୟ ତାଙ୍କ ଅବସ୍ଥା ଜାଣିବା ପାଇଁ ଡାକ୍ତରଖାନାରେ ପହଞ୍ଚିଥିଲେ।
ରିମସ୍ ନିର୍ଦ୍ଦେଶକ କାମେଶ୍ୱର ପ୍ରସାଦ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରସାଦ କହିଛନ୍ତି ଯେ ଲାଲୁଙ୍କ ଅବସ୍ଥା ଏବେ ସ୍ଥିର ରହିଛି। ସେ କହିଛନ୍ତି ଯେ ସନ୍ଧ୍ୟା ୭ ଟାରେ ଲାଲୁଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଥିଲା। ଏହା ପରେ ଡକ୍ଟର ଉମେଶ ପ୍ରସାଦ ଏବଂ ଡକ୍ଟର ଡି.କେ ଝା ତାଙ୍କର ଚିକିତ୍ସା କରୁଛନ୍ତି। ଛାତିରେ ସଂକ୍ରମଣକୁ RIMS ନିର୍ଦ୍ଦେଶକ ନିଶ୍ଚିତ କରିଛନ୍ତି। ଲାଲୁଙ୍କ ଅବସ୍ଥା ସମ୍ପର୍କରେ AIIMS ଡାକ୍ତରଙ୍କ ପରାମର୍ଶ ନିଆଯାଉଛି।

ସୂଚନାଯୋଗ୍ୟଯେ, ଲାଲୁ ୩ ବର୍ଷ ହେବ ଜେଲ ଦଣ୍ଡ ଭୋଗୁଛନ୍ତି। ସେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରିଛନ୍ତି। ସେ ପ୍ରାୟ ଅଢ଼େଇ ବର୍ଷ ଧରି RIMS ରେ ଚିକିତ୍ସିତ ହେଉଛନ୍ତି।
ଆସନ୍ତା କାଲି ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ଶୁଣାଣି ହେବ।