Odiapua.com

ନିଜ ରକ୍ତର ଛିଟାରେ ବନାଇବୁ ରାମ ମନ୍ଦିର:କିନ୍ନର ମହାମଣ୍ଡଳେଶ୍ୱର

ରାମ ମନ୍ଦିର ନାମରେ ଲୋକେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ହୋଇଗଲେ;କିନ୍ତୁ ରାମ ମନ୍ଦିର ହୋଇ ପାରିଲା ନାହିଁ
ପ୍ରୟାଗରାଜ;୦୫,ନଭେମ୍ବର:୨୦୧୯ କୁମ୍ଭମେଳା ପାଇଁ ପ୍ରୟାଗରାଜରେ ପ୍ରସ୍ତୁତି ଜୋରସୋରରେ ଚାଲିଛି।ଏହାକୁ ନେଇ ସଙ୍ଗମ ନଗରୀକୁ ଆଖଡ଼ା ପରିଷଦ ଏବଂ ସାଧୁସନ୍ଥ ମାନଙ୍କର ଯାତାୟାତ ବଢ଼ିଯାଇଛି।ଏହି ଅବସରରେ ପ୍ରୟାଗରାଜରେ ପହଁଚିଥିବା କିନ୍ନର ଆଖଡ଼ା ମହାମଣ୍ଡଳେଶ୍ୱର ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ରାମ ମନ୍ଦିରକୁ ନେଇ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି।ସେ କହିଛନ୍ତି ଯଦି ଆବଶ୍ୟକ ପଡ଼େ,ତେବେ କିନ୍ନର ସମାଜ ନିଜ ରକ୍ତର ଛିଟାରେ ରାମ ମନ୍ଦିର ନିର୍ମାଣ କରିବ।ଯଦି ଭଗବାନ ରାମଙ୍କ ମନ୍ଦିର ନିର୍ମାଣ ପାଇଁ ପ୍ରାଣ ବଳି ଦେବାକୁ ପଡ଼ିବ,ତେବେ କିନ୍ନର ସମାଜ ନିଜ ପ୍ରାଣର ଆହୁତି ଦେଇ ରାମ ମନ୍ଦିର ନିର୍ମାଣ କରିବ ସିନା, କିନ୍ତୁ କୌଣସି ପରିସ୍ଥିତିରେ ପଛକୁ ହଟିବ ନାହିଁ।ଏହା ସହ ସେ କହିଥିଲେ ଯେ ଏହା ବଡ଼ ପରିତାପର ବିଷୟ ଯେ,ରାଜନୀତି କାରଣରୁ ରାମ ମନ୍ଦିର ପ୍ରସଙ୍ଗ ସୁପ୍ରିମକୋର୍ଟ ଯାଏଁ ପହଁଚିଗଲା।କିନ୍ତୁ ସନାତନ ଧର୍ମ ବିଶ୍ୱାସୀ ଆଶାବାଦୀ ଅଟନ୍ତି,ସେମାନେ କେବେ ନିରାଶ ହୋଇପାରିବେ ନାହିଁ।ଅଯୋଧ୍ୟାରେ ଭଗବାନ ରାମଙ୍କ ମନ୍ଦିର ହିଁ ନିର୍ମାଣ ହେବା ଉଚିତ।କୋର୍ଟ ମଧ୍ୟ ଭାବନାକୁ ଧ୍ୟାନରେ ରଖିବା ଉଚିତ।ଏହା ସହ ରାଜନୈତିକ ଦଳ ଗୁଡ଼ିକୁ ଆକ୍ଷେପ କରି ସେ କହିଥିଲେ ଯେ,ରାମ ମନ୍ଦିରକୁ ଆଣି ଆଜି ବଜାରରେ ଛିଡ଼ା କରି ଦିଆଯାଇଛି।ରାମ ମନ୍ଦିର ନାମରେ ଲୋକେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ହୋଇଗଲେ।କିନ୍ତୁ ରାମ ମନ୍ଦିର ଏପର୍ଯ୍ୟନ୍ତ ହୋଇପାରିଲା ନାହିଁ।ରାଜନୀତି କାରଣରୁ ମର୍ଯ୍ୟାଦା ପୁରୁଷୋତ୍ତମ ରାମ ଏକ ରାଜନୈତିକ ଫିଗର ହୋଇ ରହିଯାଇଛନ୍ତି।/ଦେବଦତ୍ତ