Odiapua.com

ଖୋର୍ଦ୍ଧା ବିଜେପି କାର୍ଯ୍ୟକାରିଣୀ: ଅପରାଜିତାଙ୍କୁ ଶୃଙ୍ଖଳା ଜ୍ଞାନ ଶିଖାଇଲେ ଭୃଗୁ !

ଭୁବନେଶ୍ୱର/ଖୋର୍ଦ୍ଧା: ଏ’ ଭିତରେ ଗତ ରବିବାର ଏବଂ ସୋମବାର ଦୁଇ ଦିନ ଧରି ଖୋର୍ଦ୍ଧା ସାଙ୍ଗଠନିକ ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ଏବଂ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ତେବେ, ରବିବାର ପ୍ରଥମ ଦିନ ବୈଠକ ଆରମ୍ଭରୁ ବିଭ୍ରାଟ ଦେଖାଦେଇଥିଲା। ବୈଠକ ଦିନ ୯: ୩୦/ ୧୦ ଟାରେ ଆରମ୍ଭ ହେବାର ଥିଲା। ମାତ୍ର ଆରମ୍ଭ ହେଲା ପ୍ରାୟ ୨ଟା ବେଳକୁ। କାରଣ ଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ବହୁ ବିଳମ୍ବରେ ଆସି ପହଞ୍ଚିଥିଲେ ସାଂସଦ। ସେହିପରି ଜିଲ୍ଲାର ୩୨/୩୩ଟା ମଣ୍ଡଳ ମଧ୍ୟରୁ ମାତ୍ର ୮/୯ଟି ମଣ୍ଡଳ ସଭାପତି ଏବଂ ୪/୫ଟି ମଣ୍ଡଳ ପ୍ରଭାରୀ ଥିଲେ ଉପସ୍ଥିତ। ଏହାକୁ ନେଇ ବିଜେପି ରାଜ୍ୟ ଉପାଧ୍ୟକ୍ଷ ତଥା ଖୋର୍ଦ୍ଧା ଜିଲ୍ଲା ପ୍ରଭାରୀ ଭୃଗୁ ବକ୍ସିପାତ୍ର ନାଁ’ ନନେଇ ପରୋକ୍ଷରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ୍ କରି ଶୃଙ୍ଖଳା ଏବଂ ସମାୟାନୁବର୍ତ୍ତିତାର ପାଠ ପଢ଼ାଇଥିଲେ। ସାଂସଦ ଚୁପ୍ ହୋଇ କେବଳ ଶୁଣିଥିଲେ। ୧୦ଟା ବେଳକୁ ସମୟ ଥାଇ ୨ଟା ବେଳକୁ ସାଂସଦ ଆସିବା ଏବଂ ବୈଠକରେ ନଗଣ୍ୟ ଉପସ୍ଥିତିକୁ ନେଇ ପରୋକ୍ଷରେ ଅପରାଜିତାଙ୍କୁ କଟାକ୍ଷ କରି କହିଥିଲେ ଭୃଗୁ। ପ୍ରଥମ ଥର ଏକ ବୈଠକ ଭିତରେ ଅପରାଜିତାଙ୍କୁ କେହି ଏପରି ଆକ୍ଷେପ କରି କହିବାକୁ ନେଇ ସେଠାରେ ଉପସ୍ଥିତ ଥିବା କାର୍ଯ୍ୟକର୍ତ୍ତା ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ଏହାପରେ ଦୂତୀୟ ଦିନ ଯେମିତି ଯାହା ହୋଇ ବୈଠକ ସମାପନ ହୋଇଥିଲା। ଜିଲ୍ଲା ସଭାପତି ରଶ୍ମି ରଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଜେପି ରାଜ୍ୟ ଉପାଧ୍ୟକ୍ଷ ତଥା ଖୋର୍ଦ୍ଧା ପ୍ରଭାରୀ ଭୃଗୁ ବକ୍ସିପାତ୍ର, ରାଜ୍ୟ ଉପାଧ୍ୟକ୍ଷ ପୃଥ୍ୱୀରାଜ ହରିଚନ୍ଦନ, ରାଜ୍ୟ ପ୍ରବକ୍ତା ସୁଦୀପ୍ତ ରାୟ, ସୋନାଲି ସାହୁ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶାଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସାରଦା ଶତପଥି, କାଳୁଚରଣ ଖଣ୍ଡେୟତରାୟ, ବିଶ୍ୱରଞ୍ଜନ ବଡ଼ଜେନା, ରିଷଭ ନନ୍ଦଙ୍କ ସମେତ ଅଜୟ ମିଶ୍ର, ନିକୁଞ୍ଜ କିଶୋର ପଟ୍ଟନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରତାପ ମହାପାତ୍ର, ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ରଶ୍ମିମୟୀ ପଟ୍ଟନାୟକ, ଜିଲ୍ଲା ଉପାଧ୍ୟକ୍ଷା ରୋଜିନାରାଣୀ ଦାସ, ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ପ୍ରବୀଣା ଭଞ୍ଜଦେଓ ପ୍ରମୂଖ ଯୋଗ ଦେଇଥିଲେ। ତେବେ, କିଏ କେତେବେଳେ ଆସିଲେ, କେତେବେଳେ ଗଲେ କିଛି ଠିକଠାକ୍ ନଥିଲା। ଏ ଭିତରେ ବୈଠକକୁ ବହୁ ବିଳମ୍ବରେ ଆସିବା ଏବଂ ବୈଠକରେ ନଗଣ୍ୟ ଉପସ୍ଥିତିକୁ ନେଇ ପରୋକ୍ଷରେ ସାଂସଦଙ୍କୁ କଟାକ୍ଷ କରି ଭୃଗୁ କହିବାକୁ ନେଇ ଅପରାଜିତାଙ୍କୁ କେହି ଜଣେ ଠିକ୍ ଜବାବ୍ ଦେଲା ବୋଲି ଆଲୋଚନା ହେଉଥିବା ବେଳେ ଜଣେ ନିର୍ବାଚିତ ସାଂସଦଙ୍କୁ ଲୋକଙ୍କ ଦ୍ୱାରା ପ୍ରତ୍ୟାକ୍ଷିତ ହୋଇଥିବା ଜଣେ ପରାଜିତ ପାର୍ଥି (ଭୃଗୁ) କ’ଣ ଶୃଙ୍ଖଳା ଶିଖାଇବେ ବୋଲି ମଧ୍ୟ ଭିନ୍ନ ଏକ ଆଲୋଚନା ହେଉଥିବା ଜଣାପଡ଼ିଛି।
-/DevDrath