Odiapua.com

ଖରା, ଜଳକଷ୍ଟ ସାଙ୍ଗକୁ ବିଦ୍ୟୁତ କାଟ କଷ୍ଟରେ ଜନଜୀବନ ଅସ୍ତବ୍ୟସ୍ତ

ନୟାଗଡ଼, ୩୦ା୪:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲ୍ଳାରେ ପ୍ରବଳ ଖରାର ତାତି ସହିତ ଗୁଳୁଗୁଳି ଓ ଘନ ଘନ ବିଦ୍ୟୁତ କାଟରେ ଜନଜୀବନ ଅସ୍ତ ବ୍ୟସ୍ତ ହୋଇପଡ଼ିଛି। ସାରା ଓଡ଼ିଶା ଖରାରେ ଆଉଟୁ ପାଉଟୁ ହେଉଥିବାବେଳେ ନୟାଗଡ଼ ଜିଲ୍ଲା ବି ସେଥିରୁ ବାଦ ପଡ଼ିନି। ଲୋକମାନେ ସକାଳ ୭ଟାରୁ ବାହାରକୁ ବାହାରିପାରୁନାହାନ୍ତି। ପୂର୍ବାହ୍ନ ୧୦ଟା ପରେ ରାସ୍ତା ଘାଟ ଏକପ୍ରକାର ଶୁନ୍ ଶାନ ହୋଇପଡ଼ୁଛି। ଦିନ ତମାତ ତାତି ଜାରି ରହୁଛି। ବାହାରକୁ ବାହାରିଲେ ଖରାର ତାତିରେ ମୁହଁ ଦେହ ପୋଡ଼ି ଯାଉଛି। ଅପରାହ୍ନ ୫ଟା ପରେ ଖରାର ତାତି କମିଲେ ଲୋକମାନେ ଚଳାଚଳ କରୁଥିବା ଦେଖାଯାଉଛି। ଆଗକୁ ଆହୁରି ତାତି ବଢିବ ପାଣିପାଗର ସୂଚନା ଶୁଣି ଲୋକମାନେ ତାତିରୁ କେମିତି ମୁକୁଳିବେ ତ୍ରାହି ତ୍ରାହି ଡାକୁଛନ୍ତି। ଘରେ ବି ରହି ହେଉନି। ପାଣି ପାଇଁ ଜିଲ୍ଳାସାରା ହାହାକାର ପଡ଼ିଯାଇଛି। ଭାଗବଂଟାରେ ସବୁଠି ପାଣି ନେବା ଦେଖାଯାଉଛି। ଜଳକଷ୍ଟ, ଖରାକଷ୍ଟ ସାଙ୍ଗକୁ ବିଦ୍ୟୁତ କାଟ କଷ୍ଟ ଜନ ଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ଗାଁ ଗହଳି ଠାରୁ ଆରମ୍ଭ କରି ସହର ବଜାର ପର୍ଯ୍ୟନ୍ତ ସବୁଆଡ଼େ କଂଙ୍କ୍ରିଟ୍ ରାସ୍ତା ସହିତ ରାସ୍ତା କଡ଼ରୁ ଗଛ କଟାଯାଇଥିବାରୁ ତାତିର ପ୍ରକୋପ ବଢୁଥିବା କୁହାଯାଉଛି। ଖରାର ପ୍ରକୋପ ଦେଖି ସରକାର ସ୍କୁଲକୁ ଛୁଟି କରିଥିବାବେଳେ କୋମଳମତି ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ଅଙ୍ଗନବାଡ଼ି କେନ୍ଦ୍ର ପ୍ରତି ସରକାର ଅଣଦେଖା କରିଥିବା ଅଭିଯୋଗ ହେଉଛି। ଖରାର ପ୍ରକୋପରେ ସାଧାରଣ ଲୋକମାନେ ସକାଳ ୮ଟାରୁ ପଦାକୁ ବାହାରି ପାରୁନଥିବାବେଳେ ବିଭିନ୍ନ ସ୍ଥାନରେ ଲୋକମାନେ ଅଂଶୁଘାତରେ ଶିକାର ହେଉଥିବା ଦେଖାଯାଉଛି। ଖରାରେ କେହି ବାହାରକୁ ବାହାରିପାରୁନଥିବାବେଳେ ଅସହ୍ୟ ତାତିରେ କୋମଳମତି ଶିଶୁମାନଙ୍କୁ କିପରି ଅଙ୍ଗନବାଡ଼ି କେନ୍ଦ୍ରକୁ ଯିବା ପାଇଁ କୁହାଯାଉଛି ବିଭାଗୀୟ ଉଦାସୀନତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟିହୋଇଛି। ସମସ୍ତଙ୍କ ପାଇଁ ସୁବିଧା ସୁଯୋଗ ଥିବାବେଳେ ଶିଶୁମାନଙ୍କ ପାଇଁ କାହିଁକି ଏପରି କଠୋର ନିୟମ କରାଯାଉଛି ବୋଲି ଶିଶୁମାନଙ୍କ ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଶିଶୁମାନେ ସକାଳୁ ସକାଳୁ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଉଥିବାବେଳେ ଘରକୁ ଫେରିଲାବେଳକୁ ଖରାର ତାତି ମାତ୍ରାଧିକଭାବେ ବଢିଯାଉଛି। ଯାହାକି କୋମଳମତି ଶିଶୁମାନଙ୍କ ପାଇଁ ଏ ଖରା ତାତି ଅସହ୍ୟ ହୋଇପଡ଼ିଛି। କେତେକ ଅଭିଭାବକ ମଧ୍ୟ ଶିଶୁମାନଙ୍କୁ ଖରାରେ ଅଙ୍ଗନବାଡ଼ି କେନ୍ଦ୍ରକୁ ଛାଡ଼ିବାକୁ ଉଚିତ୍ ମଣୁନାହାନ୍ତି। କେତେକ ସ୍ଥାନରେ ଶିଶୁମାନେ ଖରାରେ ଆଲେଜିଆ ହୋଇପଡ଼ିଥିବା ଜଣାପଡ଼ିଛି। ପ୍ରବଳ ଖରାକୁ ଆଖି ଆଗରେ ରଖି ତଥା କୋମଳମତି ଶିଶୁମାନଙ୍କ ସୁରକ୍ଷା ଦୃଷ୍ଟିରୁ ଅଙ୍ଗନବାଡ଼ି କେନ୍ଦ୍ରକୁ ଖରାଛୁଟି କରିବାକୁ ଦାବି ହେଉଛି।