Odiapua.com

ଲକ୍‌ଡାଉନ ବେଳେ ରାସନ କାର୍ଡ ନଥିଲେ ବି ମିଳିବ କିରୋସିନ ତେଲ : ରାଜ୍ୟ ଯୋଗାଣମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଘୋଷଣା

ଭୁବନେଶ୍ୱର ୨୪ ଏପ୍ରିଲ (ଓଡ଼ିଆ ପୁଅ) କରୋନା ଭୂତାଣୁ (କୋଭିଡ୍ -୧୯) କୁ ପ୍ରତିହତ କରିବା ଉଦେଶ୍ୟରେ ରାଜ୍ୟ ସମେତ ସାରା ଦେଶରେ ଲକ ଡାଉନ୍ ଜାରି କରାଯାଇଥିବାବେଳେ ରାସନ କାର୍ଡଧାରୀମାନଙ୍କର ରୋଷେଇ ବ୍ୟବହାର ନିମନ୍ତେ କିରୋସିନି ତେଲର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅଣରାସନ୍ କାର୍ଡଧାରୀ ଖାଇଟିମାନଙ୍କୁ କିରୋସିନି ତେଲ ଯୋଗାଇଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରକାଶ କରିଛନ୍ତି।

ଜିଲ୍ଲାରେ ମାର୍ଚ୍ଚ ୨୦୨୦ରେ କିରୋସିନି ପାଇଁ ଧାର୍ଯ୍ୟ ହୋଇଥିବା ଦର ହିସାବରେ ଖାଉଟିମାନଙ୍କୁ ପ୍ରତି ପରିବାର ପିଛା ୨ ଲିଟର ଲେଖାଏଁ କିରୋସିନି ତେଲ ଯୋଗାଇ ଦିଆଯିବ। ଏହି ମର୍ମରେ ଖାଦ୍ୟ ଯୋଗାଣ ଓ ଖାଜଟି କଲ୍ୟାଣ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖାଯାଇଛି। ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାରେ ଉପଲବ୍ଧ ହେଉଥିବା କିରୋସିନିକୁ ଅଣରାସନ କାର୍ଡଧାରୀମାନଙ୍କୁ ବିକ୍ରି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

କୋଭିଡ୍ – ୧୯ ପରି ଏକ ଅସ୍ୱାଭାବିକ ପରିସ୍ଥିତି ପରିପ୍ରେକ୍ଷୀରେ ଏପରି ପଦକ୍ଷେପ ନିଆଯାଇଛି, ଯାହାଦ୍ୱାରା ପ୍ରାୟ ୧୭ ଲକ୍ଷରୁ ଉର୍ଦ୍ଧ୍ୱ ଅଣରାସନ କାର୍ଡଧାରୀ ପରିବାର ଉପକୃତ ହେବେ। କିରୋସିନି ବଣ୍ଟନ ପ୍ରକ୍ରିୟା ଶେଷ ହେବାପରେ ଏ ସଂପର୍କରେ ଏକ ବିସ୍ତୃତ ରିପୋର୍ଟ ବିଭାଗକୁ ପ୍ରେରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।