Odiapua.com

କେରଳ ବିମାନ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୧୭ କୁ ବୃଦ୍ଧି – ଉଦ୍ଧାର କାର୍ଯ୍ୟ ଶେଷ

ନୂଆ ଦିଲ୍ଲୀ ଅଗଷ୍ଟ ୮, (ଓଡ଼ିଆ ପୁଅ) “ବନ୍ଦେ ଭାରତ” ମିଶନ ଅଧୀନରେ ପରିଚାଳିତ ଏୟାର ଇଣ୍ଡିଆ ବିମାନ ଶୁକ୍ରବାର ଦିନ କୋଝିକୋଡେ ସ୍ଥିତ କରିପୁର ବିମାନବନ୍ଦରରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ବିମାନବନ୍ଦରରେ ଅବତରଣ କରୁଥିଲା। ଏହା ଦୁବାଇ-କୋଝିକୋଡେ ଏୟାର ଇଣ୍ଡିଆ ବିମାନ ନମ୍ବର IX-1344 ଥିଲା।

ବିମାନର ପାଇଲଟ ଦୀପକ ସାଥେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି।

ଦୁର୍ଘଟଣା ସମୟରେ ପ୍ରବଳ ବର୍ଷା ହେଉଥିଲା। ବର୍ଷା ହେତୁ ବିମାନଟି ଅବତରଣ କରୁଥିବା ରନୱେରେ ଦୃଶ୍ୟମାନତା ଖରାପ ଥିବାରୁ ଏହି ଦୁର୍ଘଟଣା ଘଟିଛି। ବିମାନରେ ୧୯୦ ଜଣ ଲୋକ ଥିଲେ। ଶୁକ୍ରବାର ସନ୍ଧ୍ୟା ୭ ଟା ୩୮ ମିନିଟରେ ଏହି ଦୁର୍ଘଟଣା ଘଟିଛି।

ଉଦ୍ଧାର କାର୍ଯ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା। ବିଳମ୍ବିତ ରାତି ୨ ଟାରେ ଶେଷ ରିପୋର୍ଟ ଅନୁଯାୟୀ ୧୭ ଜଣ ପ୍ରାଣ ହରାଇଥିଲେ। ଆହତମାନଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବିମାନଟି ଦୁର୍ଘଟଣାଗ୍ରସ୍ତ ହେବାପରେ ପ୍ରଥମ ଧାଡି ସିଟ୍ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି।