(ଏ .ଜି ଅଡିଟ ଦାବି କଲେ ସଦର ବିଧାୟକ ମୋହନ ଚରଣ ମାଝୀ)
କେନ୍ଦୁଝର, ୧୮ ଜୁନ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ଖଣି ପ୍ରଭାବିତ କେନ୍ଦୁଝର ଜିଲ୍ଲାରେ ପ୍ରତିଷ୍ଠିତ ଖଣିଜ ପ୍ରତିଷ୍ଠାନ ବା ଡିଏମ୍ଏଫ୍ ତାର ଲକ୍ଷ୍ୟ ପୁରଣ ଦିଗରେ ସଫଳ ହୋଇ ପାରୁନଥିବା ସାଧାରଣରେ ଆଲୋଚ୍ୟ ବିଷୟ ହୋଇଥିବା ବେଳେ ଏବେ ଡିଏମ୍ଏଫ୍ର ସୁଫଳ ସ୍ୱଭାବିକ ଭାବେ ଆକାଶ କଇଁଆ ଚିଲିକା ମାଛ ହୋଇପଡିଛି। ଖଣି ପ୍ରଭାବିତ ଅଞ୍ଚଳରେ ଏହି ଅର୍ଥର ସୁବିନିଯୋଗ ହୋଇ ନପାରିବା ଯୋଗୁଁ କୋଟି କୋଟି ଟଙ୍କା କେବଳ ଗଚ୍ଛିତ ରହିବା ହିଁ ସାର ହୋଇଛି। ଅଥଚ ଏପଟେ ଡିଏମ୍ଏଫ୍ରେ ଉଚ୍ଚ ଦରମାରେ କାର୍ଯ୍ୟରତ କର୍ମଚାରୀଙ୍କ ଦରମା ବାବଦକୁ ମାସକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। କିନ୍ତୁ ବୈଷୟିକ ଜ୍ଞାନ ନଥିବା କର୍ମଚାରୀଙ୍କୁ କାହାର କେଉଁ ସ୍ୱାର୍ଥକୁ ଚରିତାର୍ଥ କରିବା ଉଦ୍ଦେଶ୍ୟରେ ଏଠାରେ ନିଯୁକ୍ତି ଦିଆଯାଇଛି ତାହା ଜିଲ୍ଲାବାସୀଙ୍କ ପାଇଁ ଏକ ବଡ ପ୍ରଶ୍ନ ହୋଇ ଛିଡା ହୋଇଛି। ଏବଂ ନିଯୁକ୍ତି ଦେଇଥିବା ୟରନେଷ୍ଟ ଆଣ୍ଡ ୟଙ୍ଗ ସଂସ୍ଥା କାହାପାଇଁ କେଉଁ ଆଧାରରେ ଏହି କର୍ମଚାରୀଙ୍କୁ, ଏପରିକି ଜିଲ୍ଲା ଉପରେ ଯଥେଷ୍ଟ ଜ୍ଞାନ ନଥିବା ଅଣଓଡିଆ କର୍ମଚାରୀଙ୍କୁ ମଧ୍ୟ ନିଯୁକ୍ତି ଦେଲା ତାହାର ଉଚ୍ଚ ତଦନ୍ତ ଦାବି ହୋଇଛି। ଜିଲ୍ଲା ଖଣିଜ ପାଣ୍ଠିରେ ମେ ମାସ ସୁଦ୍ଧା ୪ହଜାର ୫୦୬ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳ ତଥା ଖଣି ପ୍ରଭାବିତ ଓ ଆଦିବାସୀ ବହୁଳ ଅଞ୍ଚଳବାସୀ ଆଜି ବି ସୁଦ୍ଧପାନୀୟ ଜଳ, ଗମନାଗମନ, ସ୍ୱାସ୍ଥ୍ୟ ଭଳି ସର୍ବନିମ୍ନ ସେବାରୁ ବଞ୍ଚିତ ହୋଇ ହନ୍ତସନ୍ତ ହେଉଛନ୍ତି। କେନ୍ଦୁଝର ପରି ଖଣି ପ୍ରଭାବିତ ଜିଲ୍ଲାରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବା ଡିଏମ୍ଏଫ୍ର ଯେଭଳି ଗୁରୁତ୍ୱପୁର୍ଣ୍ମ ଭୁମିକା ରହିଛି ତାହାର ଉପଯୁକ୍ତ ବିନିଯୋଗ ହୋଇପାରୁନାହିଁ। ଯେଉଁଥିପାଇଁ ଜିଲ୍ଲା ଖଣିଜ ପାଣ୍ଠିରେ ମେ ମାସ ସୁଦ୍ଧା ୪ ହଜାର ୫୦୬ କୋଟି ଟଙ୍କା ଗଛିତ ଥିବା ବେଳେ ଏଥିମଧ୍ୟରୁ ମାତ୍ର ୧୪୦୮ କୋଟି ଟଙ୍କା ଖର୍ଚ୍ଚ ହେବା ସମ୍ଭବ ହୋଇପାରିଛି। ହାତକୁ ନିଆଯାଇଥିବା ୧୦୨୭ଟି ପ୍ରକଳ୍ପର କାର୍ଯ୍ୟର ମନ୍ଥର ଗତିି ଏବଂ ନୂତନ ପ୍ରକଳ୍ପ ପାଇଁ ଉପଯୁକ୍ତ ଯୋଜନାର ଅଭାବରୁ ୩୦୯୮କୋଟି ଟଙ୍କା ବିନିଯୋଗ ହୋଇପାରୁ ନଥିବା କଥା ଚର୍ଚ୍ଚାକୁ ଆସିଛି। ପ୍ରୋଜେକ୍ଟ ମନିଟରିଂ ୟୁନିଟ ଅଫିସରେ ଉଚ୍ଚ ଦରମାରେ କାର୍ଯ୍ୟରତ କର୍ମଚାରୀଙ୍କ ବାବଦରେ ବର୍ଷକୁ କୋଟି କୋଟି ଟଙ୍କା କେବଳ ଦରମାରେ ଖର୍ଚ୍ଚ ହେଉଛି। କିନ୍ତୁ ଶୀତତାପ ନିୟନ୍ତ୍ରିତ କାର୍ଯ୍ୟାଳୟରେ ବସି ଅଧିକାରୀ ଓ କର୍ମଚାରୀମାନେ ଦରମା ନେଉଥିବାବେଳେ ପ୍ରୋଜେକ୍ଟ କ୍ଷେତ୍ର ପରିଦର୍ଶନ କରୁନଥିବା ଅଭିଯୋଗ ଆସିଛି। ଟିମ ଲିଡର ଏବଂ ସିନିୟର ପ୍ରୋଜେକ୍ଟ ଅଫିସର ମାସକୁ ଲକ୍ଷ ଲକ୍ଷ ଟଙ୍କା ଦରମା ନେଉଥିଲେ ମଧ୍ୟ ସେମାନଙ୍କ କାର୍ଯ୍ୟର ସମୀକ୍ଷା ହେଉନଥିବାରୁ ଡିଏମ୍ଏଫ୍ ଅର୍ଥର ସଠିକ ବିନିଯୋଗ ଉପରେ ପ୍ରଶ୍ନ ଉଠିଛି। ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜଳସେଚନ, କୃଷି, ସଂସ୍କୃତି, ପର୍ଯ୍ୟଟନ, କ୍ରୀଡା, ଭିତିଭୂମିର ବିକାଶ, ଖଣି ପ୍ରଭାବିତ ଅଞ୍ଚଳର ସାମଗ୍ରିକ ବିକାଶ କ୍ଷେତ୍ରରେ ଡିଏମ୍ଏଫ୍ର ସୁବିନିଯୋଗ ନିମନ୍ତେ ଉଚିତ ପଦକ୍ଷେପ ନିଆଯାଉନାହିଁ। ଜିଲ୍ଲାରେ ଖଣିଜ ପ୍ରତିଷ୍ଠାନ ପାଣ୍ଠି ଅର୍ଥରେ ଖରାଦିନ ପୂର୍ବରୁ ପାନୀୟ ଜଳ ଯୋଗାଣ ସହ ପାରମ୍ପରିକ ଉତ୍ସଗୁଡିକୁ ମରାମତି ଓ ପୁନଃରୁଦ୍ଧାର କରିବା ଆବଶ୍ୟକ ଥିଲେ ମଧ୍ୟ ଧ୍ୟାନ ଦିଆଯାଉନାହିଁ। ପାନୀୟ ଜଳ ବ୍ୟତୀତ ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟ ଓ ପର୍ଯ୍ୟଟନକୁ ଗୁରୁତ୍ୱ ଦେବା ପାଇଁ ଡିଏମ୍ଏଫ୍ ଗାଇଡ୍ ଲାଇନ୍ରେ ରହିଥିଲେ ମଧ୍ୟ ଏସମସ୍ତ ଦିଗରେ ପ୍ଲାନିଂ ଆଣ୍ଡ ମନିଟରିଂ ୟୁନିଟ ବିଫଳ ହେବା ପ୍ରଶାସନର କାର୍ଯ୍ୟଶୈଳୀକୁ ନେଇ ସ୍ୱଭାବିକ ପ୍ରଶ୍ନ ଉଠିଛି। ଅନ୍ୟ ପକ୍ଷରେ ସଂପୃକ୍ତ ଠିକା ସଂସ୍ଥାର କାର୍ଯ୍ୟଧାରା ସନ୍ତୋଷ ଜନକ ନଥିବା ଏବଂ ଚୁକ୍ତର ୩ବର୍ଷ ପରେ ମଧ୍ୟ ଏଗ୍ରିମେଟଂଣ୍ଟବାତିଲ କରାନଯାଇ ପୁଣି ୨ବର୍ଷ ବୃଦ୍ଧି ରହସ୍ୟଜନକ ହୋଇଛି। ଚୁକ୍ତିନୁଯାୟୀ ୫ଜଣ ସିନିୟର ପ୍ରୋଜେକ୍ଟ ଅଫିସରଙ୍କ ସ୍ଥାନରେ ଟ୍ରଷ୍ଟ ବୋର୍ଡର ବିନା ଅନୁମୋଦନରେ ୧୦ଜଣ ସିନିୟର ପ୍ରୋଜେକ୍ଟ ଅଫିସର ନିଯୁକ୍ତି ଉପରେ କେନ୍ଦୁଝର ସଦର ବିଧାୟକ ତଥା ଟ୍ରଷ୍ଟ ବୋର୍ଡ ସଦସ୍ୟ ମୋହନ ଚରଣ ମାଝୀ ପ୍ରଶ୍ନ ଉଠାଇଛନ୍ତି। ଚୁକ୍ତିରେ କନସଲଟାଟଂ ବ୍ୟବସ୍ଥା ନଥାଇ ମଧ୍ୟ ୪ଜଣ କନସଲଟାଟଂଙ୍କୁ ଉଚ୍ଚବେତନରେ ନିଯୁକ୍ତି ଦିଆଯାଇ ଅଯଥା ଜିଲ୍ଲାବାସୀଙ୍କ ଅର୍ଥ ଅପବ୍ୟୟ କରାଯିବା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଶ୍ରୀ ମାଝୀ। ଏବଂ ବ୍ୟୟର ହିସାବ ଏ.ଜି ଅଡିଟ ଦ୍ୱାରା କରାଯିବାକୁ ସେ ସରକାରଙ୍କ ନିକଟରେ ଦାବି କରିଛନ୍ତି।