Odiapua.com

ପାରିବାରିକ କଳହରୁ ସ୍ୱାମୀ ଆକ୍ରମଣରେ ପତ୍ନୀ ମୃତ

କେନ୍ଦ୍ରାପଡା ୮/୬(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଏକ ପାରିବାରିକ କଳହରୁ ବୃଦ୍ଧ ସ୍ୱାମୀର ଆକ୍ରମଣରେ ବୃଦ୍ଧାପତ୍ନୀର ମୃତ୍ୟୁ ହୋଇଥିବା ଭଳି ବିଭତ୍ସ ଘଟଣା ଦେଖିବାକୁ ମିଳିଛି। ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କପାଳେଶ୍ୱର ପଂଚାୟତର ଗରାପୁର ଗ୍ରାମର ୭୦ବର୍ଷ ବୟସର ବୃଦ୍ଧ ଝଜିନ୍ଦ୍ର ମଳିକ ପାରିବାରିକ କଳହକୁ ନେଇ ରବିବାର ବିଳମ୍ବିତ ରାତିରେ ପତ୍ନୀ ୬୫ବର୍ଷ ବୟସର ଘୁଙ୍ଗୁରୀ ମଳିକ ନିଦରେ ଶୋଇଥିବା ସମୟରେ ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବାରେ ଘଟଣାସ୍ଥଳରେ ପତ୍ନୀ ଘୁଙ୍ଗୁରୀର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି। ପତ୍ନୀ ଘୁଙ୍ଗୁରୀ ମରିଯିବା ପରେ ଝଜିନ୍ଦ୍ର ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଝଜିନ୍ଦ୍ରଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୀର୍ଘଦିନ ଧରି ଏହି ବୃଦ୍ଧ ସ୍ୱାମୀ ଓ ତାଙ୍କ ବୃଦ୍ଧା ପତ୍ନୀଙ୍କ ମଧ୍ୟରେ ଘରୋଇ କଳି ଲାଗିରହୁଥିବା ବେଳେ ବୃଦ୍ଧ ପତ୍ନୀଙ୍କୁ ହତ୍ୟା କରିବାର ଧମକ ଦେଇଥାନ୍ତି। ରବିବାର ରାତିରେ ମଧ୍ୟ ଉଭୟଙ୍କ ମଧ୍ୟରେ କଳି ଲାଗିଥିଲା। ଝଜିନ୍ଦ୍ରଙ୍କ ଏକମାତ୍ର ପୁଅ ଜିଲ୍ଲା ବାହାରେ ଚାକିରୀ କ୍ଷେତ୍ରରେ ରୁହନ୍ତି। ତେଣୁ ଏଠାରେ ଝଜିନ୍ଦ୍ରଙ୍କ ଝିଅ ଗୀତାଞ୍ଜଳି ମଳିକର ପୁଅ ତଥା ତାଙ୍କ ନାତି ଅଜାଆଇଙ୍କ ପାଖରେ ରହି ସ୍କୁଲରେ ପାଠପଢନ୍ତି। ରବିବାର ରାତିରେ ନାତିକୁ ଝଜିନ୍ଦ୍ର ଖାଇବାରେ କିଛି ଔଷଧ ଦେଇଦେଇଥିବା ନାତି କୁହନ୍ତି। ନାତି ଶୋଇଥିବା ଗୃହର ବାହାରପଟୁ ଝଜିନ୍ଦ୍ର ବନ୍ଦ କରିଦେଇ ପତ୍ନୀ ଘୁଙ୍ଗୁରୀଙ୍କୁ ଆକ୍ରମଣ କରି ମାରିଦେଇଛନ୍ତି। ସକାଳୁ ଟ୍ୟୁସନ ଯିବା ପାଇଁ ସାଙ୍ଗମାନେ ଡାକିବାରେ ଝଜିନ୍ଦ୍ରଙ୍କ ନାତିର ନିଦ ଭାଙ୍ଗିଥିଲା। ସେ ଦେଖିଲା ବାହାରପଟୁ କବାଟ ବନ୍ଦ ଅଛି ଓ ଆଇ ଶୋଇଥିବା ସ୍ଥାନରୁ ରକ୍ତ ଗଡିଆସିଛି। ସେ ଡରିଯାଇ ନିଜ ବାପାଙ୍କୁ ଫୋନ କରିଥିଲା। ପୁଅ ଠାରୁ ଖବର ପାଇ ମା ଗୀତାଞ୍ଜଳି ଓ ତାଙ୍କ ସ୍ୱାମୀ ତଥା ଗାଙ୍ଗପଡା ପଂଚାୟତର ପୂର୍ବତନ ସରପଂଚ ଅରୁଣ ମଳିକ ଘଟଣାସ୍ଥଳରେ ପହଁଚି ଦେଖନ୍ତିତ ତାଙ୍କ ଶାଶୁ ଘର ପିଣ୍ଡାରେ ମରିପଡିଛନ୍ତି ଓ ଶଶୁର ବିଷ ପିଇଦେଇ ଛଟପଟ ହେଉଛନ୍ତି। ୧୦୮ ଆମ୍ବୁଲାନ୍ସ ଡକାଇ ଶଶୁରଙ୍କୁ ଡାକ୍ତରଖାନା ପଠେଇଥିଲେ ଜ୍ୱାଇଁ ଅରୁଣ। ସଦର ଥାନା ପୋଲିସ ଖବର ପାଇ ଡାକ୍ତରଖାନାରେ ପହଁଚି ଝଜିନ୍ଦ୍ରଙ୍କ ଚିକିତ୍ସା କରାଇବା ସହ ଘଟଣାର ତଦନ୍ତ କରୁଥିବା ସୂଚନା ଦେଇଛନ୍ତି। ଖବରପାଇ ସଦର ଥାନା ଅଧିକାରୀ ପ୍ରମୋଦ କୁମାର ମଲ୍ଲିକ ଓ କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡା ଡାକ୍ତରଖାନା ଯାଇ ଚିକିତ୍ସିତ ପତ୍ନୀ ହତ୍ୟାକାରୀ ଝଜିନ୍ଦ୍ରର ଚିକିତ୍ସା ବ୍ୟବସ୍ଥା କରାଇବା ସହ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ଆରକ୍ଷୀ ଅଧିକ୍ଷକଙ୍କ ଆବାସୀକ କାର୍ଯ୍ୟାଳୟରୁ ମାତ୍ର କେଇଶହ ମିଟର ଦ୍ୱରତାରେ ଏଭଳି ଘଟଣା ଘଟିଥିବା ଜଣାପଡିଛି।