Odiapua.com

ମହାମନିଷୀଙ୍କ ଭୂମି ପଶ୍ଚିମବଙ୍ଗରେ ହିଂସା ନୁହେଁ, ବରଂ ସୁଖ ଓ ଶାନ୍ତିର ଗଣତନ୍ତ୍ର ବଜାୟ ରହୁ: କସ୍ତୁରୀ ମିଶ୍ର

ଭୁବନେଶ୍ୱର: ପଶ୍ଚିମବଙ୍ଗରେ ଘଟୁଥିବା ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଛି। ଗତ କାଲିଠାରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ପଶ୍ଚିମବଙ୍ଗ ଗସ୍ତରେ ଯାଇଥିବା ବେଳେ ହିଂସା ପ୍ରତିବାଦରେ ଆଜି ବିଜେପି ଓଡ଼ିଶା ସମେତ ଦେଶବ୍ୟାପୀ ପାଳନ କରୁଛି ଉପବାସ ପ୍ରତିବାଦ। ପଶ୍ଚିମବଙ୍ଗରେ ଘଟୁଥିବା ହିଂସା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ଉପାଧ୍ୟକ୍ଷା କସ୍ତୁରୀ ମିଶ୍ର କହିଛନ୍ତି, “ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ। ଗଣତନ୍ତ୍ର ପ୍ରକ୍ରିୟାରେ ଜନତାଙ୍କର ସ୍ଵଇଚ୍ଛାରେ ମତଦାନ କରିବାର ପୂର୍ଣ୍ଣ ଅଧିକାର ଅଛି ଓ ସେଥିରେ ବାଧ୍ୟବାଧକତା କରିବା ଅନୁଚିତ। ପଶ୍ଚିମବଙ୍ଗରେ ନିର୍ବାଚନ ପରେ ଟିଏମସିର କର୍ମୀମାନଙ୍କ ଯେଉଁଭଳି ବର୍ବର ଏବଂ ଅମାନୁଷିକ କାର୍ଯ୍ୟକଳାପ ଚାଳିଛି ତାହା ଅତ୍ୟନ୍ତ ନିନ୍ଦନୀୟ ତଥା ଅକ୍ଷମଣୀୟ। ହିଂସା, ଆତଙ୍କରାଜ ଓ ହତ୍ୟା ଦ୍ୱାରା କେବେଭି କୌଣସି ସମାଧାନ ହୋଇନାହିଁ। ବାରମ୍ବାର ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଟିଏମସିର ବର୍ବରୋଚିତ ଆକ୍ରମଣକୁ ନିନ୍ଦା କରିବା ପାଇଁ ଭାଷା ନାହିଁ। ପଶ୍ଚିମବଙ୍ଗ ରବୀନ୍ଦ୍ର ନାଥ ଟାଗୋର, ଯୋଗୀ ଅରବିନ୍ଦ ଓ ସ୍ବାମୀ ବିବେକାନନ୍ଦଙ୍କ ଭଳି ମହାମନିଷୀଙ୍କୁ ପାଇ ପବିତ୍ର। ଏହି ଭଳି ସ୍ଥାନରେ ବର୍ବରୋଚିତ ଅତ୍ୟାଚାର ଓ ଆକ୍ରମଣ ନୁହେଁ, ବରଂ ସୁଖ ଓ ଶାନ୍ତିର ଗଣତନ୍ତ୍ର ବଜାୟ ରହୁ।”