Odiapua.com

ଅଣଚାଷୀଙ୍କ କବ୍ଜାରେ କାଳିଆ ଯୋଜନା ; ଭୋଟ ପାଇଁ ଯୋଜନାକୁ ବାଟବଣା କରାଯାଉଛି, ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଉ

କୋଲାବିରା, ୭।୨ (ଓଡିଆ ପୁଅ/ନିଶିତ ବହିଦାର) ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ଚାଷୀ ଉପକୃତ ହେବା ପରିବର୍ତେ ଆଣଚାଷୀଙ୍କ ହାତରେ ଯୋଜନା ବୁଡିଯିବାକୁ ବସିଛି ବୋଲି ସାମାଜୀକ କର୍ମୀ ଶୋଭା ଚନ୍ଦ୍ର ନାଏକ ଅଭିଯୋଗ କରିଛନ୍ତି। ଜିଲ୍ଲା ପ୍ରଶାସନ ଦୃଷ୍ଟି ନଦେଲେ ଏହା ଦିଗହରା ହେବା ସୁନିଶ୍ଚିତ ବୋଲି ସେ କହିଛନ୍ତି। ସହାୟତାକୁ ଅପେକ୍ଷା କରିଥିବା କ୍ଷୁଦ୍ର ବା ନାମମାତ୍ର ଚାଷୀ ଏଥିରୁ ବଂଚିତ ହେବେ। କାରଣ କିଛି ଲୋକ ପ୍ରତିନିଧି ଯେନତେନ ଉପାୟରେ ନିଜ ପାଖ ଲୋକଙ୍କୁ ଯୋଜନାରେ ସାମିଲ କରିବାକୁ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି ବୋଲି ଶ୍ରୀନାଏକ ଅଭିଯୋଗ କରିଁନ୍ତି। ନିକଟରେ ଝାରସୁଗୁଡା ଜିଲ୍ଲା କୋଲାବିରା ବ୍ଲକ ଅଂଚଳରେ ଏକ ସ୍ୱାଚ୍ଛାସେବୀ ଦଳ ଶ୍ରୀ ନାଏକଙ୍କ ନେତୃତ୍ୱରେ ବିଭୀନ୍ନ ପଂଚାୟତରେ ବୁଲି କାଳିଆ ଯୋଜନା ହିତାଧିକାରୀଙ୍କ ସହ ସମ୍ପର୍କ କରିଥିଲେ।ଏଥିରୁ ଜଣାପଡିଛି ଯେ ବାସ୍ତବ ହିତାଧିକାରୀ ଯୋଜନାଠାରୁ ବହୁ ଦୂରରେ ଅଛନ୍ତି। ଏନେଇ ଝାରସୁଗୁଡା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହ ଖୁବଶୀଘ୍ର ଜିଲ୍ଲାସ୍ତରୀୟ ଅନ୍ୟ ଅଧିକାରୀଙ୍କୁ ଏଭଳି ହେରଫେର ନେଇ ଅଭିଯୋଗ କରାଯିବ ବୋଲି ନାଏକ କହିଛନ୍ତି। ଏହି ଯୋଜନାରୁ କିପରି ଲୋକେ ଅସାଧୁ ଉପାୟରେ ଉପକୃତ ହେବେ ସେ ନେଇ ମଧ୍ୟ ଉଦ୍ୟମ ଆରମ୍ଭ ହୋଇଛି। ଚାଷବାସ ସହ ଆଦୌ ସମ୍ପର୍କ ନଥିବା ଅଣଚାଷୀ ନିଜକୁ କୃଷି ଶ୍ରମିକ ଦର୍ଶାଇ ଯୋଜନାରୁ ଫାଇଦା ନେବାକୁ ବସିଛନ୍ତି। ସରକାର ଯୋଜନା ଘୋଷଣା କରି ଚୁପ୍ ବସିଲେ ହେବନାହିଁ। ଠିକ୍ ହିତାଧିକାରୀଙ୍କ ନିକଟରେ କିଭଳି ପହଂଚି ପାରିବେ ସେ ଦିଗରେ ଧ୍ୟାନ ଦିଆଯିବା ଆବଶ୍ୟକ ବୋଲି ନାଏକ କହିଛନ୍ତି। ତଳ ସ୍ତରର ନେତା ଭୋଟ ହାତେଇବା ଉଦ୍ଦେଶ୍ୟରେ ଯୋଜନାକୁ ବାଟବଣା କରିବାକୁ ଲାଗି ପଡିଛନ୍ତି।ପ୍ରଥମ ପର୍ଯ୍ୟାୟ ଆବେଦନ ପରେ ଏଭଳି ଅନିୟମିତତା ନଜରକୁ ଆସିଛି। ଏନେଇ ଜିଲ୍ଲା ପ୍ରଶାସନ ଦୃଷ୍ଟିଦେଲେ ଏହାକୁ ରୋକାଯାଇ ପରିବ। ଯଦି ଦଳୀୟ ଆଧାରରେ ଏହାକୁ ପରିଚାଳନା କରାଯାଏ ତେବେ ପ୍ରକୃତ ଚାଷୀ ଏଥିରୁ କାଣୀଚାଏ ସୁବିଧା ପାଇପାରିବେ ନାହିଁ। ଆହୁରି ଶୁଣାଯାଉଛି ଯେ କାଳିଆ ଯୋଜନାରୁ ହିତାଧିକାରୀଙ୍କୁ ସୁବିଧା ପ୍ରଦାନ କରିବାକୁ କିଛି ଲୋକ ଅର୍ଥ ଆଦାୟ କରୁଛନ୍ତି। ଏପରିକି ଆବେଦନ ପାଇଁ ଉର୍ଦ୍ଦିଷ୍ଟ ଫର୍ମକୁ ମଧ୍ୟ ଚଢା ଦରରେ ବିକ୍ରି କରାଯାଉଛି। ଏଥିପ୍ରତି ଦୃଷ୍ଟି ଦିଆନଗଲେ ଆଦିବାସୀ ବହୁଲ ଝାରସୁଗୁଡା ଜିଲ୍ଲାର ଚାଷୀ ବହୁଳ ଭାବେ ପ୍ରତାରିତ ହେବେ। ଏଣୁ ଆବେଦନ ଫର୍ମକୁ କଡାକଡି ଯାଞ୍ଚ କରାଯାଇ ନକଳି ଆବେଦନକାରୀଙ୍କୁ ଏଥିରୁ ବାଦ ଦେବାକୁ ଶ୍ରୀ ନାଏକ ଦାବି କରିଛନ୍ତି।