Odiapua.com

ବ୍ରହ୍ମପୁରରେ “କାଳିଆ” ଚାଷୀ ମହାସମାବେଶ

ବ୍ରହ୍ମପୁର:ବ୍ରହ୍ମପୁର,ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ବିମାନଘାଟି ପଡ଼ିଆ ଭିତରେ ଗଞ୍ଜାମ ଜିଲ୍ଲା ଚାଷୀଙ୍କୁ ନେଇ ଆୟୋଜିତ ହୋଇଯାଇଛି “କାଳିଆ” ଚାଷୀ ମହାସମାବେଶ।ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ବଟମ ଟିପି ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଟଙ୍କା ଟ୍ରାନ୍ସଫର କରିଥିଲେ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ୨୯୫ କୋଟି ଟଙ୍କା ମୂଲ୍ୟର ୨୩୧ଟି ଉନ୍ନୟନ ପ୍ରକଳ୍ପର ଲୋକାର୍ପଣ ଏବଂ ୭୧୬ କୋଟି ଟଙ୍କାର ୪୮ଟି ଉନ୍ନୟନ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଥିଲେ।

ତେବେ ସମାବେଶରେ ନବୀନଙ୍କ ସହିତ ରାଜ୍ୟ ସରକାରଙ୍କ କୌଣସି ମନ୍ତ୍ରୀ,ସାଂସଦ କିମ୍ବା ବିଧାୟକ ମଞ୍ଚ ଉପରେ ମଞ୍ଚାସିନ ନଥିଲେ।ଗଞ୍ଜାମ ଜିଲ୍ଲାର କେତେଜଣ ଚାଷୀ ନବୀନଙ୍କ ସହ ମଞ୍ଚ ଉପରେ ମଞ୍ଚାସିନ ଥିଲେ।ଯେତେବେଳେ କି ମନ୍ତ୍ରୀ ସୂର୍ଯ୍ୟ ପାତ୍ର, ବିକ୍ରମ କେଶରୀ ଆରୁଖ,ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ର ଶେଖର ସାହୁ, ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଆଦିଙ୍କୁ ଦର୍ଶକ ଗ୍ୟାଲେରୀରେ ଆଗ ଧାଡ଼ିରେ ବସିବାର ଦେଖିବାକୁ ମିଳିଥିଲା।ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କୁ ସଭା ସ୍ଥଳରେ ବୁଲୁଥିବାର ଦେଖିବାକୁ ମିଳିଥିଲା।ବିଜୁ ଯୁବା ବାହିନୀ କାର୍ଯ୍ୟକର୍ତ୍ତା ମାନେ ସିଦ୍ଧାନ୍ତଙ୍କ ସହ ସେଲ୍ଫି ନେଉଥିଲେ।ବିଧାୟକ ପ୍ରଦୀପ ପାଣିଗ୍ରାହୀ ତାଙ୍କ ନିର୍ବାଚନ ମଣ୍ଡଳୀର କାର୍ଯ୍ୟକ୍ରମ ହେଉଥିବାରୁ କାର୍ଯ୍ୟକ୍ରମକୁ ନେଇ ବ୍ୟସ୍ତ ଥିବାର ଦେଖା ଯାଇଥିଲା।କୁନା ତ୍ରିପାଠୀ ମଞ୍ଚ ପରିଚାଳନା କରିଥିଲେ/ଦେବଦତ୍ତ