Odiapua.com

ଡୋପ୍‌ ଟେଷ୍ଟ୍‌ରେ ଫେଲ୍‌; କେ.ରବିକୁମାର ନିଲମ୍ବିତ

ବ୍ରହ୍ମପୁର: ୧୮/୦୬ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ଅର୍ଜୁନ ଆୱାର୍ଡରେ ସମ୍ମାନୀତ, ଓଡ଼ିଶାର ତାରକା ଭାରୋତ୍ତୋଳକ, ୨୦୧୦ ଦିଲ୍ଲୀରେ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ବିଜେତା ତଥା ଅଲିମ୍ପିଆନ୍‌ କେ.ରବିକୁମାର ଡୋପ୍‌ ଟେଷ୍ଟରେ ଫେଲ୍‌ ହୋଇଛନ୍ତି। ନାଡା (ନ୍ୟାସନାଲ୍‌ ଆଣ୍ଟି ଡୋପିଙ୍ଗ୍‌ ଏଜେନ୍ସି) ଦ୍ୱାରା ହୋଇଥିବା ପରୀକ୍ଷାରେ ତାଙ୍କର ଏ-ସାମ୍ପୁଲ୍‌ ପୋଜିଟିଭ୍‌ ଆସିଥିଲା। ଏହା ପରେ ନାଡା ସୁପାରିଶ କ୍ରମେ ବାରଣ କରାଯାଇଥିବା ଏକ ଶକ୍ତିବର୍ଦ୍ଧକ ସାମଗ୍ରୀ ସେବନ କରିଥିବା ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଛି। ନାଡା ୱେବ୍‌ସାଇଟ୍‌ରେ ସୋମବାର ଏହି ସୂଚନା ଦିଆଯାଇଛି।

ଶ୍ରୀ ରବି କୁମାର ଅତି ଶୀଘ୍ର କ୍ରୀଡା କ୍ଷେତ୍ରରୁ ଅବସର ନେବାକୁ ଯୋଜନା ରଖିଥିବା ବେଳେ ଏପରି ଏକ ଘଟଣାରେ ଫସି ଯାଇଥିବାରୁ ସେ ବ୍ୟତିବ୍ୟସ୍ତ ହୋଇଥିବା ସୁଚାଇଛନ୍ତି।

ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କେ.ରବି ୬୯ କେ.ଜି. ବର୍ଗରେ ସ୍ୱର୍ଣ୍ଣ ଜିତିଥିଲେ। ତେବେ ଗତମାସରେ ହୋଇଥିବା ଡୋପ୍‌ ଟେଷ୍ଟ୍‌ରେ କେ.ରବିଙ୍କ ସମେତ ଏକାଧିକ ଭାରୋତ୍ତୋଳକ, କିଛି ଆଥ୍‌ଲେଟ୍‌, ଜଣେ ମାରାଥନ୍‌ ଚାମ୍ପିଅନ୍‌ ଫେଲ୍‌ ହୋଇଥିଲେ। ବର୍ତ୍ତମାନ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଏ ସଂପର୍କରେ କେ.ରବି କହିଛନ୍ତି ଯେ, ନିଷିଦ୍ଧ ହୋଇଥିବା ସେରମ୍‌କୁ ଜାନୁଆରୀରେ ବ୍ୟାନ୍‌ କରାଯାଇ ଥିଲା। ଫେବ୍ରୁଆରୀରେ ହୋଇଥିବା ଜାତୀୟ ପ୍ରତିଯୋଗିତା ପରେ ସାମ୍ପୁଲ୍‌ ସଂଗ୍ରହ କରାଯାଇଛି। ତେବେ ଅନ୍ୟ ଖେଳରୁ ମଧ୍ୟ ପ୍ରତିଯୋଗୀ ଡୋପ୍‌ ଟେଷ୍ଟ୍‌ରେ ବିଫଳ ହୋଇଛନ୍ତି। ଏ- ସାମ୍ପୁଲ୍‌ରୁ ପୋଜିଟିଭ୍‌ ରିପୋର୍ଟ ଆସିବା ପରେ ଆମକୁ ସସ୍‌ପେଣ୍ଡ୍‌ କରାଯାଇଛି। ଆମେ ବି- ସାମ୍ପୁଲ୍‌ ପାଇଁ ଆବେଦନ କରିବୁନି। କାରଣ ଆମକୁ ସେରମ୍‌ ବ୍ୟାନ୍‌ ସମ୍ପର୍କରେ ଠିକ୍‌ ଭାବେ ଅବଗତ କରାଯାଇ ନଥିଲା, ତେଣୁ ଆମେ ତାହାକୁ ଗ୍ରହଣ କରିଥିଲୁ। ବରଂ ଆମେ କୋର୍ଟର ଆଶ୍ରୟ ନେବୁ। ସଫଳ କ୍ୟାରିୟର୍‌ ପରେ ଶେଷ ଆଡକୁ ଏହି ବୟସରେ କଣ ଏଭଳି ଆମେ କରିବୁ ବୋଲି ଓଲଟି ପ୍ରଶ୍ନ କରିଛନ୍ତି ସେ। କେ.ରବିଙ୍କ ସମେତ ବୀରେନ୍ଦର ସିଂହ (୯୬ କେଜି), ଦୀପିକା (୪୯ କେଜି), ବିଶାଲ ସୋଲାଙ୍କି (୧୦୯ କେଜି), ସୀମା (୮୧ କେଜି) ଓ ପୁର୍ଣ୍ଣିମା ପାଣ୍ଡେ (୮୭ କେଜି) ମଧ୍ୟ ଏଭଳି କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଥିବା ଜଣାଯାଇଛି।