ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ. ସିନ୍ଧିଆ ଆଜି ଭୁବନେଶ୍ୱରରୁ ରାଜସ୍ଥାନର ଜୟପୁର ମଧ୍ୟରେ ସିଧାସଳଖ ବିମାନ ଚଳାଚଳର ଶୁଭାରମ୍ଭ କରିଛନ୍ତି। କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରରେଳ ଓ ଯୋଗାଯୋଗ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ରାଜ୍ୟ ଯୋଜନା ଓ ସମନ୍ୱୟ, ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ରାଜ୍ୟ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରମୂଖ ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ରାଜ୍ୟ ସରକାର, ଇଣ୍ଡିଗୋ ଏୟାରଲାଇନ୍ସର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ବିମାନ ଚଳାଚଳର ଶୁଭାରମ୍ଭ କରି ଶ୍ରୀ ସିନ୍ଧିଆ କହିଛନ୍ତି ଯେ ଭୁବନେଶ୍ୱର ହେଉଛି ମନ୍ଦିରମାଳିନୀ ସହର। ଏହା ହିନ୍ଦୁ, ବୌଦ୍ଧ ଏବଂ ଜୈନ ସମ୍ପ୍ରଦାୟ ପାଇଁ ଧାର୍ମିକ ହବ୍ ଅଟେ। ଅଧିକନ୍ତୁ, ଏକ ଧାର୍ମିକ ହବ୍ ବ୍ୟତୀତ ଏହି ସହର ଦେଶର ସ୍ମାର୍ଟ ସିଟି ତାଲିକାରେ ସ୍ଥାନ ପାଇଛି। ଦେଶର ପ୍ରମୁଖ ଆଇଟି ଏବଂ ଶିକ୍ଷା ହବ୍ ମଧ୍ୟରେ ଭୁବନେଶ୍ୱର ଅନ୍ୟତମ। ବର୍ତ୍ତମାନ ଭୁବନେଶ୍ୱର ୩୮ଟି ବିମାନ ଚଳାଚଳ ଦ୍ୱାରା ୧୯ ଟି ସହର ସହିତ ଯୋଡ଼ି ହୋଇଛି। ମନ୍ତ୍ରୀ ଆହୁରି କହିଛନ୍ତି ଯେ, ବିମାନ ଚଳାଚଳରେ ବିନିଯୋଗ ସର୍ବଦା ଅନେକ ଲାଭ ପ୍ରଦାନ କରିଥାଏ। ପ୍ରତି ୧୦୦ ଟଙ୍କା ନିବେଶରେ ଦେଶର ଜିଡିପିରେ ୩୨୫ ଟଙ୍କା ଯୋଗ ହୋଇଥାଏ। ଆଗକୁ ବିମାନ ଚଳାଚଳ କ୍ଷେତ୍ର ଅପାର ନିଯୁକ୍ତି ସୁଯୋଗ ଆଣିବ, ରୋଜଗାରର ଏକ ପ୍ରବେଶ ଦ୍ୱାର ହେବ। ୨୦୦ କୋଟି ଟଙ୍କା ବ୍ୟୟରେ ନୂତନ ଟର୍ମିନାଲ ସୌଧର ବିକାଶ କାର୍ଯ୍ୟ ଧାର୍ଯ୍ୟ ସମୟରେ ସରିବ ବୋଲି ମନ୍ତ୍ରୀ ନିଶ୍ଚିତ କରିଛନ୍ତି।
-@Dr