Odiapua.com

ଲାଞ୍ଚ ନେଇ ଆର୍‌ଡି କିରାଣି ଗିରଫ

କନ୍ଧମାଳ, ୧୩-୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କାମ କରୁନି ସରକାରଙ୍କ ୫-ଟି ଫର୍ମୁଲା। ସାଧାରଣ ଲୋକଙ୍କୁ ସରକାରୀ କର୍ମଚାରୀମାନେ ହଇରାଣ କରିବା କଥା ଛାଡ, ଖୋଦ ନିଜ ବିଭାଗର କର୍ମଚାରୀଙ୍କୁ ବି ଛାଡୁ ନାହାନ୍ତି। ଅବସରକାଳୀନ ସହାୟତା ଏବଂ ପେନସନ୍‌କରିଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗ୍ରାମ ନିର୍ମାଣ ବିଭାଜନ(ଆର୍‌ଡି)ର ଜଣେ କନିଷ୍ଠ କିରାଣି ଗୁରୁବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସେ ହେଲେ ଅମୂଲ୍ୟ କୁମାର ସାହୁ। ଭିଜିଲାନ୍ସ କର୍ମଚାରୀ ଅମୂଲ୍ୟଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଛନ୍ତି। ଏଥିସହ ଫୁଲବାଣୀ ସହର କେନ୍ଦୁପଦରସ୍ଥିତ ତାଙ୍କ ଘର ଉପରେ ମଧ୍ୟ ଚଢ଼ାଉ କରାଯାଇଛି।

ରାଇକିଆର ଶଙ୍କର୍ଷଣ ଶତପଥୀ ଆର୍‌ଡି ବିଭାଗରେ କାର୍ଯ୍ୟ କରି ଅବସର ଗ୍ରହଣ କରିଛନ୍ତି। ପେନ୍‌ସନ ଏବଂ ଅନ୍ୟାନ୍ୟ ଅବସରକାଳୀନ ସହାୟତା ପାଇଁ କାର୍ଯ୍ୟାଳୟରେ ସେ ଆବେଦନ କରି ଆସୁଥିଲେ। ଫାଇଲ କାର୍ଯ୍ୟ ସାରିବା ଲାଗି ଶଙ୍କର୍ଷଣଙ୍କୁ କନିଷ୍ଠ ଯନ୍ତ୍ରୀ ଅମୂଲ୍ୟ ୫, ୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଶଙ୍କର୍ଷଣ ଭିଜିଲାନ୍ସ କାର୍ଯ୍ୟାଳୟରେ ଜଣାଇଥିଲେ। ଯୋଜନା ମୁତାବକ ଗୁରୁବାର ସେ ଆର୍‌ଡି କାର୍ଯ୍ୟାଳୟକୁ ଯାଇ କିରାଣି ଅମୂଲ୍ୟଙ୍କୁ ୫ହଜାର ଟଙ୍କା ଦେଇଥିଲେ। ତେବେ ସେଠାରେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ କର୍ମଚାରୀ ଅମୂଲ୍ୟଙ୍କ ପାଖରୁ ଉକ୍ତ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଥିଲେ। ଏ ନେଇ ଭିଜିଲାନ୍ସ ପକ୍ଷରୁ ନଂ.୪/୨୦ରେ ମାମଲା ରୁଜୁ ହୋଇଛି। ଭିଜିଲାନ୍ସ ଡିଏସ୍‌ପି ରବିକାନ୍‌ସୁନା, ଇନ୍ସିପେକ୍ଟର ପୁଲସ୍ତି ଛତ୍ରିଆଙ୍କ ସମେତ ଅନ୍ୟ କର୍ମଚାରୀମାନେ ଚଢ଼ାଉରେ ସାମିଲ ଥିଲେ।