ଶ୍ରୀନଗର ୭-୭ (ଓଡ଼ିଆ ପୁଅ) ମଙ୍ଗଳବାର ସକାଳେ ଜାମ୍ମୁ କାଶ୍ମୀରର ପୁଲୱାମାର ଗୁସୋ ସେକ୍ଟରରେ ଭାରତୀୟ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଗୁଳି ବିନିମୟରେ ଆହତ ହୋଇଥିବା ଦୁଇଜଣ ଯବାନଙ୍କ ମଧ୍ୟରୁ ଜଣଙ୍କର ଚିକିତ୍ସା ସମୟରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ଖବର ଅନୁଯାୟୀ ଏପର୍ଯ୍ୟନ୍ତ ଗୁସୋର ଏକ ଘରେ ସୁରକ୍ଷା ବାହିନୀ, ତିନି ଜଣ ଆତଙ୍କବାଦୀଙ୍କୁ ଘେରି ରହିଛନ୍ତି ଏବଂ ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ ଚାଲିଛି।
ଜାମ୍ମୁ କାଶ୍ମୀରର ପୁଲୱାମାର ଗୁସୋ ସେକ୍ଟରରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷା ବାହିନୀ ସୂଚନା ପାଇଥିଲେ। ଖବର ଥିଲା ଯେ ଆତଙ୍କବାଦୀମାନେ ଏକ ଘରେ ଲୁଚି ଏକ ବଡ ଷଡଯନ୍ତ୍ର ରଚିବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି। ସୂଚନା ଆଧାରରେ ସେନା ସ୍ଥାନୀୟ ପୋଲିସ୍ ଏବଂ CRPF ସହିତ ଏକ ଟିମ୍ ଗଠନ କରି ଏହି ଅଞ୍ଚଳକୁ ଘେରିଥିଲେ।