Odiapua.com

ତିର୍ତ୍ତୋଲ ଉପନିର୍ବାଚନ ମୈଦାନରେ ଚର୍ଚ୍ଚିତ ଏହି ବିଜେପି ନେତ୍ରୀ ..

ଭୁବନେଶ୍ୱର: ବାଲେଶ୍ଵର ସଦର ଏବଂ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପାର୍ଥି ଘୋଷଣା କରିବାରେ ବିଜେପି ଆଗୁଆ ରହିଥିବା ବେଳେ ଏହାପରେ ବିଜେଡି ଏବଂ ପରେପରେ କଂଗ୍ରେସ କରିଥିଲା ପାର୍ଥି ଘୋଷଣା। ବାଲେଶ୍ଵର ସଦର ପାଇଁ ବିଜେଡି ଏକ ଦୁର୍ବଳ ପାର୍ଥି ଦେଇଛି ବୋଲି ଅନୁଭବ କରି ବିଜେପି ଏବେ ଟିକେ ଅଧିକ ଆଶାବାଦୀ ହୋଇପଡ଼ିଛି। ଦୁଇଟି ଜାକ ଆସନ ପାଇଁ ତିନି ପ୍ରମୂଖ ଦଳ ରଣନୀତି ଏବଂ ପ୍ରଚାର ଆରମ୍ଭ କରି ଦେଇଛନ୍ତି। ଉଭୟ ଆସନ ପାଇଁ ବିଜେପି ଯଥେଷ୍ଟ ପୂର୍ବରୁ ରଣନୀତି ଆରମ୍ଭ କରିଦେଇଥିଲା। ବାଲେଶ୍ଵର ସଦର ପାଇଁ ଦିବ୍ୟଙ୍ଗତ ନେତା ତଥା ପୂର୍ବତନ ବିଧାୟକ ମଦନ ମୋହନ ଦତ୍ତଙ୍କ ପୁଅ ମାନସ କୁମାର ଦତ୍ତ ପାର୍ଥି ହେବା ନେଇ ବହୁ ପୂର୍ବରୁ ପ୍ରାୟ ନିଶ୍ଚିତ ହୋଇଯାଇଥିବା ବେଳେ କଂଗ୍ରେସରୁ ଆସି ବିଜେପିରେ ଯୋଗଦେବା ପରେ ରାଜକିଶୋର ବେହେରାଙ୍କୁ ତିର୍ତ୍ତୋଲ ପାଇଁ ପାର୍ଥି କରାଯିବା ପ୍ରାୟ ସ୍ପଷ୍ଟ ହୋଇଯାଇଥିଲା।

ବିଜେପି ରାଜ୍ୟ ଉପାଧ୍ୟକ୍ଷା ପ୍ରଭାତୀ ପରିଡ଼ା, ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ଅନୁସୁଚିତ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୂର୍ବତନ ସାଂସଦ ବିଭୁ ତରାଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଜଗତସିଂହପୁର ଜିଲ୍ଲା ପ୍ରଭାରୀ ସାରଦା ପ୍ରଧାନ ପ୍ରମୁଖଙ୍କ ଉପସ୍ଥିତରେ ରାଜକିଶୋର ବେହେରା ବିଜେପିରେ ଯୋଗ ଦେଇଥିଲେ ମଧ୍ୟ ତାଙ୍କୁ ବିଜେପିରେ ସାମିଲ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ସାରଦା ଓରଫ ବୁଲୁ ପ୍ରଧାନ ବୋଲି କୁହାଯାଉଛି। ରାଜକିଶୋରଙ୍କୁ ତିର୍ତ୍ତୋଲ ପାଇଁ ପାର୍ଥି କରାଇବା ପଛରେ ମଧ୍ୟ ବୁଲୁ ପ୍ରଧାନ ପ୍ରମୂଖ ଭୂମିକା ଗ୍ରହଣ କରିଛନ୍ତି ବୋଲି ଆଲୋଚନା ହେଉଛି। ସାରଦା ଓରଫ ବୁଲୁ ପ୍ରଧାନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୋଷ୍ଠୀ ଲୋକ। ଅର୍ଥାତ୍ ରାଜକିଶୋର ବେହେରାଙ୍କୁ ଦଳରେ ମିଶାଇବା ଏବଂ ତିର୍ତ୍ତୋଲରୁ ତାଙ୍କୁ ପାର୍ଥି କରାଇବା ବୁଲୁ ପ୍ରଧାନଙ୍କ ମାଧ୍ୟମରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଯୋଜନା ବୋଲି ଅନୁମାନ କରାଯାଇ ପାରେ।

ତିର୍ତ୍ତୋଲ ନିର୍ବାଚନରେ ଏବେ ସାରଦା ପ୍ରଧାନ ପ୍ରମୂଖ ଭୂମିକା ଗ୍ରହଣ କରୁଛନ୍ତି। ରାଜକିଶୋର ବେହେରାଙ୍କୁ ଦଳରେ ମିଶାଇବା ଏବଂ ତାଙ୍କୁ ଟିକେଟ ମିଳିବା ପଛରେ ସାରଦା ଓରଫ ବୁଲୁ ପ୍ରଧାନ ମୁଖ୍ୟ ସୂତ୍ରଧର ବୋଲି କୁହାଯାଉଛି। ତିର୍ତ୍ତୋଲ ନିର୍ବାଚନ ରଣନୀତିରେ ମୁଖ୍ୟ ସେନାପତି ସାଜିଛନ୍ତି ବୁଲୁ ପ୍ରଧାନ। ତେବେ ଏ’ ସବୁ ଭିତରେ ଜଣେ ନେତ୍ରୀଙ୍କ ଭୂମିକାକୁ ନେଇ ମଧ୍ୟ ଦଳ ଭିତରେ ଖୁବ୍ ଚର୍ଚ୍ଚା ହେଉଛି। ସଂପୃକ୍ତ ନେତ୍ରୀ ଜଣଙ୍କ ହେଲେ ଜାଜ୍ଞସେନୀ ଜେନା। ତିର୍ତ୍ତୋଲ ନିର୍ବାଚନ ମୈଦାନରେ ବିଜେପି ପକ୍ଷରୁ ଜାଜ୍ଞସେନୀ ଜେନା ଖୁବ୍ ସକ୍ରିୟ ଜଣା ପଡ଼ୁଛନ୍ତି। ନିର୍ବାଚନ ତାରିଖ ଘୋଷଣାର ବହୁ ପୂର୍ବରୁ ଜାଜ୍ଞସେନୀ ଜେନାଙ୍କୁ ପଞ୍ଚାୟତ ତଥା ବୁଥ୍ ସ୍ତର ଯାଏଁ ତୃଣମୂଳ ସ୍ତରରେ ବୈଠକ କରି କାର୍ଯ୍ୟକର୍ତ୍ତା ମାନଙ୍କୁ ସଙ୍ଗଠିତ କରି ଆସୁଥିବାର ଦେଖିବାକୁ ମିଳୁଥିବା ବେଳେ ଏବେ ନିର୍ବାଚନ ସମୟ ପାଖେଇ ଆସିଥିବା ବେଳେ ଅନେକ ପ୍ରମୂଖ ନେତାନେତ୍ରୀଙ୍କ ଉପସ୍ଥିତି ମଧ୍ୟରେ ମଧ୍ୟ ଜାଜ୍ଞସେନୀଙ୍କ ପ୍ରଭାବ ଏବଂ ତାଙ୍କ ସକ୍ରିୟତା ସ୍ପଷ୍ଟ ବାରି ହେଉଛି। ତିର୍ତ୍ତୋଲ ନିର୍ବାଚନ ମୈଦାନରେ ଦଳ ଭିତରେ ଜାଜ୍ଞସେନୀ ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି।
/-@DevDr